ପଲିଥିନ୍ ଧରପଗଡ଼୍ : ୧ଲକ୍ଷ ୭୭ହଜାର ୮୬୪ଟଙ୍କା ଜୋରିମାନା ଆଦାୟ

ଜୟପୁର: ଆଜି ଜୟପୁର ପୌରପାଳିକା ପକ୍ଷରୁ ଦୈନିକ ବଜାର ଉପରେ ୫୦ମାଇକ୍ରୋନ ତଳକୁ ରହିଥିବା ପଲିଥିନକୁ ନେଇ ଅଚାନକ ଚଢ଼ାଉ କରାଯାଇଥିଲା। ୧୮ଟି ଦୋକାନରୁ ୧୫୦ କିଲୋ ପଲିଥିନ୍ ଜବତ କରାଯାଇଥିଲା। ଜୋରିମାନା ବାବଦକୁ ୪୧ହଜାର୮୦୦ ଟଙ୍କା ଆଦାୟ କରାଯାଇଥିଲା।

ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କ ନେତୃତ୍ବରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ପୌରସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ ପାଢ଼ୀ, ଅତିରିକ୍ତ ତହସିଲଦାର ଅଶ୍ୱିନ ମହାପାତ୍ର ଏଥିରେ ଭାଗ ନେଇଥିଲେ। ଚାଉଲଟ୍ରୀ ରୋଡ ଓ ଦୈନିକ ବଜାର ମଧ୍ୟରେ ଚଢ଼ାଉ ଜାରୀ ରହିଥିବା ବେଳେ ବହୁ ଦୋକାନୀ ପଲିଥିନ୍ ଲୁଛାଇବା ଆରମ୍ଭ କରିଥିଲେ। ଏପରିକି କିଛି ସମୟ ପାଇଁ ଦୈନିକ ବଜାରର କିଛି ରାସନ ଦୋକାନ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା। ବାରମ୍ବାର ଚଢ଼ାଉ ସତ୍ବେ କିଛି ଅମାନିଆ ବେପାରୀ ୫୦ମାଇକ୍ରୋନ୍ ତଳକୁ ଥିବା ପଲିଥିନ୍ ଆଣି ସେଥିରେ ସାମଗ୍ରୀ ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା।

ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ଏଭଳି ପଲିଥିନ୍ ଧରା ପଡିଥିବା ବେଳେ ୫୦୦ଟଙ୍କା ଜୋରିମାନା ପକା ଯାଇଥିଲା। ତେବେ ସେ ଥରକ କ୍ଷମା କରିବାକୁ ଅନୁରୋଧ କରିଥିଲେ ହେଁ କେହି ଶୁଣି ନଥିଲେ। ଆଗାମୀ ଦିନରେ ଏଭଳି ଅଚାନକ ଚଢ଼ାଉ ଜାରୀ ରହିବ ବୋଲି ସୂଚନା ମିଳିଛି। ଅନ୍ୟ ପକ୍ଷରେ ସହରରେ ଏହି ବ୍ୟବସାୟ ବଡ଼ ଧରଣର କରୁଥିବା କିଛି ବ୍ୟବସାୟୀ ରହିଥିବାରୁ ସେମାନଙ୍କ ଗୋଦାମ ଉପରେ ଅଚାନକ ଚଢ଼ାଉ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର