୫୦ ଦିନପରେ ଉଡ଼ିଲା ବିମାନ: ଭୁବନେଶ୍ବରରୁ ଆସିଲେ ୨୬, ଗଲେ ୪୬

ରାଉରକେଲା: ଡିସେମ୍ବର ୧୧ ତାରିଖରେ ଶେଷଥର ପାଇଁ ରାଉରକେଲାରୁ ବିମାନ ଉଡ଼ିଥିଲା। ପୁନର୍ବାର ବିମାନ ଉଡ଼ିବା ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ଠିକ୍‌ ୫୦ ଦିନ ପରେ, ସୋମବାରଠାରୁ ବିମାନ ସେବା ପୁନଃ ଆରମ୍ଭ ହୋଇଛି। ଆଜି ୨୬ ଜଣ ଯାତ୍ରୀ ଭୁବନେଶ୍ବରରୁ ରାଉରକେଲାକୁ ଆସିଥିବାବେଳେ ୪୬ ଜଣଯାତ୍ରୀ ରାଉରକେଲାରୁ ଭୁବନେଶ୍ବରକୁ ଯାଇଛନ୍ତି। ରାଉରକେଲାରୁ ଭୁବନେଶ୍ବର ଯିବାକୁ ଆଜି ୪୬ ଜଣ ଯାତ୍ରୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିଯାଇଥିଲେ। ତେବେ ଶେଷ ମୂହୁର୍ତ୍ତରେ ବିମାନ ବାତିଲହେବା ଚିନ୍ତା ଯାତ୍ରୀଙ୍କୁ ଲାଗିରହିଥିଲା। କିନ୍ତୁ ଅପରାହ୍ନ ୩.୫୦ରେ ବିମାନ ଅବତରଣ କରିବାରେ ଯାତ୍ରୀଙ୍କୁ ଆଶ୍ବସ୍ତି ମିଳିଥିଲା। ପ୍ରାୟ ୩୦ ମିନିଟ ରହଣିପରେ ଅପରାହ୍ନ ୪.୨୦ରେ ବିମାନ ଭୁବନେଶ୍ବର ଅଭିମୁଖେ ବାହାରିଥିଲା।

ଅପରପକ୍ଷରେ ରାଉରକେଲା ବିମାନବନ୍ଦରରେ ଏଯାଏ ସ୍ବତନ୍ତ୍ର ଭିଏଫ୍‌ଆର୍‌ରେ ବିମାନ ଅବତରଣ କାର୍ଯ୍ୟକ୍ଷମ ହୋଇପାରିନି। ଦୁଇ ଜଣ ତାଲିମପ୍ରାପ୍ତ ଅଧିକାରୀ ନିୟୋଜିତ ହୋଇସାରିଛନ୍ତି; କିନ୍ତୁ ସ୍ବତନ୍ତ୍ର ଭିଏଫ୍‌ଆର୍‌ରେ ବିମାନ ଚଳାଚଳ ପାଇଁ ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌କୁ ଏଯାବତ୍‌ ଅତ୍ୟାବଶ୍ୟକ ଡିଜିସିଏ ଅନୁମତି ମିଳିପାରିନାହିଁ। ଅନୁମତି ନ ମିଳିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ଭିଏଫ୍ଆର୍‌ରେ ବିମାନ ଅବତରଣ/ଉଡ଼ାଣ କରାଯାଇପାରିବନାହିଁ। ଅର୍ଥାତ୍‌, ଆଗାମୀ ୩/୪ ଦିନ ଭିତରେ ପାଣିପାଗ ବିଗିଡ଼ିଲେ, ବିମାନସେବା ପୂର୍ବବତ୍‌ ବାତିଲ ହେବାର ଆଶଙ୍କା ରହିଛି। ମଙ୍ଗଳବାରଠାରୁ କୋଲକାତାକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବବୋଲି ଜଣାପଡ଼ିଛି। ତେବେ ଏନେଇ ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର