୨୮ ବର୍ଷରେ ଜଗନ୍ନାଥ ମନ୍ଦିର ନିର୍ମାଣ ସରିଲା; ୫ ଦିବସୀୟ ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ୨୮ବର୍ଷରେ ଶ୍ରୀ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସରିଛି। ଗୁରୁବାରଠାରୁ ୫ଦିନ ଧରି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ହୋମଯଜ୍ଞ ମାଧ୍ୟମରେ କରାଯାଉଥିବା ବେଳେ ଗଞ୍ଜାମ ଓ ପୁରୀରୁ ପଣ୍ଡିତମାନେ ଆସି ପୂଜା କାର୍ଯ୍ୟରେ ଯୋଗ ଦେଇଛନ୍ତି। ମନ୍ଦିର ପ୍ରତିଷ୍ଠା ଅବସରରେ ଲକ୍ଷ୍ମୀପୁର ଉତ୍ସବମୁଖର ହୋଇ ଉଠିଛି। ଚୁମ୍ବକୀୟ ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଛି।

ଗୁରୁବାର ଦିନ ଅଞ୍ଚଳର ଶତାଧିକ ମହିଳା ସ୍ଥାନୀୟ ଘୋଡାବନ୍ଧରୁ ପୂଜାର୍ଚ୍ଚନା କରି କଳସରେ ପାଣି ଧରି ଶୋଭାଯାତ୍ରାରେ ଆସି ମନ୍ଦିର ନିକଟରେ ଘଣ ସ୍ଥାପନ ପରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ମନ୍ଦିର କାର୍ଯ୍ୟରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି। ମନ୍ଦିର ପରିଚାଳନା କମିଟି ସହଯୋଗରେ ପ୍ରତିଷ୍ଠା ଉତ୍ସବ ଆରମ୍ଭ କରାଯାଇଛି। ଏହି ଅବସରରେ ଅଙ୍କୁରାରୋପଣ, ଧାନ୍ୟାଦିବାସ, କଳସଯାତ୍ରା କର୍ମାରମ୍ଭ ଯଜ୍ଞଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା, ଗୋପୂଜା, ଗୁରୁପୂଜା, ଦେବତା ଆବାହନ, ଦେବତା ମହାସ୍ନାନ ଓ ଶୟନ, ପ୍ରାଣ ପ୍ରତିଷ୍ଠା, ନାମଯଞ୍ଜ, ପୂର୍ଣାହୁତି, ଚତୁର୍ଦ୍ଧାମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ, ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ୫ଦିନରେ ଅନୁଷ୍ଟିତ ହେବ। ଭଜନ ସମାରୋହ, ଅଷ୍ଟପ୍ରହରୀ ନାମଯଜ୍ଞ, ପ୍ରବଚନ ଭଳି କାର୍ଯ୍ୟକ୍ରମ ପ୍ରତ୍ୟହ ଅନୁଷ୍ଠିତ ହେଉଛି।

ସୂଚନାଯୋଗ୍ୟ, ୧୯୯୫ରେ ଗାଁର ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ସାହୁ, ରଘୁନାଥ ମଲ୍ଲିକ, କ୍ରିଷ୍ଣା ରାଓ, ନିରଞ୍ଜନ ବିଡିକ୍, ରାଜମେସ୍ତ୍ରୀ ରାମଚନ୍ଦ୍ର ସାହୁ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମାଧବ କର୍କରାଙ୍କ ଭଳି କିଛି ବ୍ୟକ୍ତିଙ୍କ ଦ୍ବାରା କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ଚତୁର୍ଦ୍ଧା ମୂର୍ତ୍ତି ଅଣାଯାଇ ଏକ ଅସ୍ଥାୟୀ ଆଜବେଷ୍ଟସ ଘରେ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା କରାଯାଉଥିଲା। କିଛିବର୍ଷ ପରେ କମିଟି ଦ୍ବାରା ଏକ ସ୍ଥାୟୀ ମନ୍ଦିର କରାଯିବା ସକାଶେ ନିଷ୍ପତ୍ତି ନିଆଯିବା ପରେ ଚତୁର୍ଦ୍ଧା ମୂର୍ତ୍ତିକୁ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯାଇ ଆଜବେଷ୍ଟସ ଘରକୁ ଭଙ୍ଗାଯାଇଥିଲା। ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୩ରେ ଏକ ଭବ୍ୟ ମନ୍ଦିର ନିର୍ମାଣ ସରିଛି। କମିଟିର ସଭାପତି ଦିନବନ୍ଧୁ ସାହୁ, ସମ୍ପାଦକ ଅଭିମନ୍ୟୁ ସାହୁ, ହରେକୃଷ୍ଣ ସାହୁ, ଭି.ରାମୁ, ହୃଷୀକେଶ ସାହୁଙ୍କ ଅକ୍ଲାନ୍ତ ପରିଶ୍ରମ ସହ କମିଟି ସଦସ୍ୟ ଦିଲ୍ଲୀପ ବିଡିକା, ବଳରାମ ଖରା, ପି. ସୂର୍ଯ୍ୟ, ଭାସ୍କର ସୂଚେନ, ପ୍ରମୋଦ କିଶୋର ଗରଡା, ତ୍ରିନାଥ ମହାରଣା, ଝାଡୁ ବାଘଙ୍କ ଭଳି ଅନେକ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଟା ହୋଇପାରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର