ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି, ସଂକଟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ସମ୍ପଦ

ସୁନ୍ଦରଗଡ଼: ୨୩ ବର୍ଷ ଧରି ବିନା ପଦୋନ୍ନତିରେ ତିନିଗୁଣ କାର୍ଯ୍ୟଭାର ବହନ କରି ସେବା କରୁଥିବା ପ୍ରାଣୀ ଚିକିତ୍ସକ ସରକାରଙ୍କଠାରେ ୪ ଦଫା ଦାବି ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ପ୍ରାଣୀଚିକିତ୍ସକଙ୍କ ପରି ସମାନ ପଦୋନ୍ନତି, କେନ୍ଦ୍ରୀୟ ହାରରେ ଏନପିଏ, ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା, ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଅନୁସାରେ ଡାକ୍ତରୀ ନିଯୁକ୍ତି, କ୍ୟାଡର ପୁନର୍ଗଠନ ଦାବି ରହିଛି।

କିନ୍ତୁ ସରକାର ନିରବ ଥିବାରୁ ପ୍ରତିବାଦରେ ଜାନୁଆରି ୧୮ରୁ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ଅଛନ୍ତି। ଯାହା ଫଳରେ ଚିକିତ୍ସା ନପାଇ ଅନେକ ନିରୀହ ପ୍ରାଣୀ କଲବଲ ହେଉଥିବା ଓ ଅନେକସ୍ଥାନରେ ପ୍ରାଣ ହରାଇଥିବା ସୂଚନା ଆସିଛି। ଚାଷୀଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନଥିବାବେଳେ ବୁଲା ଗାଈଗୋରୁ ଏବଂ କୁକୁରଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମାଜସେବୀ, ଗୋସେବା ମଞ୍ଚ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି। ସରକାରଙ୍କ ନିରବତା ପ୍ରାଣୀ ସମ୍ପଦର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ପ୍ରାଣୀଙ୍କ ସେବା ପ୍ରତି ସମ୍ବେଦନଶୀଳ ହୋଇ ତୁରନ୍ତ ପ୍ରାଣୀଚିକିତ୍ସକଙ୍କ ଦାବି ପୂରଣ କରି କାର୍ଯ୍ୟରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର