ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଦୁଇ ଆରୋହୀ ମୃତ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା-ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ସାଲେପଡ଼ା ଛକ ନିକଟରେ ଶନିବାର ରାତ‌ିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଦୁଇଜଣ ଆରୋ‌ହୀ ଭବାନୀପାଟଣା ପରଦେଶୀପଡ଼ାର ପ୍ରଦୀପ ପାଣି (୫୦ବର୍ଷ) ଓ ଦେବାନ ସାହେବ ପଡ଼ାର ପ୍ରହଲ୍ଲାଦ ରାଉତ (୫୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଖବରପାଇ ସିନ୍ଧେକେଲା ପୁଲିସ ଥାନା କେସ ନଂ ୧୪୪/୨୦ରେ ମାମଲା ରୁଜୁକରିଛି। ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ବୋର୍ଡା ଜନତା ହାଇସ୍କୁଲରେ କିରାଣି ଚାକିରି କରୁଥିବା ପ୍ରଦୀପ ଓ ତାଙ୍କ ସାଙ୍ଗ ପ୍ରହଲ୍ଲାଦ ଶନିବାର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବୋର୍ଡା ଆସିଥିଲେ। ରାତିରେ ଭୋଜି ଖାଇସାରି ବାଇକ୍‌ରେ ଫେରୁଥିବା ସମୟରେ ସାଲେପଡ଼ା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଦା ଭିତରେ ପଡ଼ିଯାଇଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ହୋଇଥିବା ସ୍ଥାନ ଖାଲୁଆ ଓ ବୁଦାଳିଆ ଥିବାରୁ ରାସ୍ତା ଉପରୁ ଜଣାପଡୁନଥିଲା। ପରିବାର ଲୋକେ ଫୋନରେ ଯୋଗାଯୋଗ କରି କୌଣସି ଉତ୍ତର ନପାଇବାରୁ ରବିବାର ସକାଳେ ବୋର୍ଡା ଫାଣ୍ଡିରେ ନିଖୋଜ ଥିବା ଅଭିଯୋଗ କରିଥିଲେ।

ରବିବାର ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ପରିସ୍ରା କରିବା ପାଇଁ ସେଠାରେ ଅଟକିଥିବା ସମୟରେ ବୁଦା ଭିତରେ ଫୋନ ରିଙ୍ଗ ହେଉଥିବା ଶୁଣିବାକୁ ପାଇଥିଲେ। ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କୁ ଅଟକାଇଥିଲେ। କେହି ଜଣେ ତଳକୁ ଯାଇ ସେହି ସମୟରେ ଫୋନ କରିଥିବା ବ୍ୟକ୍ତିଙ୍କୁ ଘଟଣା ବିଷୟରେ ଅବଗତ କରିବାରୁ ଜଣାପଡ଼ିଲା ବୋଲି ସିନ୍ଧେକେଲା ଥାନା ଏଏସ୍‌ଆଇ ସୁମନ ମଲ୍ଲିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର