ଜୀବନସାଥୀଟିଏ ପାଇଁ

ଝରକା

ଭାଲେଣ୍ଟାଇନ୍‌ଙ୍କ ସପ୍ତାହ ଆରମ୍ଭ ହୋଇଯାଇଥିବା ବେଳେ ଅନେକ ପ୍ରେମିକ ତାଙ୍କ ପ୍ରେମର ଗଭୀରତାର ନିଦର୍ଶନ ସ୍ବରୂପ ପ୍ରେମିକା ପାଇଁ ଆବଶ୍ୟକ ପଡ଼ିଲେ ସମୁଦ୍ର ଲଂଘଯିବା ଭଳି ପ୍ରତିଶ୍ରୁତି ଦେଇଥାନ୍ତି ସିନା, କାର୍ଯ୍ୟରେ କେତେ ପରିଣତ କରିବାର ସୁଯୋଗ ପାଆନ୍ତି ବା ପାଇଲେ କରି ଦେଖାନ୍ତି, ତାହା ପ୍ରଣିଧାନଯୋଗ୍ୟ। ତେବେ, ଆଉ ଯିଏ ହେଉ ବା ନ ହେଉ ଗୁଜୁରାଟର ଗିର୍ ଅଭୟାରଣ୍ୟର ଏକ ତରୁଣ ସିଂହ କିନ୍ତୁ ତାର ଜୀବନସାଥୀ ପାଇବା ଲାଗି ଏଇଭଳି କିଛି ଈର୍ଷଣୀୟ କରି ଦେଖାଇଛି, ଯାହା ବିରଳ। ଏହି ‘ହିରୋ’ ସିଂହଟିର ବୟସ ଚାରିରୁ ପାଞ୍ଚ ବର୍ଷ ଭିତରେ। ଏହା ଆଉ ତିନି ପୁରୁଷ ସାଥୀଙ୍କୁ ନେଇ ଏକ ଦଳ ଗଠନ କରି ତାର ଦଳପତି ହୋଇଛି ଏବଂ ଏହି ଦଳ ଜଙ୍ଗଲର ଏକ ବିରାଟ ଅଞ୍ଚଳରେ ଶିକାର କରୁଛନ୍ତି ଓ ‘ଜୀବନ ସାଥୀ’ ଖୋଜୁଛନ୍ତି।

ଏହି ଦଳ ଉପରେ ନଜର ରଖିବା ଲାଗି ଜଙ୍ଗଲ ବିଭାଗ ଦ୍ବାରା ସିଂହଗୁଡ଼ିକର ବେକରେ ଟ୍ରାକର୍ ଖଞ୍ଜାଯାଇଛି। ତହିଁରୁ ଜଣାପଡ଼ିଛି ଯେ ତରୁଣ ଦଳପତିର ନେତୃତ୍ବରେ ପ୍ରତି ଦୁଇ ସପ୍ତାହରେ ଥରେ ଏହି ଦଳ ୬୦ କିଲୋମିଟର ବାଟ ଚାଲି ଚାଲି ଯାଇ ଏକ ସିଂହୀ ନିକରେ ପହଞ୍ଚୁଛନ୍ତି ଏବଂ ଦଳପତି ସିଂହଟି ତାର ନୂତନ ବାନ୍ଧବୀର ସାନ୍ନିଧ୍ୟ ଲାଭ କରୁଛି।

ଏହାକୁ ନଜର ରଖିଥିବା ବନ ବିଭାଗର କର୍ମଚାରୀମାନେ କହନ୍ତି ଯେ ଏହି ବୟସରେ ସିଂହମାନେ ବାନ୍ଧବୀ ଅନ୍ବେଷଣ କରନ୍ତି। କିନ୍ତୁ ଏଥି ଲାଗି ଏତେ ଦୂର ବାଟ ଯିବା ଏକ ବିରଳ କଥା। ଦ୍ବିତୀୟରେ ଏକ ସିଂହ ଦଳରେ ସଂଖ୍ୟାଧିକ ସିଂହୀଙ୍କ ଭିତରେ ଗୋଟିଏ ସିଂହ ଦଳପତି ଭାବେ ରହିଥାଏ। ସେହି ସିଂହ ସବୁ ସିଂହୀଙ୍କ ଆନୁଗତ୍ୟ ଲାଭ କରେ ଏବଂ ଦଳ ଭିତରେ ଅନ୍ୟ ସିଂହଙ୍କ ପ୍ରତିଦ୍ବନ୍ଦ୍ବିତାକୁ ବରଦାସ୍ତ କରେନାହିଁ। ‌ତେବେ ଯଦି କୌଣସି ତରୁଣ ସିଂହ ଏକ ସିଂହୀ ସହିତ ସଂପର୍କରେ ବାନ୍ଧି ହେବା ପରେ ସେହି ସିଂହୀ ଓ ତାର ଅନ୍ୟାନ୍ୟ ବାନ୍ଧବୀଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିବା ଦଳପତିକୁ କ୍ଷମତାଚ୍ୟୁତ କରିଦିଏ, ତେବେ ସେ ସେହି ଦଳର ଦଳପତି ହୋଇଯାଏ।

ଏହି ଘଟଣାକ୍ରମ ଉପରେ ନଜର ରଖିଥିବା କର୍ମଚାରୀମାନେ କହନ୍ତି ଯେ ଏହି ତରୁଣ ସିଂହ ଅଚିରେ ଏକ ସିଂହୀ ଯୂଥର ଦଳପତି ହେବାକୁ ଯାଉଛି। ସେ ତାର ସଙ୍ଗୀ ଲାଭ କରି ସାରିଲାଣି। ଏବେ କେବଳ ସଙ୍ଗୀଙ୍କ ଦଳରୁ ତାର ମୁଖିଆକୁ ବାହାର କରିବା ଲାଗି ଏକ ଯୁଦ୍ଧର ଆବଶ୍ୟକତା ରହିଛି।

କହିବା ବାହୁଲ୍ୟ ଯେ ଏଭଳି ଯୁଦ୍ଧ ଅତ୍ୟନ୍ତ ଭୟାବହ ଓ ଅନେକ ସମୟରେ ସିଂହମାନଙ୍କ ଲାଗି ଅନ୍ତିମ ଯୁଦ୍ଧରେ ପରିଣତ ହୋଇଥାଏ। ଏହି ତରୁଣ ସିଂହଟି ଯଦି ତାର ପ୍ରେମର ପରାକାଷ୍ଠା ପ୍ରଦର୍ଶନ କରିବା ଲାଗି ଅସୀମ ବୀରତ୍ବ ‌େଦଖାଇ ସଫଳ ହୁଏ, ତେବେ ଏହି ସୁଦୂର ପ୍ରେମିକା ଲାଭ କରିବାର ତାର ଆଶା ଚରିତାର୍ଥ ହେବ।

ସମ୍ବନ୍ଧିତ ଖବର