ବିନାୟକଙ୍କ ଵିସର୍ଜନରେ ୭୫ ଡାକ୍ତର, ଇଞ୍ଜିନିୟର ଓ ଛାତ୍ରଛାତ୍ରୀ ବଜାଇଲେ ମହାରାଷ୍ଟ୍ରର ଢୋଲ୍ ବାଜା

କଟକ: ୭୫ ଡାକ୍ତର, ଇଞ୍ଜିନିୟର ଓ ଛାତ୍ରଛାତ୍ରୀ ବଜାଇଲେ ମହାରାଷ୍ଟ୍ରର ଢୋଲ୍ ବାଜା। କଟକ ସହରରେ ଗଣେଶ ବିସର୍ଜନରେ ପ୍ରଥମ ଥର ମହାରାଷ୍ଟ୍ର ନାଗପୁରର ଢୋଲ୍ ବାଜା ବଜାଇଲେ ଏହି ଶିକ୍ଷିତ ଯୁବକ, ଯୁବତୀ। ମାଛୁଆ ବଜାର ନ୍ୟୁ ଜୁନିଅର୍ ଷ୍ଟାର୍ କ୍ଲବ ପକ୍ଷରୁ ଏଥର ବିସର୍ଜନରେ ମହାରାଷ୍ଟ୍ରର ପାରମ୍ପରିକ ବାଜାର ଆୟୋଜନ କରାଯାଇଥିଲା। ଏ ପ୍ରକାର କାର୍ଯ୍ୟକ୍ରମ ଦେଖିବାକୁ ମାଛୁଆ ବଜାର ଛକରେ ରବିବାର ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, କରୋନା କଟକଣାକୁ ଦୃଷ୍ଟିରେ ରଖି ଗଲା ଦୁଇ ବର୍ଷ ହେବ ପାର୍ବଣ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। କଟକଣା କୋହଳ ପରେ ଚଳିତ ବର୍ଷ କଟକରେ ପ୍ରଥମ ପର୍ଯ୍ୟାୟ ଭସାଣୀରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ମହାରାଷ୍ଟ୍ରର ପାରମ୍ପରିକ ବାଦ୍ୟ ଢୋଲ୍ ବାଜା। ମହାରାଷ୍ଟ୍ରର ନାଗପୁରର ଶିବ ସାଇ ଢୋଲ୍ ତାସା ଅନୁଷ୍ଠାନ ପକ୍ଷରୁ ଏକ ୭୫ ଜଣିଆ ଟିମ୍ କଟକ ମାଛୁଆ ବଜାର ଆସିଛନ୍ତି। ଏଥିରେ ୧୭ ଜଣ କେବଳ ମହିଳା ସଦସ୍ୟ ଥିବା ବେଳେ ଅବଶିଷ୍ଟ ପୁରୁଷ ଅଛନ୍ତି। ଏମାନେ ସମସ୍ତେ ବୃତ୍ତିରେ ଡାକ୍ତର, ଇଞ୍ଜିନିୟର ସହିତ ଆଉ କିଛି ଯୁବକ ଯୁବତୀ ଅଧ୍ୟୟନ କରୁଛନ୍ତି।

ଏହି ସଂଗଠନର ସଦସ୍ୟ ଅଖିଳେଶ ମନୋହର ପତ୍ରିଵାର କହିଛନ୍ତି ଯେ ପ୍ରତ୍ୟେକ ବର୍ଷ ଏହି ଟିମ୍ ଅହମ୍ମଦାବାଦ, ହାଇଦ୍ରାବାଦ, ଗୁଜୁରାଟ ଯାଉଥିବା ବେଳେ ଚଳିତ ବର୍ଷ ଓଡ଼ିଶା ଆସିଛି। ଆସନ୍ତା ବର୍ଷ ପୁଣି ଓଡ଼ିଶା ଆସିବାକୁ ଆଶା ରଖିଛୁ। ବିସର୍ଜନରେ ଏହି ବାଦ୍ୟ ବଜାଇବା ପାଇଁ ନାଗପୁରରେ ଦେଢ଼ ମାସ ପୂର୍ବରୁ ଟିମ୍ ସଦସ୍ୟ ଅଭ୍ୟାସ କରିଥାନ୍ତି। ରାତି ୭ଟାରୁ ୧୧ଟା ଯାଏ ଅଭ୍ୟାସ ଚାଲିଥାଏ। ଏହି କାର୍ଯ୍ୟକ୍ରମ ପରିବେଷଣ ବାବଦରେ ଯାହା ଅର୍ଥ ମିଳିଲେ ଏଥିରେ ଗସ୍ତ ଓ ଖାଦ୍ୟ ଖର୍ଚ୍ଚ ବାଦ ଅବଶିଷ୍ଟ ଟଙ୍କା ଅନାଥ ଆଶ୍ରମ, ବୃଦ୍ଧା ଆଶ୍ରମକୁ ଦାନ କରାଯାଉଥିବା ଶ୍ରୀ ପତ୍ରିଵାର କହିଛନ୍ତି।

ଅନ୍ୟପଟେ ବିସର୍ଜନର ରବିବାର ପ୍ରଥମ ପର୍ଯ୍ୟାୟରେ ୪୦୦ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଆସନ୍ତା ୧୧ ଓ ୨୫ ତାରିଖ ଦୁଇଟି ପର୍ଯ୍ୟାୟରେ ବିସର୍ଜନ ହେବାକୁ କମିସନରେଟ୍ ପୁଲିସ ପକ୍ଷରୁ ସ୍ଥିର କରଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ମୋଟ ୨୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏସଆଇ ଓ ଏଏସଆଇ ୫୦ ଜଣ, ଇନ୍ପପେକ୍ଟର ଓ ଏସିପି ୫୦, ଏଡିସିପି ୨ ଜଣ ଭସାଣୀରେ ସାମିଲ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଗୋପାଳପୁର, ଦେବୀଗଡ଼ା, ଗଡ଼ଗଡ଼ିଆ ଘାଟ, ମାତାମଠ, ଜଗତପୁର ଭଳି ସ୍ଥାନରେ ସିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀ ଖୋଳାଯାଇ ମେଢ଼ ବିସର୍ଜନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର