ମୋଦୀ ସରକାର ଓ ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା (ଏସ୍‌କେଏମ୍‌) ମଧ୍ୟରେ ରହିଥିବା ପ୍ରାଚୀର ଦିନକୁ ଦିନ ପ୍ରଶସ୍ତ ହେବାରେ ଲାଗିଛି। ତିନି କୃଷି ଆଇନକୁ ଫେରାଇ ନିଆଗଲା ବୋଲି ୨୦୨୧ ନଭେମ୍ବର ୧୯ରେ ଦେଶବାସୀଙ୍କୁ ମୋଦୀ ଦେଇଥିବା ଉଦ୍‌ବୋଧନ ଉକ୍ତ ପାଚେରିକୁ ଭାଙ୍ଗିଦେବ ବୋଲି ସରକାର ଆଶା ରଖିଥିଲେ; ମାତ୍ର ତାହା ହେଲାନାହିଁ। ୨୦୨୧ ନଭେମ୍ବର ୨୯ରେ ସଂସଦରେ ଉକ୍ତ ଆଇନଗୁଡ଼ିକୁ ହଟାଇନେବା ଦ୍ବାରା ମଧ୍ୟ ସେହି ପାଚେରି ଭୁଶୁଡ଼ିପଡ଼ିବ ବୋଲି ଆଶା କରାଯାଉଥିଲା: ମାତ୍ର ତାହା ବି ହେଲାନାହିଁ। ଏପରିକି ୨୦୨୨ ଜୁଲାଇ ୧୮ରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ ଏକ କମିଟି ଗଠନର ଘୋଷଣା ପରେ ପାଚେରି ଭାଙ୍ଗିଯିବ ବୋଲି ସରକାର ଆଶା ରଖିଥିଲେ; ମାତ୍ର ତାହା ବି ଘଟିଲାନାହିଁ।

Advertisment

ସେହି ତିନି ଆଇନକୁ ଖୋଲାଖୋଲି ସମର୍ଥନ କରୁଥିବା ତଥାକଥିତ କୃଷକ ନେତାମାନେ ଉକ୍ତ କମିଟିରେ ରହିଥିବାର ଅଭିଯୋଗ କରି ଏସ୍‌କେଏମ୍‌ ସେଥିରେ ଯୋଗ ଦେଲା ନାହିଁ। ଅପରପକ୍ଷେ, ଏସ୍‌କେଏମ୍‌ର ଅନୁପସ୍ଥିତିକୁ ଅଣଦେଖା କରି ଉକ୍ତ କମିଟି ନିଜର ଅନୁଶୀଳନ ସହ ଆଗେଇ ଚାଲିଛି। ଏହା ତିନିଟି ବୈଠକ କରି ସାରିଲାଣି। ଏଣେ ଏମ୍‌ଏସ୍‌ପିର ଆଇନଗତ ନିଶ୍ଚିତତା ଦାବିରେ ଏସ୍‌କେଏମ୍‌ ତାହାର ଆନ୍ଦୋଳନ ଚଳାଇଛି। କମିଟି ତାହାର ବୈଠକକୁ ବନ୍ଦ କୋଠରି ଭିତରେ ଚଳାଇଥିବା ବେଳେ ଏସ୍‌କେଏମ୍‌ର ବୈଠକ ରାଜରାସ୍ତାରେ ଚାଲିଛି।

ସରକାର ଓ ଏସ୍‌କେଏମ୍‌ ଭିତରେ ଆଲୋଚନା ନ ହେବା ଦେଶ ପାଇଁ ମଙ୍ଗଳକର ନୁହେଁ। ଚାଷୀମାନେ ହେଉଛନ୍ତି କୃଷିର ମେରୁଦଣ୍ଡ ଏବଂ କୃଷି ହେଉଛି ରାଷ୍ଟ୍ରୀୟ ଅର୍ଥନୀତିର ମେରୁଦଣ୍ଡ। କୃଷକମାନଙ୍କର କ୍ଷତି ଘଟିଲେ କୃଷି କ୍ଷତିଗ୍ରସ୍ତ ହେବ; ଯଦି କୃଷିର କ୍ଷତି ଘଟେ, ଅର୍ଥନୀତି ବି ପ୍ରଭାବିତ ହେବ। ବୋଧହୁଏ ନିକଟରେ ସରିଥିବା ନିର୍ବାଚନମାନଙ୍କରେ ବିଜେପିକୁ ଚାଷୀ ଆନ୍ଦୋଳନରୁ ମିଳିଥିବା ମାମୁଲି ଝଟକା ଯୋଗୁଁ ସରକାର ଆଉ ସେମାନଙ୍କ କଥାକୁ ସେତେଟା ଗୁରୁତ୍ବ ଦେଉନାହାନ୍ତି। ଏହାଦ୍ବାରା ସରକାର ଗୁରୁତର ତ୍ରୁଟି କରୁଛନ୍ତି। କୃଷକମାନେ ହେଉଛନ୍ତି କୃଷି ଜାହାଜର ନାବିକ। ସେମାନେ ଯାତ୍ରାରେ ନ ରହିଲେ ଜାହାଜ ଟଳମଳ ହୋଇ ଡୁବିଯିବ।

ଜାହାଜକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ପରିଚାଳକ ହେଉଛନ୍ତି ସରକାର। ଜାହାଜକୁ କେଉଁଠିକି ଯିବାକୁ ହେବ, ତାହା ସରକାର ଜାଣନ୍ତି। ଏପରିକି ଜାହାଜର ନାବିକ ତଥା କୃଷକମାନେ ମଧ୍ୟ ତାହା ଜାଣିଥା’ନ୍ତି। ତେବେ ସେଠାରେ ପହଞ୍ଚିବାର ଉପାୟରେ ଉଭୟଙ୍କ ଭିତରେ ଫରକ ରହିଛି। ସରକାର ଓ ଏସ୍‌କେଏମ୍‌ ଭିତରେ ଚାଲିଥିବା ଲଢ଼େଇର ତାତ୍ପର୍ଯ୍ୟ ହେଲା ସେମାନଙ୍କ ଲକ୍ଷ୍ୟସ୍ଥଳ ଗୋଟିଏ କିନ୍ତୁ ସେଠାରେ ପହଞ୍ଚିବା ଲାଗି ସେମାନଙ୍କର ଉପାୟ ମେଳ ଖାଉନାହିଁ।

ସରକାର ଓ କୃଷକ ଉଭୟଙ୍କର ତତ୍କାଳ ପ୍ରମୁଖ ଲକ୍ଷ୍ୟ ହେଉଛି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶ ପରି ମୂଳ ସବୁଜ କ୍ରାନ୍ତି କ୍ଷେତ୍ରରେ ଫସଲର ବିବିଧୀକରଣ। ୧୯୬୦ ଦଶକର ପ୍ରାରମ୍ଭରେ ସୁନିଶ୍ଚିତ ଦରରେ ସୁନିଶ୍ଚିତ କ୍ରୟର ଲୋଭ ସରକାର ଦେଖାଇବାରୁ ଉକ୍ତ କ୍ଷେତ୍ରର ଚାଷୀମାନେ ବାଜରା, ଡାଲି ଓ ତୈଳବୀଜ ଆଦି ଅନ୍ୟ ଫସଲ ଛାଡ଼ି ଧାନ ଓ ଗହମ ଚାଷରେ ମାତିଲେ। ଧାନ-ଗହମ ଫସଲ, ବିଶେଷ କରି ଧାନ ଚାଷ ଦ୍ବାରା ଉପର ଜଳବାହୀ ସ୍ତର ଶୁଖିବାକୁ ଲାଗିଲା। ତଳସ୍ତରରୁ ପାଣି ଟାଣିବା ପାଇଁ ଚାଷୀମାନେ ନଳକୂପ ବସାଇଲେ। ଏହାଦ୍ବାରା ଧାତବ ପ୍ରଦୂଷଣ ବଢ଼ିଲା, ଯାହା ଉଚ୍ଚକୋଟୀର ଅମଳ ପାଇଁ ରାସାୟନିକ ସାରର ଗଜନି ଅନୁରୂପ ଆକ୍ରମଣ ସହିତ ମିଶି ମାଟିରେ ପୋଷକ ତତ୍ତ୍ବର ଉତ୍ପାଦନରେ ବାଧା ଉପୁଜାଇଲା।

ଦେଶ ହତାଶାରେ ଖାଦ୍ୟ ସୁରକ୍ଷା ଲୋଡୁଥିଲା ଏବଂ ପଞ୍ଜାବ, ହରୟାଣା ଓ ଉତ୍ତରପ୍ରଦେଶର ଚାଷୀ ସୁନିଶ୍ଚିତ ଆୟ ଦ୍ବାରା ଉତ୍‌ପ୍ରେରିତ ହୋଇ ତାହା ହାସଲ କରିବାରେ ସହାୟକ ହେଲେ। ମାତ୍ର ଏପରି ଏକ ସମୟ ଆସିଲା ଯେତେବେଳେ କଳ୍ପନାରେ ଏକ ଗ୍ରହଣ ଲାଗୁଥିବାର ଦୁଃସ୍ବପ୍ନ ପରିଲକ୍ଷିତ ହେଲା। ଅମଳ କମିଗଲା ଓ ତା’ ସହିତ ଚାଷୀଙ୍କର ଆୟ ବି ଠପ୍‌ ହୋଇଗଲା। କୃଷି କ୍ଷେତ୍ରରେ ଜଳସେଚନ ସମେତ ପାନୀୟ ଜଳର ମଧ୍ୟ ସଂକଟ ଦେଖାଗଲା। ନିକଟ ଭବିଷ୍ୟତରେ ପାଣି ରେଶମ ପରି ଏକ ମହାର୍ଘ ସାମଗ୍ରୀ ପାଲଟିଯିବାର ଭୟ ସୃଷ୍ଟି ହେଲା।

୨୦୧୩-୧୪ରେ କେନ୍ଦ୍ର ସରକାର ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ଚାଷୀମାନଙ୍କର ଧାନରୁ ଧ୍ୟାନ ହଟାଇ ବାଜରା, ଡାଲି, ତୈଳବୀଜ, ପନିପରିବା ଓ ଫଳଚାଷ ପ୍ରତି ଆକର୍ଷିତ କରିବାର ଏକ ଫସଲ ବିବିଧୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯାହା ଜଳବାହୀ ସ୍ତର ବା ମାଟିର କୌଣସି କ୍ଷତି ପହଞ୍ଚାଇବ ନାହିଁ। କେନ୍ଦ୍ର ସରକାର ଫସଲ ବିବିଧୀକରଣ କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି। ମାତ୍ର ବିଗତ ଆଠବର୍ଷରେ ସେଥିରେ ସେଭଳି କୌଣସି ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇନାହିଁ। ହରିୟାଣାରେ କୋଡ଼ିଏ ହଜାର ହେକ୍ଟର ଜମିରେ ଧାନ ବଦଳରେ କପା ଚାଷ ହେଉଛି ଯାହା ସମଗ୍ର ଧାନ କ୍ଷେତର ମାତ୍ର ଦେଢ଼ ପ୍ରତିଶତ। ତିନି ରାଜ୍ୟ ମଧ୍ୟରୁ ସବୁଠୁ ଅଧିକ ମାଟି ପୁଷ୍ଟିହୀନତା ଦେଖାଯାଇଥିବା ପଞ୍ଜାବରେ ସେଭଳି କୌଣସି ଯୋଜନା ଆରମ୍ଭ ହୋଇନାହିଁ, ଉତ୍ତରପ୍ରଦେଶରେ ମଧ୍ୟ ଅନୁରୂପ ଅବସ୍ଥା।

କାରଣ ମଧ୍ୟ ସ୍ପଷ୍ଟ ଯେ ଚାଷୀମାନେ ଅନ୍ୟ ଫସଲକୁ ଆଦରିବାକୁ ବୀତସ୍ପୃହ। ସେମାନଙ୍କ ଏପରି ଅନିଚ୍ଛା ପଛରେ ମଧ୍ୟ କିଛି ବ୍ୟାବହାରିକ କାରଣ ରହିଛି। ପ୍ରଥମତଃ, ଧାନ ସେମାନଙ୍କୁ ଏକ ସୁନିଶ୍ଚିତ ବିକ୍ରି ସହ ଏକ ସୁନିଶ୍ଚିତ ଆୟ ପ୍ରଦାନ କରୁଛି। ଦ୍ବିତୀୟରେ ଏହା ଅନ୍ୟ ଫସଲ ତୁଳନାରେ ଅଧିକ ଆୟ ଆଣୁଛି। ସରକାରୀ ତଥ୍ୟ ମୁତାବକ, ୨୦୧୮-୧୯ରେ ପଞ୍ଜାବରେ ଜଣେ ଚାଷୀ ଧାନରୁ ହେକ୍ଟର ପିଛା ୭୫ ହଜାର ଟଙ୍କା ପାଉଥିବା ବେଳେ ଆଳୁରୁ କେବଳ ୨୬ ହଜାର ଟଙ୍କା ଆୟ କରୁଛି, ସେହିପରି ମକାରୁ ୧୫ ହଜାର ଟଙ୍କା ଓ ଚଣାରୁ ୯ ହଜାର ଟଙ୍କା ପାଉଛି।

ତୃତୀୟରେ, ଯଦିଓ ସରକାର ଧାନ ଓ ଗହମ ବ୍ୟତୀତ ବାଜରା, ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ପରି ୨୧ଟି ଫସଲର ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିଛନ୍ତି, ହେଲେ ସେଗୁଡ଼ିକୁ ସଂଗ୍ରହ କରୁନାହାନ୍ତି। ଚତୁର୍ଥରେ, ସରକାର ନିଜର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟ ପୂରଣ କରିବା ଲାଗି ଧାନ ଓ ଗହମ ପାଇଁ ବର୍ଷ ବର୍ଷ ଧରି ଏକ ସଂପୂର୍ଣ୍ଣ ପାରିସ୍ଥିତିକ ତନ୍ତ୍ର, ଏମ୍‌ଏସ୍‌ପି, ବୈଷୟିକ ଜ୍ଞାନକୌଶଳ, ଅନୁସନ୍ଧାନ, ସମ୍ପ୍ରସାରଣ, କ୍ରୟ ଓ ପ୍ରକ୍ରିୟାକରଣ ଆଦି ବ୍ୟବସ୍ଥା ସ୍ଥାପନ କରିଛନ୍ତି ଯାହା ଅନ୍ୟ ଫସଲ ପାଇଁ ଉପଲବ୍‌ଧ ନାହିଁ।

ଯେ ପର୍ଯ୍ୟନ୍ତ ସରକାର ଚାଷୀମାନଙ୍କ ଲାଗି ଅଧିକ ଉପାର୍ଜନକ୍ଷମ ବିକଳ୍ପ ଫସଲର ସୁରକ୍ଷିତ ପରିସଂସ୍ଥାନ ସ୍ଥାପନ କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କୁ ଧାନରୁ ଧ୍ୟାନ ହଟାଇବା ଦିଗରେ ପ୍ରୋତ୍ସାହିତ କରିପାରିବେ ନାହିଁ। ଏଇଠି ହିଁ ସରକାର ଓ କେଏସ୍‌ଏମ୍‌ ବିବାଦର ମଞ୍ଜି ରହିଛି: ଏସ୍‌କେଏମ୍‌ ଚାହୁଁଛି କି ସରକାର ଏକ ନ୍ୟାୟସଂଗତ ସୁନିଶ୍ଚିତ ଏମ୍‌ଏସ୍‌ପିର ବ୍ୟବସ୍ଥା କରି ସୁରକ୍ଷିତ ପରିସଂସ୍ଥାନର ସ୍ଥାପନା କରନ୍ତୁ। ସୁନିଶ୍ଚିତ ଏମ୍‌ଏସ୍‌ପି ଅର୍ଥ ହେଉଛି, ଘରୋଇ ବେପାରୀମାନେ ମଧ୍ୟ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ନିର୍ଦ୍ଧାରିତ ଦରଠାରୁ କମ୍‌ ଦର ଦେଇପାରିବେ ନାହିଁ। ଯଦି ଚାଷୀମାନେ ଅନ୍ୟ ଫସଲରୁ ସୁନିଶ୍ଚିତ ଲାଭର ଆଶା ରଖିପାରିବେ, ତେବେ ସେମାନେ ଅଧିକ ସଂଖ୍ୟାରେ ବିବିଧୀକରଣର ପନ୍ଥା ଆପଣାଇବେ।

ଅତି-ସଂସ୍କାରକୁ ସମର୍ଥନ କରୁଥିବା ମୋଦୀ ସରକାରଙ୍କ ସମସ୍ୟା ହେଲା, ଏହା କୃଷି ଉପରେ ସାର୍ବଜନୀନ ଖର୍ଚ୍ଚକୁ କମାଇବାକୁ ଚାହାନ୍ତି ଏବଂ କୃଷିକୁ ବଜାର ପାଇଁ ଖୋଲା ରଖିବାକୁ ବି ଚାହାନ୍ତି। ମାତ୍ର କମ୍‌ ସାର୍ବଜନୀନ ନିବେଶ ସହିତ ଫସଲ ବିବିଧୀକରଣ ପାଇଁ ସୁରକ୍ଷିତ ପରିସଂସ୍ଥା ସ୍ଥାପନ କରି ହେବ ନାହିଁ। ଡାଲି, ତୈଳବୀଜ ଓ ବାଜରାର ଅଧିକ ଅମଳକ୍ଷମ, କୀଟପ୍ରତିରୋଧୀ ତଥା ଜଳବାୟୁ ଅନୁକୂଳ କିସମ ବିକସିତ କରିବା ଲାଗି ସେଭଳି ଗବେଷଣା ନାହିଁ ଯାହା ଧାନ କିମ୍ବା ଗହମ ପାଇଁ ରହିଛି। ଗବେଷଣା ପାଇଁ ଉପଯୁକ୍ତ ପାଣ୍ଠିର ଆବଶ୍ୟକତା ଜରୁରୀ। ଗୋଟିଏ ଗାଁର ମୃତ୍ତିକା ଅନ୍ୟ ଗାଁଠାରୁ ଭିନ୍ନ ହୋଇପାରେ; ତେଣୁ ଅନ୍ୟ ଫସଲର ବିବିଧତା ଆଣିବା ଉଦ୍ଦେଶ୍ୟରେ ଚାଷୀଙ୍କୁ ମାର୍ଗଦର୍ଶନ କରାଇବା ଲାଗି ଅଧିକ ସମ୍ପ୍ରସାରଣ କାର୍ଯ୍ୟକର୍ତ୍ତାଙ୍କର ଆବଶ୍ୟକତା ରହିଛି।

ବିହନ ଯୋଗାଣଠାରୁ ଆରମ୍ଭ କରି ଉତ୍ପାଦନ ଯାଏ, ବିପଣନ ଠାରୁ ଭଣ୍ଡାରଣ ଓ ପ୍ରକ୍ରିୟାକରଣ ଯାଏ, ପ୍ରତ୍ୟେକ ବିକଳ୍ପ ଫସଲର ମୂଲ୍ୟ ଶୃଙ୍ଖଳା ଗଢ଼ିବା ଲାଗି ସରକାରୀ ବ୍ୟୟ ସମେତ ଘରୋଇ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଯେତେବେଳେ ଚାଷୀଟିଏ ଅନ୍ୟ ଫସଲରେ ଅଧିକ ଲାଭ ଦେଖିପାରିବ, ତେବେ ଯାଇ ସେ ଧାନରୁ ଦୃଷ୍ଟି ଫେରାଇ ଅନ୍ୟ ଆଡ଼େ ମନୋନିବେଶ କରିବ। ସେହିପରି ମୂଲ୍ୟ ଶୃଙ୍ଖଳା ବିନା ଅଧିକ ଲାଭ ଆସିପାରିବ ନାହିଁ।

ଏଠାରେ କେବଳ ମୂଲ୍ୟ ଶୃଙ୍ଖଳା ସ୍ଥାପନ କରିବା ପାଇଁ ସରକାରଙ୍କୁ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ହେବ। ମାତ୍ର ସରକାର ଭୁଲ୍‌ବଶତଃ ତିନିଟି କୃଷି ଆଇନ ମାଧ୍ୟମରେ ଘରୋଇ କ୍ଷେତ୍ରକୁ ଫସଲ ଚାଷ ଓ ବେପାରରେ ସାମିଲ କରିବାକୁ ପ୍ରୟାସ କରିଥିଲେ, ଯାହା ଚାଷୀମାନଙ୍କର ଅସ୍ଥିତ୍ବ ପ୍ରତି ବିପଦ ଆହ୍ବାନ କରୁଥିଲା। ତାହା ପରିବର୍ତ୍ତେ ସରକାର ଘରୋଇ କ୍ଷେତ୍ରକୁ ମୂଲ୍ୟ ଶୃଙ୍ଖଳା ନିର୍ମାଣରେ ଉପଯୋଗ କରିବା ଦରକାର, ଯାହା ଚାଷୀ ଓ ବଜାର ଉଭୟଙ୍କୁ ଉତ୍ତମ ଲାଭ ଦେଇପାରିବ। ଭାରତରେ ଚାଷୀ ଓ ଘରୋଇ ନିବେଶକ ଉଭୟଙ୍କୁ ଖୁସି କରିବା ବିନା ଦେଶରେ ପାରମ୍ପରିକ କୃଷିରୁ ମୁକ୍ତି ମିଳିପାରିବ ନାହିଁ।

[email protected]