ମାନବିକତା ଦେଖାଇଲେ କୋଟପାଡ଼ ବିଧାୟିକା, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନେଲେ ଡାକ୍ତରଖାନା

ବୋରିଗୁମ୍ମା: ସଡ଼କ ଦୁର୍ଘଟଣାରେ ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ସେମାନଙ୍କୁ ଡାକ୍ତରଖାନା ନେଇ କୋରାପୁଟ ଜିଲ୍ଲା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ନିଜର ମାନବିକତା ଦେଖାଇଛନ୍ତି। ଆଜି ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ଶଶାହାଣ୍ଡି ନିକଟରେ ଏକ ବାଇକ ଯୋଗେ ତିନି ଜଣ ଯୁବକ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସେମାନେ ଛିଟିକି ପଡ଼ି ଆହତ ହୋଇଥିଲେ। ଆହତମାନଙ୍କର ପରିଚୟ ମିଳିପାରି ନାହିଁ। ସେମାନେ ଜୟପୁର ଅଞ୍ଚଳର ବୋଲି କୁହାଯାଉଛି।

ସୂଚନା ଅନୁସାରେ ଜୟପୁରର ୩ ଜଣ ଯୁବକ ଏକ ବାଇକରେ କୋଟପାଡ଼ ଅଭିମୁଖେ ଯାଉଥିଲେ। ସେମାନେ ୬୩ ନମ୍ବର ଜାତୀୟ ରାଜପଥର ଶଶାହାଣ୍ଡି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯୁବକମାନେ ରାସ୍ତାରେ ଆହତ ହେବାର ଅଳ୍ପ ସମୟ ପରେ ସେହି ରାସ୍ତା ଦେଇ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଆସୁଥିଲେ। ସେ ଆହତ ବ୍ୟକ୍ତିମାନଙ୍କୁ ଦେଖି ତୁରନ୍ତ ନିଜ ଗାଡ଼ିରେ ବସାଇଥିଲେ। ଆହତମାନଙ୍କୁ ନେଇ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କୁ ସ୍ଥାନୀୟ ଅଞ୍ଚଳର ଚନ୍ଦନ ନାୟକ ଓ ସମୟ ପ୍ରଧାନ ସହଯୋଗ କରିଥିଲେ। ବିଧାୟିକାଙ୍କ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର