ଗାଁ ମୁହାଁ ବନ୍ୟଜନ୍ତୁ,ଘରେ ପଶି ମହିଳାଙ୍କୁ ଆକ୍ରମଣ କଲା ବାରହା

ଭଞ୍ଜନଗର: ଜଙ୍ଗଲକୁ ଆଉ ସୁରକ୍ଷିତ ମଣୁନାହାନ୍ତି ବନ୍ୟପ୍ରାଣୀ। ନିଜ ସ୍ବାର୍ଥ ପାଇଁ ମଣିଷ ସମାଜ ଜଙ୍ଗଲକୁ ପଦା କରିବାକୁ ଲାଗିପଡିଥିବା ‌ବେଳେ ବନ୍ୟଜନ୍ତୁଙ୍କ ଆହାର ସହ ଆବାସସ୍ଥଳ ପ୍ରଭାବିତ ହେବାରେ ଲାଗିଛି। ନିଘଞ୍ଚ ଜଙ୍ଗଲ ଭିତରେ ଲୋକମାନଙ୍କ ଅବାଧ ପ୍ରବେଶ ବନ୍ୟଜନ୍ତୁମାନଙ୍କୁ ଜଙ୍ଗଲ ଛାଡି ବାହାରକୁ ଆସିବାକୁ ଏକ ପ୍ରକାର ବାଧ୍ୟ କରୁଛି। ଏଭଳିକି ଜଙ୍ଗଲ ଭିତରେ ଆବଶ୍ୟକ ଖାଦ୍ୟ ଅଭାବ ଯୋଗୁ ଜଙ୍ଗଲ ନିକଟବର୍ତ୍ତି ଇଲାକାକୁ ଆସି ଫସଲ ନ‌ଷ୍ଟ କରିବା ସହ ପଶୁ ମଣିଷ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି। ଅନେକ ସମୟରେ ଲୋକମାନଙ୍କ ଆକ୍ରୋଶର ଶୀକାର ହୋଇ ନୀରିହ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡେ ତ କିଛି ହ୍ରିଂସ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷ ଲହୁଲୁହାଣ ହୋଇପଡେ।

ଏଭଳି ଏକ ପଶୁ ମଣିଷ ଲଢେଇ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତଥା ତାରସିଂ ଥାନା ଅଧୀନ କୋକଳବା ଗ୍ରାମରେ। ଆଜି ଭୋର ସମୟରେ ଗ୍ରାମ ନିକଟ ଜଙ୍ଗଲରୁ ଏକ ଜଙ୍ଗଲି ବାରହା ଘରେ ପଶି ଆକ୍ରମଣ କରିବା ଫଳରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କୋକଳବା ଗ୍ରାମର ରବିନ୍ଦ୍ର ସାହୁଙ୍କ ପତ୍ନୀ ବୈଜୟନ୍ତୀ ସାହୁ(୩୦) ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆଜି ‌ଭୋର ସମୟରେ ସେ ଉଠି ଘର ଭିତରେ ବସିଥିଲେ। ଏହି ସମୟରେ ଗ୍ରାମ ନିକଟରେ ଥିବା ଜଙ୍ଗଲର ଲକ୍ଷ୍ମୀ ମୁଣ୍ଡିଆ ଇଲାକାରୁ ଏକ ବାରହା ଆସି ବାରିପଟ ଦେଇ ତାଙ୍କ ଘର ଭିତରେ ପଶି ବୈଜୟନ୍ତୀଙ୍କୁ ଆକ୍ରମଣ କରିଥିଲା।

ଏଥିରେ ତାଙ୍କ ମୁଣ୍ଡ ପାଖ କାନ,ହାତ,ଗୋଡ ସମେତ ଶରୀର ଅନେକ ସ୍ଥାନକୁ ଖଣ୍ଡିଆଖାବରା କରି ପକାଇଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ସେଠାକୁ ଦୌଡି ଆସି ବାରହାକୁ ‌ଘଉଡାଇବା ସହ ଗୁରୁତର ଭାବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ବନରକ୍ଷୀ ପ୍ରମୋଦିନି ପ୍ରଧାନ ସେଠାରେ ପହଞ୍ଚି ଆହାତଙ୍କ ଅବସ୍ଥା ବୁଝିଥିଲେ। ଏଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ରହିଥିବା ଜଣାପଡିଛି। ପ୍ରକାଶ ଥାଉକି,ଗତ ସପ୍ତାହରେ ଦଦରଲୁଣ୍ଡା ପଞ୍ଚାୟତର ପଇତାଗାଁରେ ଏକ ଭାଲୁ କାମୁଡାରେ ଗ୍ରାମର କୀର୍ତ୍ତନ ବିଷୋୟୀ ଗୁରୁତର ଆହାତ ହୋଇଥିଲେ। ବର୍ତ୍ତମାନ ଚାଷକାର୍ଯ୍ୟ ଚାଲିଥିବାବେଳେ ବନ୍ୟଜନ୍ତୁଙ୍କ ଉପଦ୍ରବ ବଢିବା ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ଉକ୍ତ ଘଟଣାକୁ ଗୁରୁତର ସହ ନେବା ସହ ଜଙ୍ଗଲ ଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷା ସହ ଲୋକଙ୍କ ପାଇଁ ଦୃଢ ପଦକ୍ଷେପ ନେବା ଜରୁରୀ। ନଚେତ ଏଭଳି ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର