ଆଇଆଇସି ପାଇଁ ମିଳୁନି ଜିଲ୍ଲାରେ ୨୫ ଏକର ଜାଗା : ଜିଲ୍ଲାପାଳ ୩ ଥର ଚିଠି କଲାପରେ ବି ତହସିଲଦାରମାନଙ୍କ ଉତ୍ତର ନାହିଁ

ରାୟଗଡା: ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ ଇମଫ୍ରାଷ୍ଟ୍ରକଟର କମ୍ପ୍ଲେକ୍ସ (ଆଇଆଇସି) କରି ଗୋଟିଏ ସ୍ଥାନରେ ସମସ୍ତ ସାମାଜିକ ସୁରକ୍ଷା ଅଧିନରେ ଆସୁଥିବା ଲୋକଙ୍କ ଥଇଥାନ କରିବା ଏବଂ ସେମାନଙ୍କ ପାଇଁ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ କରିବା ଲକ୍ଷ୍ୟ ନେଇ ରାଜ୍ୟର ୧୧ଟି ଜିଲ୍ଲା ସମେତ ରାୟଗଡା ଜିଲ୍ଲାକୁ ମଧ୍ୟ ସାମିଲ କରିଛନ୍ତି। ଏନେଇ ରାୟଗଡା ଗସ୍ତରେ ଆସିଥିବା ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସ୍ପଷ୍ଟ କରିଥିଲେ। ତେବେ ଯେତେ ଶୀଘ୍ର ଜାଗା ଜିଲ୍ଲା ପ୍ରଶାସନ ଯୋଗାଇବ ସେତେ ଜଲଦି କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଥିଲା। ଏହି କଂପ୍ଳେକ୍ସ ନିର୍ମାଣ ହେଲେ ବରିଷ୍ଠ ନାଗରିକ, ଦୃଷ୍ଟିବାଧିତ, ଶ୍ରବଣ ବାଧିତ, କୁଷ୍ଠ ରୋଗୀଙ୍କ ପାଇଁ ଚିକିତ୍ସାଳୟ, ନିଶା ନିବାରଣ କେନ୍ଦ୍ର, କିନ୍ନର ଥଇଥାନ କେନ୍ଦ୍ର, ଭିକାରୀ, କୁତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର, ଜରାଶ୍ରମ, ସ୍କୁଲ, ଖେଳପଡିଆ ଓ ମାନସିକ ଭିନ୍ନକ୍ଷମ ରୋଗୀମାନଙ୍କୁ ଆଶ୍ରୟ ମିଳପାରିବ। ତେବେ ଏହି କଂପ୍ଳେକ୍ସ ନିମନ୍ତେ ଆବଶ୍ୟକ ପଡୁଥିବା ୨୫ଏକର ଜାଗା ନିମନ୍ତେ ବିଭାଗୀୟ ଅଧିକାରୀ ତହସିଲଦାରମାନଙ୍କୁ ଚିଠି କରିଥିଲେ ସୁଦ୍ଧା କିଛି ଉତ୍ତର ମିଳି ନ ଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଗତ ୨୦୨୨ ଏପ୍ରିଲ,୨୦୨୩ ଜାନୁୟାରୀ ଓ ଅଗଷ୍ଟ ମାସରେ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ୨୫ ଏକର ଜାଗା ପ୍ରଦାନ ନେଇ ଜିଲ୍ଲାପାଳ ନିଜେ ଚିଠି କରିଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ଜଣେ ବି ତହସିଲଦାର ଏନେଇ ପଦକ୍ଷେପ ଉଠାଉନାହାନ୍ତି। କୋଲନରା ତହସିଲଦାର ବ୍ଲକରେ ଜାଗା ନଥିବା ନେଇ ସ୍ପଷ୍ଟ କରିଥିବା ବେଳେ ରାୟଗଡା ସମେତ ଅନ୍ୟ ତହସିଲଦାରମାନେ ଏବେ ସୁଦ୍ଧା ଏହାର ଉତ୍ତର ଦେଉନାହାନ୍ତି।

ଯାହାକୁ ନେଇ ବିଭାଗ ବି ଚୁପ ହୋଇ ବସିଛି। ଚିଠି ଦେଇ କାମ ସରିଯିବା ବାହାନା କରି ବିଭାଗ ଏନେଇ ତତ୍ପରତା ଦେଖାଉନଥିବାରୁ ତହସିଲଦାରମାନେ ମଧ୍ୟ ମୌନବ୍ରତ ପାଳନ କରୁଥିବା ଆଲୋଚନା ହେଉଛି। ୧୧ଟି ବ୍ଲକରେ ୨୫ ଏକର ଜାଗା ନ ମିଳିବା କ୍ଷୋଭର ବିଷୟ ବୋଲି କୁହାଯାଇଛି। ରାୟଗଡା ବ୍ଲକ କିମ୍ବା ରାମନାଗୁଡା ବ୍ଲକ ମଧ୍ୟରେ ଏହି କମ୍ପ୍ଲେକ୍ସଟି ନିର୍ମାଣ ହେଲେ ଲୋକେ ଉପକୃତ ହୋଇପାରନ୍ତେ ବୋଲି ଦାବି ଉଠିଛି। ଜାଗା ମିଳିଲେ ସରକାର ଟଙ୍କା ପ୍ରେରଣ କରିବା ପୂର୍ବରୁ ଡିଏମଏଫରୁ ଟଂକା ଖର୍ଚ୍ଚ କରି କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ କୁହାଯାଇଛି। ଗୋଟିଏ ସ୍ଥାନରେ ସମସ୍ତ ସାମଜିକ ସୁରକ୍ଷା ବିଭାଗରେ ଆସୁଥିବା କାର୍ଯ୍ୟାଳୟଗୁଡିକ ଏବଂ ଥଇଥାନ କେନ୍ଦ୍ର ରହିଲେ କାର୍ଯ୍ୟପ୍ରଣାଳୀ ସୁରୁଖୁରୁରେ ହେବା ସହ ଜିଲ୍ଲାର ଅସହାୟ ଲୋକେ ଦୌଡି ଦୌଡି ନୟାନ୍ତ ହେବେ ନାହିଁ।

ବର୍ତ୍ତମାନ ନୂତନ ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଂଗପୁର ଜିଲ୍ଲାରେ ଗତ ୫ ବର୍ଷ ହେଲା କାମ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାମ ସରିନଥିବା ଜଣାପଡିଛି। ଜିଲ୍ଲାର ସଦରମହକୁମା ସମେତ ବ୍ଲକ ସଦର ମହକୁମାରେ ମାନସିକ ଅଗ୍ରସର, ବିକୃତି ମସ୍ତିଷ୍କ ବ୍ୟକ୍ତି,ଅସହାୟ ବୃଦ୍ଧ ଓ ବୃଦ୍ଧା, ଦିବ୍ୟାଙ୍ଗମାନେ ବହୁ କଷ୍ଟରେ ରାସ୍ତା କଡରେ ଜୀବନଯାପନ କରୁଛନ୍ତି। ପ୍ରବଳ ଜାଡରେ ଦୋକାନ ପିଣ୍ଡା ସମେତ ଭଙ୍ଗା କଠୋରୀରେ ରାତ୍ରିଯାପନ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର