ହୀରାକୁଦରେ ଏଥର ରେକର୍ଡସଂଖ୍ୟକ ପକ୍ଷୀ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି। ଏଥର ଏହି ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚାନେଲ୍ ଜଳାଶୟରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୪୨ହଜାର ୩୪୫ଟି ପକ୍ଷୀ ଥିବା ଗତ ୮ ତାରିଖରେ ହୋଇଥିବା ଗଣନାରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ଉଭୟ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଛି। ଏବର୍ଷ ୧୧୩ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ ତୁଳନାରେ ୨୫ ହଜାରରୁ ଅଧିକ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଛନ୍ତି। ୧୧୩ ପ୍ରଜାତି ମଧ୍ୟରୁ ୨୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି, ଯେଉଁମାନେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି। ଏହି ନୂଆ ପ୍ରଜାତିର ପକ୍ଷୀମାନେ ହେଲେ ଗ୍ଲୋସି ଇବିସ୍‌, ବ୍ଲାକ୍‌ ବିଟର୍ନ, କମନ ସ୍ନାଇପ୍‌, ରେଡ୍‌ ରମ୍ପଡ୍‌ ସ୍ବାଲୋ, ହ୍ବାଇଟ୍‌ ଵାଗଟେଲ୍‌, ସାଇବେରିଆନ୍‌ ଷ୍ଟୋନ୍‌ଚାଟ୍‌, ପାମ୍‌ ସ୍ବିଫ୍ଟ, କମନ କେଷ୍ଟ୍ରେଲ୍‌, ଚେଷ୍ଟନଟ୍‌ ବିଟର୍ନ, ବ୍ରାଉନ୍‌ କ୍ରେକ୍‌, ଵାଟର୍‌କକ୍‌ ଗାଲିକ୍ରେକ୍ସ, ବ୍ରିଥିସ ରିଡ୍‌ ରାବଲର୍‌, ଇଣ୍ଡିଆନ୍‌ ଥିକ୍‌ ନି, ସର୍ଟ ଟୋଏଡ୍‌ ସ୍ନେକ୍‌ ଇଗଲ, ଇଣ୍ଡିଆନ୍‌ ବୁସଲାର୍କ, କମନ ଗ୍ରିନ୍‌ ସାଙ୍କ୍‌, ୟୁରାସିଆନ ରିନେକ୍‌, ନବ୍‌ ବାଇଲ୍‌ଡ ଡକ୍‌, ଗ୍ରିନ୍‌ ସ୍ୟାଣ୍ଡ୍‌ପାଇପର୍‌, ଜିଟିଂ ସିଷ୍ଟିକୋଲା। ଚଳିତ ବର୍ଷ ଜଳଭଣ୍ଡାରକୁ ସର୍ବାଧିକ ସଂଖ୍ୟାରେ ଆସିଥିବା ପ୍ରଜାତିଙ୍କ ମଧ୍ୟରେ ଟଫ୍‌ଡ ଡକ୍‌ ୫୨ ହଜାର ୫ ଶହ ୧୬, ଲେଜର୍‌ ହ୍ବିସଲିଂ ଡକ୍‌ ୪୯ ହଜାର ୨ ଶହ ୫୯, ରେଡ୍‌ କ୍ରିଏଟେଡ୍‌ ପୋଚାର୍ଡ ୩୩ ହଜାର ୪ ଶହ ୩୪ଟି ଅଛନ୍ତି। କେବଳ ଏହି ତିନି ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ମିଶି ୧ ଲକ୍ଷ ୩୫ ହଜାରରୁ ଅଧିକ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।


ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପିଥିବା ହୀରାକୁଦ ଜଳଭଣ୍ଡାରର ୫୦୦ କିମିକୁ ୨୧ଟି ସେକ୍ଟରରେ ଭାଗ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ବରଗଡ଼ ଜିଲ୍ଲା ଓଡ଼ିଶା-ଛତିଶଗଡ଼ ସୀମା ଲଉନସରା ଅଞ୍ଚଳରେ ଥିବା ସେକ୍ଟର୍‌-୭ରେ ୬୫ ପ୍ରଜାତିର ସର୍ବାଧିକ ୪୮,୦୩୬ଟି ପକ୍ଷୀ ଓ ସେକ୍ଟର୍‌-୮ରେ ୬୧ ପ୍ରଜାତିର ୪୪,୮୧୮ଟି ପକ୍ଷୀ ଏବଂ ଝାରସୁଗୁଡ଼ା ଜିଲ୍ଲା ଝାରପଡ଼ା ଅଞ୍ଚଳସ୍ଥିତ ସେକ୍ଟର୍‌-୯ରେ ୬୮ ପ୍ରଜାତିର ୩୪,୨୫୧ଟି ପକ୍ଷୀଙ୍କୁ ଗଣତି କରା ଯାଇଥିଲା। ଏହି ୩ଟି ସେକ୍ଟର୍‌ରେ କେବଳ ଦେଢ଼ଲକ୍ଷ ପାଖାପାଖି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ସାଇବେରିଆ, ଆମେରିକା, ୟୁରୋପ୍‌, ୟୁନାଇଟେଡ୍‌ କିଙ୍ଗଡମ୍‌, ଅଷ୍ଟ୍ରେଲିଆ, ଋଷିଆ, ଏସିଆର ବିଭିନ୍ନ ପ୍ରାନ୍ତରୁ ପକ୍ଷୀମାନେ ଆସିଥିବା କହାଯାଇଛି।
ଚଳିତବର୍ଷ ନୂଆ ପକ୍ଷୀଙ୍କୁ ଚିହ୍ନଟ କରିଥିବା ବିଶେଷଜ୍ଞ ଓ ବନ କର୍ମଚାରୀମାନେ ହେଲେ ଡ. ପ୍ରକାଶ ଜେନା, ସଂଜୀବ ପରିଡ଼ା, ସୌରଭ ଜେନା, ଶିଶିର କର, ସୁନୀଲ ନାୟକ, ନୀଳାଞ୍ଚଳ ଜେନା, ସୁଧାଂଶୁ ବିଶ୍ବାଳ, ଅବିନାଶ ନାୟକ, ଅରିନ୍ଦମ ପରିଚ୍ଛା, ଆଶିଷ ଶୁକ୍ଳା, ପ୍ରଶାନ୍ତ ପ୍ରଧାନ, ସୁବ୍ରତ ନାଥ, ନରେନ ମଲ୍ଲିକ, ଦେବାଶିଷ ସୁବୁଦ୍ଧି, ସବ୍ୟସାଚୀ ପଟ୍ଟନାୟକ, ଦିନେଶ ମିଶ୍ର, ସଂଜୀବ ପଣ୍ଡା, ଭୁବନେଶ୍ବର ପାତ୍ର, ଭୁବନେଶ୍ବର ମୁଦୁଲି, ଜହ୍ନାବିରାନି ଖୁଣ୍ଟିଆ ଓ ଧର୍ମେନ୍ଦ୍ର ବଗର୍ତ୍ତି। ବିଗତ ବର୍ଷ ଗୁଡ଼ିକ ତୁଳନାରେ ଏହି ସଂଖ୍ୟା ଚଳିତବର୍ଷ ବଢ଼ିଥିବାରୁ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ହୀରାକୁଦ ଜଳଭଣ୍ଡାର ପକ୍ଷୀ ଗଣନାରେ ୨୦୨୦ରେ ୯୩ ପ୍ରଜାତିର ୯୭ ହଜାର ୮୯୯ଟି, ୨୦୨୧ରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ଟି, ୨୦୨୨ରେ ୧୦୪ ପ୍ରଜାତିର ୨ଲକ୍ଷ ୮ ହଜାର ୬୩୪ଟି ପକ୍ଷୀ, ୨୦୨୩ରେ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର