ଜମିଜମାକୁ କେନ୍ଦ୍ର କରି ବଙ୍ଗାଳୀ ଏବଂ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଜାରି

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୯୩ ଗ୍ରାମ ନିକଟରେ ରହିଥିବା ପ୍ରାୟ ତିରିଶି ଏକର ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଠାରେ ରହୁଥିବା ବଙ୍ଗାଳୀ ଏବଂ ଆଦିବାସୀଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ତେବେ ପ୍ରଶାସନ ଏବଂ ପୁଲିସ ପହଞ୍ଚି ଘଟଣାକୁ ଶାନ୍ତ କରିଥିଲେ। ଘଟଣା ଅନୁଯାୟୀ ଦୀର୍ଘବର୍ଷ ଧରି ବଙ୍ଗାଳୀ ଲୋକେ ଏଠାରେ ରହିଥିବା ଜମିରେ ଚାଷ କରି ଆସୁଥିଲେ। ତେବେ ଆଜି କୁଲାପାଲୀ ଅଞ୍ଚଳର ଲୋକେ ଟ୍ରାକ୍ଟର ଧରି ଏଠାରେ ଚାଷ କରିବା ସହ ବନ ବିଭାଗ ପକ୍ଷରୁ ଗଛ ଲାଗି ବୋଲି ଯିଦ ଧରିଥିଲେ। ତେବେ ଏହି ସମୟରେ ବଙ୍ଗାଳୀ ଏବଂ ଆଦିବାସୀଙ୍କ ମଧ୍ୟରେ ଯୁକ୍ତିତ୍ତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଆଦିବାସୀଙ୍କ ଅଭିଯୋଗ ହେଲା ସେମାନେ ଆମ ଉପରେ ମରିଚ ଗୁଣ୍ଡ ଫିଙ୍ଗିବାରୁ ଆମେ ଆକ୍ରମଣ କଲୁ। ତେବେ ଦୁହିଁଙ୍କ ପଟରୁ ବହୁ ଲୋକ ଆହତ ହୋଇଛନ୍ତି।

ସମସ୍ତେ ପାଣ୍ଡ୍ରିପାଣି ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାପଡିଛି। ଖବର ପାଇ ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗ ଏକ ଟିମ ଧରି ଘଟଣା ସ୍ଥଳରେ ପହଞ୍ଚିଲେ। ସେହିପରି ଏହି ସ୍ଥାନଟି ମାଥିଲି ତହସିଲ ଅନ୍ତର୍ଭୁକ୍ତ ହୋଇଥିବାରୁ ମାଥିଲି ତହସିଲାଦର ଚନ୍ଦନ କୁମାର ଭୋଇ ଏବଂ ବିଜେଡିର ସାଂଗଠାନିକ ସଂପାଦକ ନୃସିଂହ ଜରଣ ମହାନ୍ତି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହି ଜାଗା ସଂପୂର୍ଣ୍ଣ ରୂପେ ସରକାରଙ୍କର ବୋଲି କୁହାଯାଇଥିଲା। ତେଣୁ ଏହାକୁ କେହି ମଧ୍ୟ ଅକ୍ତିଆର କରିପାରିବେ ନାହିଁ ବୋଲି ତହସିଲଦାର କହିବା ସହ ୧୪୪ ଧାରା ଲାଗୁ କରିଥିଲେ। ଯଦି ଏହି ଜମିରେ କେହି ପ୍ରବେଶ କଲେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଦୁଇ ପକ୍ଷରୁ ଏହାକୁ ରାଜି ହୋଇଥିଲେ। ପରିସ୍ଥିତି ଶାନ୍ତ ପଡିବା ପରେ ଜମିର ଚାରିପଟେ ଲାଲ ଫିତା ବନ୍ଧାଯାଇଥିଲା। ତେବେ ଦୁହିଁଙ୍କ ପଟରୁ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି। ଆଇଆଇସି ଏନେଇ କେଶ ରୁଜୁ କରିଥିବା ମଧ୍ୟ ଜଣାପଡିଛି।

ସମ୍ବନ୍ଧିତ ଖବର