ନାଗାବଳୀ କୂଳରେ ବି ଶୋଷ ମେଣ୍ଟୁନି

ରାୟଗଡ଼ା : ନାଗାବଳୀ କୂଳରେ ବି ପାଣି ପାଇଁ ଦହଗଞ୍ଜ ହେବାକୁ ପଡୁଛି। ନଦୀକୂଳିଆ ୧୨୩ଟି ଗାଁରୁ କୌଣସି ଗୋଟିଏରେ ପାନୀୟ ଜଳ ସୁବିଧା ନାହିଁ। କେଉଁଠି ନଳକୂଅ ଅଚଳ ତ ଆଉ କେଉଁଠି ପାଣି ଆଦୌ ବାହାରୁ ନାହିଁ। ଗ୍ରୀଷ୍ମ ଆସିଲେ ଲୋକଙ୍କ ସମସ୍ୟା ଦୁଇଗୁଣିତ ହୋଇଯାଉଛି। ଯେଉଁ ନଳକୂ୍ଅରୁ ପାଣି ବାହାରୁଛି ସେଠାରେ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିଯାଉଛି। କହିବାକୁ ଗଲେ ସାରା ରାୟଗଡ଼ା ଜିଲ୍ଲାରେ ଅନୁରୂପ ସମସ୍ୟା ରହିଛି। ଅନେକ ସ୍ଥାନରେ ଲୋକେ ଝରଣା ଓ ଚୁଆ ପାଣି ଉପରେ ନିର୍ଭର କରି ଚଳୁଛନ୍ତି।

ଜିଲ୍ଲାର ୧୧ଟି ବ୍ଲକରେ ଲୋକେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ଜିଲ୍ଲାରେ ଯଥେଷ୍ଟ ଜଳଉତ୍ସ ରହିଛି। ନାଗାବଳୀ, ଝଞ୍ଜାବତୀ ଏବଂ କଲ୍ୟାଣୀ ହେଉଛି ମୁଖ୍ୟ ଉତ୍ସ। ତେବେ ଗ୍ରୀଷ୍ମ ପ୍ରବାହରରେ ନଦୀଗୁଡିକ ଏବେ ଶୁଖିବାକୁ ବସିଲାଣି। ଜଳସ୍ତର ଏତେ ତଳକୁ ଚାଲିଯାଇଛି ଯେ, ନଦୀ କୂଳିଆ ଗାଁଗୁଡିକରେ ନା ମିଳୁଛି ନଦୀ ପାଣି ନା ନଳକୂଅ ପାଣି। ଚୁଆ ପାଣି ଉପରେ ଲୋକେ ନିର୍ଭର କରୁଛନ୍ତି। ଲୋକେ ଚୁଆ ପାଣି ପିଇ ନାନା ସଂକ୍ରାମକ ରୋଗରେ ପଡୁଛନ୍ତି। ଜିଲ୍ଲାରେ ୧୩୬୦୯ ନଳକୂଅ ରହିଛି। କୂଅ ସହ ନଳକୂଅ ୧୨୯୧ ରହିଛି। ୪୮୩ ଗାଁକୁ ପାଇପ ଯୋଗେ ପାଣି ଯୋଗାଣ ହେଉଛି। ୧୬୦ ଗାଁକୁ ଝରଣାରେ ପାଇପ୍‌ ଲଗାଯାଇ ପାଣି ଯୋଗାଣ ହେଉଛି। ସୋଲାର ପମ୍ପ ସାହାଯ୍ୟରେ ୭୧୦ ଗାଁକୁ ପାଣି ମିଳୁଛି। ଏହା ସତ୍ତ୍ବେ ଜିଲ୍ଲାର ୨ଲକ୍ଷ ୩୬ହଜାର ୧୪୭ ପରିବାରର ୯ଲକ୍ଷ ୮୬ ହଜାର ୧୭୭ ଲୋକଙ୍କୁ ପାଣି ଯୋଗାଇବା ଏକ ପ୍ରକାର ମୁସ୍କିଲ ହୋଇପଡୁଛି।


ଜିଲ୍ଲାରେ ଏତ‌େ ସଂଖ୍ୟକ ଜଳଉତ୍ସ ରହିଥିଲେ ହେଁ ଲୋକେ ପାଣି ପାଇଁ ପ୍ରତିଦିନ ସନ୍ତୁଳି ହେଉଛନ୍ତି। ରାୟଗଡ଼ା ସଦର ମହକୁମାରେ ପାଣି ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣା ଦେଇଥିଲେ। ସଦରରେ ଏପରି ଅବସ୍ଥା ହୋଇଥିବା ବେଳେ ଜିଲ୍ଲାର ୧୮୨ ଟି ପଞ୍ଚାୟତର ଦୁର୍ଗମ ଗାଁରେ ସ୍ଥିତି କିଭଳି ତାହା ସହଜରେ ଅନୁମେୟ। ଗତ କିଛି ବର୍ଷ ହେବ ରାୟଗଡ଼ା ସହରରେ ଜଳସ୍ତର କମୁଥିବା ସରକାରୀ ରିପୋର୍ଟ କହୁଛି। ସଦର ମହକୁମାରେ ଭୂ-ତଳ ଜଳସ୍ତର ୨୦୧୯ ରେ ୨୧୧୮ ମିଟର ଥିଲା। ୨୦୨୧-୨୨ ରେ ଏହା ୨୨୨୩ ମିଟର ତଳକୁ ଖସିଯାଇଛି। ଭୂ-ତଳ ଜଳ ଖସୁଥିବାରୁ ଅନେକ ଗାଁରେ ଜଳ ସମସ୍ୟା ରହୁଥିବା ଜଳ ଓ ପରିମଳ ବିଭାଗ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ସ୍ବୀକାର କରୁଛନ୍ତି। ସମସ୍ୟା ଦୂର କରିବାକୁ ନୂଆ ନଳକୂଅ ଖୋଳାଯିବ ବୋଲି ଅଧିକାରୀମାନେ କହୁଛନ୍ତି। ଜିଲ୍ଲାର ୧୪ ହଜାରରୁ ଅଧିକ ନଳକୂଅରୁ ମାତ୍ର ୧୦୦ ଟି ଅଚଳ ବୋଲି ରିପୋର୍ଟ କହୁଛି। ‌ହେଲେ ବାସ୍ତବରେ ଏକ ହଜାରରୁ ଅଧିକ ଅଚଳ ରହିଛି। ପ୍ରାୟ ପ୍ରତିଦିନ ବ୍ଲକଗୁଡିକରେ ପାଣି ପାଇଁ ଲୋକେ ବିଡିଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରୁଛନ୍ତି। ସମସ୍ୟା ଦୂର କରିବାକୁ ଗୁଣପୁର, ବିଷମକଟକ ଓ କାଶୀପୁରରେ ତିନୋଟି ମେଗା ପ୍ରକଳ୍ପ ନିର୍ମାଣ ଚାଲିଛି। ପ୍ରକଳ୍ପ ହେଲେ ଗୁଣୁପୁର ବ୍ଲକରେ ୯୫ ଟି ଗାଁ ଲୋକେ, ବିଷମକଟକରେ ୨୬୪ ଟି ଗାଁର ଲୋକେ ଏବଂ କାଶୀପୁରରେ ୪୧୮ ଟି ଗାଁ ଲୋକେ ସ୍ବଚ୍ଛ ପାଣି ପାଇପାରିବେ ବୋଲି ବିଭାଗ କହିଛି। ଅନ୍ୟ ବ୍ଲକଗୁଡିକରେ ବହୁମୁଖୀ ଯୋଜନାରେ ପାଣି ଯୋଗାଣ କରାଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର