ମାଲକାନଗିରିରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉତ୍କଳ ସମ୍ମିଳନୀର ମାଲକାନଗିରି ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ପଟନାୟକ ଅଧ୍ୟକ୍ଷତା କରିଥିବା ବେଳେ କାଡା ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ପାଣିଗ୍ରାହୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ, କୃଷକ ସମ୍ବାଦର ସଂପାଦକ ଭାସ୍କର ଚନ୍ଦ୍ର ବେହେରା, ବାର ଆସୋସିଏସନର ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁ, ଶିକ୍ଷାବିତ କବିର ବେହେରା, ଅଧ୍ୟାପକ ରମେଶ ଚନ୍ଦ୍ର ରାଉତ, ଲକ୍ଷ୍ମୀଧର କୁଜୁର, ପ୍ରଦୀପ ଓରାମ, ଡି.ଗୁପ୍ତେଶ୍ବର ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳ ମାଟିର ଗୌରବକୁ ସମସ୍ତେ ମନେ ପକାଇଥିଲେ। ଶ୍ରୀ ବେହେରା ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଉତ୍କଳର ସୀମା ସୁରକ୍ଷା ଓ ଭାଷା ଅସୁରକ୍ଷିତ ରହିଛି। ଏବେ ସମସ୍ତେ ଏକଜୁଟ ହେବାର ସମୟ ଆସିଛି ବୋଲି ସେ କହିଥିଲେ। ଦୁର୍ଗା ତ୍ରିପାଠୀ କହିଥିଲେ ଯେ ସମସ୍ତ ଜିଲ୍ଲାରେ ଏହି ଦିବସକୁ ପାଳନ କରିବା ସହ ଏହି ଦିନ ଛୁଟି ଘୋଷଣା କରାଯିବା ଉଚିତ। ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡିଆ ଭାଷାର ଉତ୍ପତି ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଶେଷରେ ସଭାପତି ଶ୍ରୀ ପଟ୍ଟନାୟକ ଓଡିଆ ଭାଷାର ଆଭିମୁଖ୍ୟ ଉପରେ କହିବା ସହ ଜିଲ୍ଲାରେ ଓଡିଆ ଭାଷା ବିପନ୍ନ ହେବାକୁ ଯାଉଛି ବୋଲି କହିଥିଲେ। ଶେଷରେ କବିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର