ହକି ଅଲିଂପିଆନଙ୍କ ଗାଁ

ଡମ୍ବରୁଧର ନାୟକ

ଛତିଶଗଡ଼-ଝାଡ଼ଖଣ୍ଡ ସୀମାରେ ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁ ଲୁଲକିଡ଼ିହି। ଓଡ଼ିଶା ମାନଚିତ୍ରରେ ବଣପାହାଡ଼ ଘେରା ଏହି ଗାଁକୁ ଖୋଜି ପାଇବା ସହଜ କଥା ନୁହେଁ। କିନ୍ତୁ ଏଠାରୁ ଆକାଶ ପଥରେ ୭ ହଜାର କିଲୋମିଟର ଦୂରସ୍ଥ ଟୋକିଓରେ ହକି ଚମକ ଦେଖାଇଛନ୍ତି ଏହି ଗାଁ ଝିଅ ଦୀପଗ୍ରେସ ଏକ୍କା। ତେବେ, ଖାଲି ଏକା ଦୀପଗ୍ରେସ ନୁହନ୍ତି, ହକି ଅଲିଂପିଆନ୍ ପ୍ରବୋଧ ତିର୍କୀ ଓ ଇଗ୍ନେସ ତିର୍କୀ ମଧ୍ୟ ଏହି ଗାଁର। ତା’ ଛଡ଼ା ଏହି ଗାଁ ଦେଇଛି ଭାରତୀୟ ମହିଳା ହକିରେ ଅନ୍ତର୍ଜାତୀୟ ଖେଳାଳି ବିନିତା ଟପ୍ପୋ, ନୀଳିମା କୁଜୁର, ଆନ୍ନାରିତା କେର୍କେଟା, ମୁକ୍ତା ବାର୍ଲାଙ୍କ ପରି ଅନେକ ରତ୍ନଙ୍କୁ।

ତେବେ, ଦୀପଗ୍ରେସଙ୍କ ସକାଶେ ସେ ଦିନ ଟୋକିଓରେ ମହିଳା ହକି ସେମି ଫାଇନାଲ ଖେଳ ଚାଲିଥିବା ବେଳେ ସାରା ଓଡ଼ିଶା ଚାହିଁଥିଲା ଲୁଲକିଡ଼ିହିର ଝିଅ ଦୀପଗ୍ରେସଙ୍କ ଆଡ଼କୁ। ସୁତରାଂ, ସେ ଦିନ କେମିତି ଦୁଲୁକୁଛି ଅଲିମ୍ପିଆନଙ୍କ ଗାଁ, ତାହା ଜାଣିବାକୁ ଯାଇଥିଲି ଦୀପଗ୍ରେସଙ୍କ ଗାଁକୁ।

ସୁନ୍ଦରଗଡ଼ରୁ ୬୦ କିଲୋମିଟର ଦୂର ଜଙ୍ଗଲ ଘେରା ଏହି ଗାଁ। ବାଲିଶଙ୍କରା ବ୍ଲକ୍‌ ତଳସରାରୁ ପିଚୁ ରାସ୍ତାଟେ ଲମ୍ବି ଯାଇଛି। ସେଠାରୁ ଦୀପଗ୍ରେସ ଏକ୍କାଙ୍କ ଘର ଗୋଟିଏ କିଲୋମିଟର ଦୂର ବାମନିବାହାଲରେ। ଦୀପଗ୍ରେସଙ୍କ ଘରକୁ ପଶିଲା ବେଳକୁ ମୋତେ ଅପେକ୍ଷା କରି ରହିଥି‌େଲ ଅନେକ ବିସ୍ମୟ। ଛୋଟ ପାଚେରି ଘେରା ଟିଣ ଛପର ଘର। ହତା ଭିତରେ ଗୋଟିଏ ପାର୍ଶ୍ବରେ ଗୁହାଳ। ଆର ପାଖରେ ଏକ ବଡ଼ ଗଛ ମୂଳରେ ଘୁଷୁରି ଭାଡ଼ି। ସକାଳୁ ସକାଳୁ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ ଦୀପଗ୍ରେସଙ୍କ ମା’ ଜୟମନି। ତେବେ, ଝିଅର ଖେଳ ଦେଖିବେ ବୋଲି ସେ ଦିନ ବେଳାବେଳି ଫେରି ଆସିଥିଲେ। ଦୀପଗ୍ରେସଙ୍କ ଭାଉଜ ମାର୍ଟିନା କ୍ଷେତକୁ ତଳି ରୋଇବାକୁ ଚାଲି ଯାଇଥିଲେ। ବାପା ଚାଲେସ ଏକ୍କା ଦୀପଗ୍ରେସ ପଠାଇଥିବା ଭାରତୀୟ ଜର୍ସି ପିନ୍ଧି ଅପେକ୍ଷା କରିଥିଲେ ଖେଳକୁ। କିନ୍ତୁ ଘରେ ଟିଭି ନଥିଲା। ଗାଁରେ କାହାର କାହାର ଟିଭି ଥିଲେ ମଧ୍ୟ ବିଜୁଳିର ଲୁଚକାଳି ଖେଳ ଓ ଅତି ଲୋ-ଭୋଲଟେଜ୍‌ ହେତୁ ଟିଭିର କିଛି ମୂଲ୍ୟ ନ ଥିଲା। ସୁତରାଂ, ଝିଅର ଖେଳ ଦେଖିବାକୁ ଘର ଠାରୁ ଗୋଟିଏ କିଲୋମିଟର ଦୂର ଜଣଙ୍କ ଘରକୁ ଗଲେ ବାପା, ମା ଓ ଦୀପଗ୍ରେସଙ୍କ ଝିଆରୀ।

ଭାଇ ଡେଭିଡ୍‌ କହିଥିଲେ ଯେ ଘର ପଛ ପଟ ବାଡ଼ିରେ ଦୀପଗ୍ରେସ ହକି ଅଭ୍ୟାସ କରୁଥିଲେ। ଏବେ ସେଇଠି ମାଣ୍ଡିଆ କି କୋଳଥ ଚାଷ ପାଇଁ ବିଲ ପ୍ରସ୍ତୁତି ଚାଲିଛି। ମନରେ ଭାବୁଥିଲି ସେହି ପଡ଼ିଆରୁ ଆଷ୍ଟ୍ରୋଟର୍ଫରେ ଖେଳର ଯାଦୁ ଦେଖାଇବା ପର୍ଯ୍ୟନ୍ତ ଯାତ୍ରା କିଭଳି ଘାତପ୍ରତିଘାତ ଭରା ହୋଇ ନ ଥିବ ସତେ! ଦୀପଗ୍ରେସଙ୍କ ଘରୁ ଫେରିଲା ବେଳେ ମନରେ ଏହି ପ୍ରଶ୍ନ ଆନ୍ଦୋଳିତ ହେଉଥିଲା।

ଏବେ ଆଉ ଏକ ହକିର ଗାଁ ସଉନାମୁରା। ଏହା ଦିଲୀପ ତିର୍କୀଙ୍କ ଘର। ଏହାର ଏବର ପରିଚୟ ଏହା ଯେ ଏହି ଗାଁରେ ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ମଧ୍ୟ ଘର। ଏହି ଗାଁର ମହିମା ମଧ୍ୟ କିଛି କମ୍‌ ନୁହେଁ। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ସୁଭଦ୍ରା ପ୍ରଧାନ, ଆନ୍ତର୍ଜାତିକ ଖେଳାଳି ଦୀପସାନ ତିର୍କୀଙ୍କ ଜନ୍ମ ମଧ୍ୟ ଏଇଠି। ଭାରତୀୟ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିଂପିକ୍‌ରେ ବ୍ରୋଂଜ୍‌ ପଦକ ଜିଣିଲେ। ପଦକ ଜିତିବା ପରେ ମୁଁ ଗଲି ସଉନାମୁରା।

ଗାଁରେ ବିଜୟ ଖୁସିର ପରିବେଶ ଥିଲା। କିନ୍ତୁ ଲୁଲକିଡ଼ିହିରେ ଯେଉଁ ଚିତ୍ର ଦିଶିଲା, ତାହା ଥିଲା ମର୍ମଭେଦୀ। ଏକ ଅତ୍ୟନ୍ତ ଅନୁନ୍ନତ ଗାଁ। ପରିବାରର ସଦସ୍ୟଙ୍କ ଠାରୁ ଜାଣିଲି ଯେ ଯେତେବେଳେ ଅମିତ ଟୋକିଓ ଅଲିମ୍ପିକ୍‌ସର ହକି ପଡ଼ିଆରେ ପ୍ରତିପକ୍ଷ ଜର୍ମାନି ବିରୋଧରେ ଚମତ୍କାର ଖେଳ ପ୍ରଦର୍ଶନ କରି ଚାଲିଥିଲେ, ସେତେବେଳେ ତାଙ୍କ ମା’ ଓ ଭଉଣୀ ବିଲରେ ଚାଷ କାମ ବୁଝିବାକୁ ଯାଇଥିଲେ। ସୁତରାଂ, ଘର ପୁଅର ଖେଳ ସେମାନେ ଦେଖି ନ ଥିଲେ।

ଶୁଣିବାକୁ ପାଇଲୁ ଅର୍ଥ ଅଭାବରୁ ହକି ବାଡ଼ି କି ବଲ୍‌ କିଣି ନ ପାରି ବାଉଁଶ ଓ କାଠ ଫାଳିଆକୁ ହକି ବାଡ଼ି ଭାବେ ବ୍ୟବହାର କରି ଅମିତ ଗାଁ ମିସନ ସ୍କୁଲ ପଡ଼ିଆରେ ଅଭ୍ୟାସ କରୁଥିଲେ। ଆଜି ସୁଦ୍ଧା ସେହି ଗାଁରେ ହକି ପଡ଼ିଆଟେ ନାହିଁ। ଚାରି ବର୍ଷ ହେଲାଣି ଗାଁ ମୁଣ୍ଡରେ ତିଆରି ହେଉଥିବା ଆଷ୍ଟ୍ରୋଟର୍ଫ ଏଯାଏ ମୁହଁ ମାଡ଼ି ପଡ଼ିଛି।

ଆମ ରାଜ୍ୟ ସରକାର ହକିର ଯେମିତି ପୃଷ୍ଠପୋଷକତା କରିଛନ୍ତି ତାହା ଉଦାହରଣୀୟ। ସାରା ଦେଶରେ ସେଥି ଲାଗି ସରକାରଙ୍କୁ ଅଭିନନ୍ଦନ ମିଳିବାରେ ଲାଗିଛି। କିନ୍ତୁ ହକିର ଗଡ଼ ସୁନ୍ଦରଗଡ଼ର ଦୁଇ ଅଲିଂପିଆନଙ୍କ ଗାଁକୁ ଯିବା ପରେ ମନେ ହେଲା ଦୀପ ତଳ ଅନ୍ଧକାର ଭଳି ଅବସ୍ଥା। କିନ୍ତୁ ଏ ସବୁ ସତ୍ତ୍ବେ ଆଶ୍ବାସନା ମିଳିଥିଲା ଯେ ସେହି ଦୁଇ ଗାଁର ପରିବେଶରେ ହକିର ଏକ ବୈଦ୍ୟୁତିକ ତରଙ୍ଗ ରହିଛି। ସେହି ଗାଁଗୁଡ଼ିକରେ ପିଲାମାନେ ହକି ପାଗଳ। ସୁତରାଂ, ସବୁ ଅଭାବ ଓ ଅସୁବିଧା ସତ୍ତ୍ବେ ସେଠାରୁ ହକିର ତାରକାମାନେ ଓଡ଼ିଶାକୁ ଉଦ୍‌ଭାସିତ କରିବେ।

ମୋ: ୯୯୩୭୬୮୭୧୦୩

ସମ୍ବନ୍ଧିତ ଖବର