ଏଭଳି ଅବହେଳାକୁ ଇତିହାସ କ୍ଷମା ଦେବନି

ନିରଞ୍ଜନ ପଟ୍ଟନାୟକ

ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛିି। ପ୍ରଥମେ ବିଦେଶରୁ ଆସିଥିବା କିଛି ବ୍ୟକ୍ତିଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା କିଛି ବ୍ୟକ୍ତି ଓ ତା’ପରେ ପଶ୍ଚିମବଙ୍ଗ ଫେରନ୍ତା ଶ୍ରମିକମାନେ ଏହି ରୋଗରେ ଆକ୍ରାନ୍ତ ହେବା ଦେଖାଯାଇଥିଲା।

ସଦ୍ୟ ଘଟଣା କ୍ରମରେ ଗୁଜୁରାଟ ରାଜ୍ୟର ଶିଳ୍ପ ସହର ସୁରତରୁ ଫେରିଥିବା ଆମର ଅନେକ ଶ୍ରମିକ ଭାଇମାନେ ଏହି କୋଭିଡ୍‌-୧୯ରେ ଆକ୍ରାନ୍ତ ହେବାର ଦେଖାଯାଇଛି। ଆହୁରି ଅନେକ ଶ୍ରମିକ ଭାଇମାନେ ଏଥିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ପ୍ରକାଶ ପାଉଛି। ସବୁଠୁ ଦୁଃଖର କଥା ଏହି ଆଶଙ୍କାକୁ ଆଧାର କରି କିଛି ବ୍ୟକ୍ତି ବିଶେଷ ସୁରତରୁ ପ୍ରବାସୀ ଶ୍ରମିକମାନଙ୍କୁ ଓଡ଼ିଶାକୁ ନଅଣାଯାଉ ବୋଲି ଯୁକ୍ତି ବାଢ଼ିଲେ ଏବଂ ଏପରିକି ହାଇକୋର୍ଟ ଗଲେ। ଗତ ୭ ତାରିଖ ଦିନ ହାଇକୋର୍ଟ ତା’ଙ୍କ ରାୟରେ କହିଲେ ‘ଦି ଷ୍ଟେଟ୍ ଗଭର୍ଣ୍ଣମେଂଟ୍ ସୁଡ୍ ଏନସିଓର ଦ୍ୟାଟ୍ ଅଲ ଦି ମାଇଗ୍ରାଂଟ୍‌ସ ହୁ ଆର ଇନ୍ କ୍ୟୁ ଟୁ କମ୍ ଟୁ ଓଡିଶା ସୁଡ୍ ବି ଟେଷ୍ଟଡ୍ ନେଗେଟିଭ୍ ବିଫୋର ବୋର୍ଡିଂ କନଭେୟାନ୍‌ସ’ । ଏହାର ଅର୍ଥ ହେଲା ଯେଉଁ ଓଡ଼ିଆ ଶ୍ରମିକମାନେ ରାଜ୍ୟକୁ ଫେରିବାକୁ ଚାହୁଛନ୍ତି ଓଡ଼ିଶା ସରକାର ସେମାନଙ୍କର କୋଭିଡ୍ ଟେଷ୍ଟ କରିବ ଏବଂ ଯେଉଁମାନେ ଆକ୍ରାନ୍ତ ନୁହଁନ୍ତି ସେହିମାନଙ୍କୁ ଆଣିବାକୁ ଅନୁମତି ମିଳିବ।

୨୦୧୧ରେ ବିଶିଷ୍ଟ ଓଡ଼ିଆ ଅର୍ଥନୀତିଜ୍ଞ ତଥା ପ୍ରଫେସର ବିଶ୍ୱରୂପ ଦାସ ଓ ଗବେଷକ ଗଗନ ବିହାରୀ ଦାସଙ୍କ ଦ୍ୱାରା ଏକ ଆନୁଷ୍ଠାନିକ ଅଧ୍ୟୟନ ଅନୁସାରେ ସୁରତ ସହରରେ ପ୍ରାୟ ୭ ଲକ୍ଷ ଓଡ଼ିଆ ଶ୍ରମିକ ରହୁଛନ୍ତି। ଏମାନେ ଟେକ୍‌ସଟାଇଲ୍‌, ପ୍ଲାଷ୍ଟିକ୍‌, ଡାଇମଣ୍ଡ ପଲିସିଂ ଓ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ। ଅଧିକାଂଶ ଶ୍ରମିକମାନଙ୍କର ଆୟ ୭ ହଜାରରୁ ୧୨ ହଜାର ଭିତରେ। ଯେଉଁମାନେ ଅତି ପୁରୁଣା ଏବଂ ଅତି ଦକ୍ଷ, ସେମାନେ ଅଧିକରୁ ଅଧିକ ୧୮ ହଜାର ଟଙ୍କା ମଧ୍ୟରେ ରୋଜଗାର କରନ୍ତି। ଏଭଳି ଲୋକମାନଙ୍କ ସଂଖ୍ୟା ବହୁତ କମ୍।

ଅଧିକାଂଶ କ୍ଷେତ୍ରରେ ସୁରତରେ ଶ୍ରମିକମାନେ ୧୦/୧୦ ରୁମ୍‌ରେ ୧୦ ଜଣ ଲେଖାଁଏ ମେସ୍ କରି ରହନ୍ତି। ଜଣ ପିଛା ଘରଭଡ଼ା ୫ ଶହରୁ ୬ ଶହ ଟଙ୍କା ପଡ଼େ। କ୍ଷୁଦ୍ର ଘର ଯୋଗୁ ଦୁଇ ତିନି ଜଣ ଶୋଇଲେ, ଅନ୍ୟ ମାନେ ବସି ରହି ନିଜ ଶୋଇବା ପାଳିକୁ ଅପେକ୍ଷା କରି ରହନ୍ତି। ମେସ୍ ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ପ୍ରାୟ ୨୫ ଶହ ଟଙ୍କା ଗଲା ପରେ ସେମାନେ ପ୍ରାୟତଃ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଘରକୁ ପଠାନ୍ତି।

୨୦୧୧ ମସିହାରେ ସୁରତରେ କାର୍ଯ୍ୟରତ ‘ଅଧିକାର’ ନାମକ ଏକ ଆର୍ଥିକ ସହାୟତା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଏକ ସର୍ବେକ୍ଷଣ ଅନୁସାରେ ସେତେବେଳେ ସୁରତ ଓ ଗୁଜୁରାଟର ଅହମଦାବାଦ, ମୁନ୍ଦ୍ରା ଓ ଜାମନଗର ଭଳି ସହରରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିବାସୀମାନେ ରାଜ୍ୟକୁ ପ୍ରତିବର୍ଷ ପ୍ରାୟ ୧ ହଜାର କୋଟି ଟଙ୍କା ପଠାନ୍ତି। ଏବେ ଏହା ପ୍ରାୟ ୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଥିଲା। ଏହି ଟଙ୍କା ପ୍ରେରଣକୁ ଶୁଦ୍ଧ ଆର୍ଥିକ ପରିଭାଷାରେ ‘ମନି ରିମିଟାନ୍‌ସ’ କୁହାଯାଏ। ଆଉ ଏହି ପରିମାଣର ରିମିଟାନ୍‌ସକୁ ବର୍ତ୍ତମାନର ଆମ ରାଜ୍ୟ ସରକାର ଅଧିକାଂଶ ସମୟରେ ସୁରତବାସୀଙ୍କର ଓଡ଼ିଶା ଅର୍ଥନୀତିକୁ ଏକ ବଡ଼ ଦାନ ବୋଲି କହିଥାନ୍ତି। କେବଳ ସେତିକି ନୁହେଁ, ନିର୍ବାଚନ ଆସିଲେ ଏହି ଲୋକମାନଙ୍କର ସାହାଯ୍ୟ ଭିକ୍ଷା କରିବା ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ସୁରତ ଯାଇ ଅନେକ ପ୍ରତିଶ୍ରୁତିର ପାହାଡ଼ ତୋଳନ୍ତି। ଏଥିରେ ସର୍ବାଗ୍ରେ ଥାଏ ଓଡ଼ିଶା ଶାସନରେ ଥିବା ବିଜେଡି। କିନ୍ତୁ ନିର୍ବାଚନ ପରେ ଯାହା ମିଳେ ବା ମିଳିଛି, ତାହା ସମସ୍ତେ ଜାଣନ୍ତି।

ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହେଲା ପରେ ଯେତେବେଳେ ଏହି ଓଡ଼ିଆ ଶ୍ରମିକ ଭାଇମାନଙ୍କର ସୁରକ୍ଷା କଥା ଉଠିଲା, ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖ ଦିନ ୮ ଜଣ ଆଇଏଏସ୍‌ମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଲେ ଏବଂ କହିଲେ ଯେ ଯେଉଁ ରାଜ୍ୟରେ ଆମର ଓଡ଼ିଆ ଶ୍ରମିକ ଭାଇମାନେ ଅଛନ୍ତି ସେମାନେ ସେହି ରାଜ୍ୟରେ ରହିବେ। ଏହା ଏକ ଉତ୍ତମ ପଦକ୍ଷେପ। ଏହା ଯଦି କାର୍ଯ୍ୟକାରୀ ହୋଇଥାନ୍ତା, ଆଜି ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ରାଜ୍ୟ ସରକାର ସେମାନଙ୍କର ଖାଇବା ଓ ରହଣି ବ୍ୟବସ୍ଥା କରିବେ। ସୁରତ ଲାଗି ନିତିନ୍ ଭାନୁଦାସ ଜୱାଲେଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲା।

ଲକ୍‌ଡାଉନ୍‌ ପରେ ସୁରତ ସମେତ ଅନ୍ୟ ସବୁ ରାଜ୍ୟରେ କଳକାରଖାନା, ନିର୍ମାଣ କାର୍ଯ୍ୟ ଇତ୍ୟାଦି ବନ୍ଦ ହୋଇଗଲା ପରେ ଶ୍ରମିକମାନେ ତତ୍‌କ୍ଷଣାତ୍ କର୍ମହରା ହୋଇପଡ଼ିଲେ। କୌଣସି ପ୍ରକାର ଏକ ମାସ ଚଳିଲା ପରେ ଘରଭଡ଼ା ଦେଇନପାରିବାରୁ ମାଲିକ ଘରୁ ବାହାର କରିଦେଲା। ସେମାନଙ୍କ ମୁଣ୍ଡ ଉପରୁ ଛାତ ଚାଲିଗଲା ଏବଂ ତା’ସହିତ ହାଣ୍ଡିର ଭାତ ସରିଗଲା। ସେମାନେ ରାସ୍ତାର ଆଶ୍ରିତ ହୋଇଗଲେ।

ବିଚିତ୍ର କଥା ରାଜ୍ୟ ସରକାରଙ୍କ ନୋଡାଲ ଅଫିସରମାନଙ୍କର ଦେଖା ମିଳିଲା ନାହିଁ କିମ୍ବା ରାଜ୍ୟର ଶ୍ରମମନ୍ତ୍ରୀ, ଶ୍ରମ ସଚିବ ଓ ଶ୍ରମ କମିସନରଙ୍କୁ ମଧ୍ୟ କୌଣସି ଦିନ କିଛି କହିବା ବା ଶ୍ରମିକମାନଙ୍କୁ କିଛି ଆଶା ବା ଭରସା ଦେବାର ଦେଖାଗଲା ନାହିଁ। କେବଳ କିଛି ଅଫିସର ନିୟମିତ ଆସି ଟେଲିଭିଜନରେ ଏକପାଖିଆ ଏବଂ ନାମକୁ ମାତ୍ର ସାମ୍ବାଦିକ ସମ୍ମିଳନୀ କରି ବିବୃତି ଦେଇ ଚାଲିଛନ୍ତି। ଏପଟେ ଫମ୍ପା ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ସେପଟେ ଗୁଜୁରାଟ, ତାମିଲନାଡୁ ପ୍ରଭୃତି ରାଜ୍ୟରେ ଓଡ଼ିଆମାନଙ୍କ ଉପରେ ମାଡ଼ ମରାଗଲା। ‘ଗୁଜରାଟ ମିତ୍ର’ ନାମକ ଏକ ସ୍ଥାନୀୟ ଗୁଜୁରାଟୀ ଖବରକାଗଜରେ ସେଠାକାର ନେତାମାନେ ଓଡ଼ିଆମାନଙ୍କୁ ‘ପରପ୍ରାନ୍ତୀୟ’ ବୋଲି ମତ ପ୍ରକାଶ କରି ଓଡ଼ିଆମାନଙ୍କ ସ୍ୱାଭିମାନକୁ ପଦଦଳିତ କରିବା ସହିତ ବହୁତ ମାନସିକ ଦୁଃଖ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ଗୁଜରାଟର ଆର୍ଥିକ ଅଭିବୃଦ୍ଧିରେ ଓଡ଼ିଆମାନେ ସେମାନଙ୍କୁ ସାହାଯ୍ୟ କଲେ, ସେମାନେ କିଭଳି ରାତାରାତି ପରପ୍ରାନ୍ତୀୟ ପାଲଟି ଗଲେ?

ଓଡ଼ିଶାବାସୀ ମହାଭାରତୀୟ ଭାବନାରେ ବିଶ୍ୱାସ କରନ୍ତି। ଓଡ଼ିଆମାନଙ୍କୁ ଉପେକ୍ଷା କରି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଓ ବଲବୀର ପୁଞ୍ଜଙ୍କ ଭଳି ଅଣଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଇ ଏ ଜାତିକୁ କ୍ରୂର ଉପହାସ କରିଥିବା ବିଜେପି ଗୁଜରାଟରେ ଥିବା ଓଡ଼ିଆମାନଙ୍କୁ ପରପ୍ରାନ୍ତୀୟ ବୋଲି ଅଭିହିତ କରି ଏହାର କୁତ୍ସିତ ଧାର୍ମିକ ଓ ଗୋଷ୍ଠୀଗତ ପାତରଅନ୍ତର ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଏହା ଆଦୌ ସହ୍ୟ ନୁହେଁ। ଅତ୍ୟନ୍ତ ନିନ୍ଦାଯୋଗ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରୁ ଉତ୍ତରପ୍ରଦେଶ ଯାଇ ସେଠାକାର ବାରାଣସୀରୁ ନିର୍ବାଚନ ଲଢ଼ିଲେ। ଯଦି ଓଡ଼ିଆମାନେ ମୋଦୀଙ୍କ ରାଜ୍ୟରେ ପରପ୍ରାନ୍ତୀୟ ହେଲେ, ତେବେ ବାରାଣସୀ ଯାଇଥିବା ମୋଦୀ କେଉଁ ପ୍ରାନ୍ତୀୟ? ଭାରତୀୟ ଭାବନାରେ ନିଜକୁ ଏକୁଟିଆ ସୂତ୍ରଧର କହୁଥିବା ମୋଦୀ ସରକାର ଓ ତାଙ୍କ ଦଳ ଏଭଳି ଅତ୍ୟାଚାରକୁ କିଭଳି ସହୁଛନ୍ତି।

ଓଡ଼ିଶାବାସୀ ସର୍ବଦା ମହାଭାରତୀୟ ଭାବନାରେ ବିଶ୍ୱାସ କରନ୍ତି। ଏଠାରୁ ବି ଅତୀତରେ ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ନିର୍ବାଚନ କରି ଦିଲ୍ଲୀକୁ ପଠାଇଛୁ। ବିଜେପି ଏଠୁ ଅଣଓଡ଼ିଆମାନଙ୍କୁ ରାଜ୍ୟସଭାକୁ ପଠାଇଲା ବେଳେ ଆମେ ମହାଭାରତୀୟ ଭାବନା ନେଇ କେବେ ବି ବିରୋଧ କରିନାହୁଁ।

ହାଇକୋର୍ଟରେ ରାଜ୍ୟ ସରକାର କ’ଣ ପକ୍ଷ ରଖିଲେ ତାହା ଜଣାନାହିଁ। ରାଜ୍ୟର ଆଇନମନ୍ତ୍ରୀ ପ୍ରତାପ ଜେନା କହିଲେ ସେ କୋର୍ଟ ରାୟର କପି ପାଇନାହାନ୍ତି। ଅଥଚ ରାୟ ପ୍ରକାଶ ପାଇବାର କେତେ ଘଣ୍ଟା ମଧ୍ୟରେ ଗୁଜୁରାଟରୁ ଆସିବାକୁ ଥିବା ଶ୍ରମିକ ଟ୍ରେନ୍‌ଗୁଡ଼ିକୁ ସେଠାକାର ଜିଲ୍ଲାପାଳ ବାତିଲ କରିଦେଲେ। ସୁରତ ଷ୍ଟେସନକୁ ଧାଇଁ ଆସିଥିବା ଅନେକ ଓଡ଼ିଆ ଶ୍ରମିକ ସେହିଠାରେ ଖୋଲା ଆକାଶ ତଳେ ପଡ଼ିରହିଲେ। ଗୁଜୁରାଟ ସରକାର ମଧ୍ୟ ଆମ ଓଡ଼ିଆ ଲୋକମାନଙ୍କୁ ଥଇଥାନ କରିବା ପାଇଁ କିଛି ବ୍ୟବସ୍ଥା କଲେ ନାହିଁ। ଭାରତୀୟ ଭାବନା ଉପରେ ବେଶ୍ ଭାଷଣ ରଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରାଜ୍ୟରେ ଓଡ଼ିଆମାନେ ଭୋଗୁଥିବା ଦୁଃଖ, ଦୁର୍ଦଶା ପ୍ରତି ଆଖିବୁଜିଦେଲେ। ଆମ ଓଡ଼ିଶାରୁ ବାରମ୍ବାର ଅଣଓଡ଼ିଆ ଲୋକଙ୍କୁ ରାଜ୍ୟସଭାକୁ ପଠାଇ ନିଜର ଅଣଓଡ଼ିଆ ପ୍ରୀତିକୁ ଜାହିର କରୁଥିବା ବିଜେପି ପୁଣିଥରେ ତା’ର ଓଡ଼ିଆ ବିରୋଧୀ ମନୋଭାବକୁ ପ୍ରକାଶ କରିଥିଲା।

ଆମ ରାଜ୍ୟର ଶ୍ରମିକମାନେ କେରଳ, ଆନ୍ଧ୍ର ପ୍ରଦେଶ, ତେ‌େଲଙ୍ଗାନା, ଜାମ୍ମୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼ ଏବଂ ତାମିଲନାଡୁ ପ୍ରଭୃତି ରାଜ୍ୟରେ ସୁରତ ଭଳି ସମସ୍ୟା ସହିତ ଲଢୁଛନ୍ତି। ସେମାନଙ୍କ ଆଗରେ ବର୍ତ୍ତମାନ ଜୀବନ ବଂଚାଇବା ଏକ ବଡ଼ ଆହ୍ୱାନ।

ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟପାତ୍ର ସୁବ୍ରତ ବାଗ୍‌ଚୀ ଗତ ୮ ତାରିଖ ଦିନ ଦେଇଥିବା ହିସାବ ଅନୁସାରେ ରାଜ୍ୟର ୨୦ ଲକ୍ଷ ଲୋକ ବାହା‌େର ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ଲକ୍ଷ ୭୦ ହଜାର ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି। ସିଧାସଳଖ କହିଲେ ଏମାନେ ଶ୍ରମିକ ଶ୍ରେଣୀର। ଜଣେ ଶ୍ରମିକ ପ୍ରାୟ ୫ ପ୍ରାଣୀ କୁଟୁମ୍ବ ପୋଷିଥାଏ। ଏହି ହିସାବରେ ଏହି ୧୨ ଲକ୍ଷ ୭୦ ହଜାର ଶ୍ରମିକମାନେ ପ୍ରାୟତଃ ୬୩ ଲକ୍ଷ ୫୦ ହଜାର ପେଟକୁ ଦାନା ଯୋଗାଉଛନ୍ତି। ଏହାକୁ ଅନ୍ୟ ଅର୍ଥରେ ବୁଝିଲେ ରାଜ୍ୟର ମୋଟ ସାଢ଼େ ଚାରିକୋଟିରୁ ୧୪ ପ୍ରତିଶତ ଲୋକ ମନି ରିମିଟାନ୍‌ସ ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି। ଅତଏବ ଯେଉଁ ଲୋକମାନେ ନିଜ ଉଦ୍ୟମରେ ନିଜର ଅନ୍ନ ସଂସ୍ଥାନ ଯୋଗାଡ଼ କରି ରାଜ୍ୟ ସରକାରଙ୍କ ଉପରୁ ଚାପ ହ୍ରାସ କରିବା ସହିତ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଛନ୍ତି, ସେମାନଙ୍କ ପ୍ରତି ଉପଯୁକ୍ତ ସମୟରେ ଠିକଣା କର୍ତ୍ତବ୍ୟ କାହିଁକି କରାଯାଇପାରିଲା ନାହିଁ।

ହାଇକୋର୍ଟର ଆଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ପରେ ଏବେ ସୁରତ ସମେତ, ତାମିଲନାଡୁ ଓ ମହାରାଷ୍ଟ୍ରରୁ ଓଡ଼ିଆ ଶ୍ରମିକମାନଙ୍କୁ ଅଣାଯାଉଛି। ଗୋଟିଏ ଟ୍ରେନ୍‌ରେ ୧୨ ଶହ ପାଖାପାଖି ଲୋକ ଆସୁଛନ୍ତି। ଦିନକୁ ପ୍ରାୟ ଚାରି-ପାଂଚଟି ଟ୍ରେନ୍ ଆସୁଛି। ଅର୍ଥାତ୍‌ ପ୍ରତିଦିନ ୫ ହଜାର ଭିତରେ ଲୋକ ଆସୁଛନ୍ତି। କେତେ ଦିନ ଲାଗିବ ମୋଟ ୧୨-୧୩ ଲକ୍ଷ ଲୋକଙ୍କୁ ଆଣିବା ଲାଗି। ସେ ପର୍ଯ୍ୟନ୍ତ ସେମାନେ ଖାଇବେ କ’ଣ, ରହିବେ କେଉଁଠି? ଭଗବାନ କରନ୍ତୁ, ଏ ବିପଦ ଟଳିଯାଉ। ନଚେତ୍ ବାହାର ରାଜ୍ୟରେ ଆମ ଲୋକମାନଙ୍କର ଅବସ୍ଥା କ’ଣ ହେବ, ସହଜରେ ଅନୁମାନ କରାଯାଇପାରେ। ଆଉ ସେ ଯେଉଁ କ୍ଷତି ହେବ, ତାହାର ଭରଣା କରିହେବ ନାହିଁ। କେବଳ ସେତିକି ନୁହେଁ, ଇତିହାସ ମଧ୍ୟ ସେ କ୍ଷତି ପାଇଁ ଆମକୁ କ୍ଷମା ଦେବ ନାହିଁ।

କ୍ୱାରେଣ୍ଟାଇନ୍ କେନ୍ଦ୍ର ଗୁଡ଼ିକରେ ଶ୍ରମିକଭାଇମାନଙ୍କୁ ଉପଯୁକ୍ତ ପରିବେଶରେ ରଖାଯାଉ। ସରକାର ଯେଉଁ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି, ସେହି ହିସାବରେ ସେମାନଙ୍କୁ ଖାଦ୍ୟ ଦିଆଯାଉ। ଶ୍ରମିକଭାବେ ବିଦେଶରୁ ଫେରିଛନ୍ତି ବୋଲି ସେମାନଙ୍କୁ ଦିନର ବିଳମ୍ବିତ ପ୍ରହରରେ ଭାତ ଓ ପ୍ରତିବନ୍ଧିତ ହୋଇଥିବା ପଲିଥିନ୍ ପୁଡ଼ିଆରେ ଡାଲମା ଦିଆଯାଇ ଉପହାସ କରାନଯାଉ।

ସବୁଠୁ ସ୍ୱାଗତଯୋଗ୍ୟ ହେବ ଯଦି ସରକାର ଏ ସଙ୍କଟଜନକ ପରିସ୍ଥିତିରେ ନିଜକୁ କିଛି ଅଫିସରଙ୍କ ଭିତରେ ସୀମିତ ନରଖି, ସବୁ ବିଭାଗର ମନ୍ତ୍ରୀ, ସଚିବମାନଙ୍କ ସହିତ ପରାମର୍ଶ କରିବା ସହ ବିରୋଧୀ ଦଳଗୁଡ଼ିକର ନେତୃବୃନ୍ଦ, ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ ଓ ପଂଚାୟତସ୍ତରର ନେତୃସ୍ଥାନୀୟ ବ୍ୟକ୍ତି ତଥା ମହାବାତ୍ୟା ପରବର୍ତ୍ତୀ ପରିସ୍ଥିିତିକୁ ସମ୍ଭାଳିବାରେ ସାହାଯ୍ୟ କରିଥିବା ବେସରକାରୀ ଅନୁଷ୍ଠାନଗୁଡ଼ିକର ପରାମର୍ଶ ଓ ସାହାଯ୍ୟ ନେବେ। ସରକାରଙ୍କ କାର୍ଯ୍ୟ ଯେତିକି ବିକେନ୍ଦ୍ରୀକରଣ ହେବ, କାର୍ଯ୍ୟ ସମ୍ପାଦନ ସେତିକି ପ୍ରଭାବୀ ଓ ଫଳପ୍ରଦ ହେବ।

ପ୍ରଦେଶ କଂଗ୍ରେସ କମିଟି ସଭାପତି

ସମ୍ବନ୍ଧିତ ଖବର