ଲିଙ୍କ୍ ରୋଡ୍‌‌ରେ କୁଢ଼ କୁଢ଼ ଆବର୍ଜନା

ଶିକ୍ଷାନୁଷ୍ଠାନ ସମ୍ମୁଖରୁ ବି ଉଠୁନି ଅଳିଆ

କଟକ: ଅରୁ‌ଣୋଦୟ ମାର୍କେଟ ଲିଙ୍କ୍‌ ରୋଡ ରୁବି ପ୍ଲାଜା ସମ୍ମୁଖରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ। ଜନବସତି ଅଞ୍ଚଳ ହୋଇଥିଲେ ମଧ୍ୟ ସବୁ ଦିନ ଏଠାରୁ ଅଳିଆ ଉଠାଯାଉନି। ଏପରି କି ଯେଉଁ ଦିନ ଉଠୁଛି, ତାହା ଦିନ ୧୨ଟା ପରେ। ଦୀର୍ଘ ସମୟର ଧରି ଅଳିଆ ଜମା‌ ହେବା ଦ୍ବାରା ଦୁର୍ଗନ୍ଧ ବାହାରିବା ସହିତ ଅଳିଆଗଦାକୁ ନେଇ ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟୁଛି। ସିଏମ୍‌ସି ପକ୍ଷରୁ ସ୍ଥାନୀୟ ପରିମଳ ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ଅରୁଣୋଦୟ ମାର୍କେଟ ରୁବି ପ୍ଲାଜାରେ ଓଡ଼ିଶା କମ୍ପ୍ୟୁଟର ଏକାଡେମି ସମେତ ୫ଟି ଘରୋଇ ଶିକ୍ଷାନୁଷ୍ଠାନ ଓ କିଛି ବ୍ୟବସାୟ ପ୍ରତିଷ୍ଠାନ ରହିଛି। ପ୍ରତି ଦିନ ଏଠାକୁ ୨ରୁ ୩ହଜାର ଛାତ୍ରଛାତ୍ରୀ ଓ ବିଭିନ୍ନ ବ୍ୟକ୍ତିବି‌ଶେଷ ଯା’ଆସ କରୁଛନ୍ତି।

ରୁବି ପ୍ଲାଜା ସମ୍ମୁଖରେ ତଥା ଲିଙ୍କ୍ ରୋଡ ପାର୍ଶ୍ବରେ ସିଏମ୍‌ସି ପକ୍ଷରୁ କିଛି ଦିନ ହେବ ଏକ ଅସ୍ଥାୟୀ ଅଳିଆ ପଏଣ୍ଟ କରାଯାଇଛି। ବିଭିନ୍ନ ସାହିରୁ ଅଳିଆ ଉଠାଇ ଏଠାରେ ଗଦା କରାଯାଉଛି। କିନ୍ତୁ ନିୟମିତ ଭା‌ବେ ଏଠାରୁ ଅଳିଆ ଉଠାଯାଉନାହିଁ। ଅଳିଆ ଦୀର୍ଘ ସମୟ ରହିବା ଦ୍ବାରା ଦୁର୍ଗନ୍ଧ ବାହାରି ପରିବେଶକୁ ଦୂଷିତ କରୁଛି। ରାସ୍ତାରେ ଅଳିଆ ଗଦା ହେବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ଦୁର୍ଘଟଣା ମଧ୍ୟ ଘଟୁଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ବ୍ୟବସାୟୀ ଓ ସେଠାକୁ ଆସୁଥିବା ଛାତ୍ରଛାତ୍ରୀ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେଠାକୁ ଆସୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷିକା, ବ୍ୟବସାୟୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅଳିଆ ପଏଣ୍ଟରେ ଗଦା ହୋଇଥିବା ଆବର୍ଜନାକୁ ତୁରନ୍ତ ଉଠାଇବା ଓ ଅଳିଆ ପଏଣ୍ଟକୁ ପୂର୍ବରୁ ଥିବା ଜାଗାକୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର