ଚିରସ୍ରୋତା ଜୀବନ

ଧୀରେନ୍ଦ୍ର କୁମାର ମିଶ୍ର

ଜୀବନର ମହକ ଅନନ୍ୟ। ଫ୍ଲୁ ହେଉ ବା ପ୍ଲେଗ୍‌ ଅଥବା ହେଉ ଦୁର୍ଭିକ୍ଷ ବା ମହାମାରୀ; ସେ ସବୁ ମାତ୍ର କେଇ ଦିନ ପାଇଁ ଜୀବନର ଗତିରୋଧ କରିଛି ସତ, ମାତ୍ର ତା’ର ନିର୍ମଳ ପ୍ରବାହକୁ ବନ୍ଦ କରିପାରିନି। ଗଛଟିଏ ତା’ର ଡାଳ ସବୁ କାଟି ଦେବା ପରେ ଯେମିତି ପୁଣି ଶାଖା ମେଲାଏ, ଗଣ୍ଡିରୁ ଗଛଟିକୁ କାଟି ଦେଲା ପରେ ଯେମିତି ପୁଣି ନୂଆ ପତ୍ର ଥୁଣ୍ଟା ଗଣ୍ଡିରୁ ସୂର୍ଯ୍ୟ ଆଡ଼କୁ ତା’ର କଅଁଳ ଅବୟବଟି ଲମ୍ବେଇ ଦିଏ, ପ୍ରକୃତିର ଅଫୁରନ୍ତ ପ୍ରାଣଶକ୍ତି ସେମିତି ମଣିଷର ଜିଗୀଷାରୁ ସ୍ପଷ୍ଟ ବାରି ହୁଏ। ପ୍ରକୃତିର ଅଣୁ ପରମାଣୁରେ ସେଇ ଜୀବନର ଝଙ୍କାର; ଇତିହାସ ଯାହାର ମୂକସାକ୍ଷୀ।

ସବୁ ଦିନ ପରି ଛାତ ଉପରେ ବସିଥିଲେ ଶମ୍ଭୁନାଥ। ଉପରେ ନିର୍ମଳ ଆକାଶ। ଦାଆ ପରି ଦ୍ବିତୀୟା ଜହ୍ନରୁ ଝରିପଡୁଛି ଆଲୁଅ। ଉତ୍ତର ଆକାଶରେ ଧ୍ରୁବତାରା ସପ୍ତର୍ଷିମଣ୍ଡଳର ଶିର ମଣ୍ତନ କରିଛି। ସବୁ ଦିନ ପରି ତାଙ୍କର ମନ ହେଲା କିଛି ଗୋଟେ ଲେଖିବେ। ହେଲେ, ସେ ଆଗ୍ରହ କ୍ଷଣିକ ଭିତରେ ମି‌େଳଇ ଗଲା। ହଠାତ୍‌ ଅାକାଶରେ ଛାଇଗଲା ଅନ୍ଧକାର। ଜହ୍ନ ଓ ତାରାମାନେ ଲୁଚିଗଲେ। ଯେଉଁ ପବନ ଏବେ ଯାଏଁ ତାଙ୍କ ମୁହଁରେ ସୁଶୀତଳ ଚନ୍ଦନ ଲେପୁଥିଲା, ହଠାତ୍ ସ୍ଥିର ହୋଇଗଲା। ଆକାଶରେ ଢାଙ୍କି ହୋଇଗଲା ମେଘ। ଶମ୍ଭୁନାଥ ଫେରି ଆସିଲେ ନିଜ କୋଠରିକୁ।
ପାଖ ଘରେ ମା’ ଶୋଇଛି। କରୋନା ସଂଗ୍ରାମରେ ଏବେ ଏବେ ବିଜୟ ଲାଭ କରି ସେ ବିଶ୍ରାମ କରୁଛି। ଚାରିଆଡ଼େ ହତାଶା ଆଉ ମଣିଷର ହାହାକାର। ଚତୁର୍ଦ୍ଦିଗ‌େର ଅସହାୟ ମଣିଷ। ଲାଗୁଛି ସତେ ଯେମିତି ଜୀବନ ଅଟକି ଯାଇଛି ଏବଂ ଏକ ଦୁଃଖ ଓ ଶୋକର ଭଉଁରି ଭିତରେ ଚକ୍ରି କାଟୁଛି। ହଠାତ୍ କବାଟରେ ମୃଦୁ ଶବ୍ଦ। ଝିଅ ଡାକୁଛି। ତାକୁ ଭିତରକୁ ଡାକିଲେ ସେ ଓ ପଚାରିଲେ- କିଛି କହିବୁ ମା’?
ଟିକିଏ ରହି ଓ ତା’ ପରେ ଇତଃସ୍ତତଃ ହୋଇ ଝିଅ କହିଲା- ‘ତମକୁ ଏ ଅବସ୍ଥାରେ ଛାଡ଼ିଯିବାକୁ ହେବ ବୋଲି ଭାବି ପାରୁନି।’

ଶମ୍ଭୁନାଥ ବିଚଳିତ ହୋଇଗଲେ। ପତ୍ନୀଙ୍କୁ ହରାଇବା ଦିନୁ ଝିଅ ଅନ୍ନପୂର୍ଣ୍ଣା ହିଁ ତାଙ୍କର ସବୁ କିଛି। ଘରେ ରୋଗିଣା ମା’ ତା’ ନାତୁଣୀର ସେବାରେ ନୂଆ ଜୀବନ ପାଇଛି ଏବେ ଏବେ। ଅନ୍ନପୂର୍ଣ୍ଣା ଡାକ୍ତରାଣୀ। ପି.ଜି. କରିବ ମାଇକ୍ରୋ ବାୟୋଲୋଜିରେ। କରୋନା ଯୋଗୁ ଏବେ ସବୁଥିରେ ବିରାମ। ତା’ ମା’ର ବହୁତ ଇଚ୍ଛା ଥିଲା ଝିଅକୁ ଡାକ୍ତର ବେଶରେ ଦେଖିବ! କିନ୍ତୁ ତାହା ଆଶାରେ ରହିଗଲା। ମେଡିକାଲ ଏଣ୍ଟ୍ରାନ୍‌ସ ଦେବା ପୂର୍ବରୁ ଆର ପାରିକୁ ଚାଲିଗଲା ସେ। ଅନ୍ନପୂର୍ଣ୍ଣା କହିଲା, ‘ପାପା, ମୁଁ କ’ଣ କହୁଥିଲି କି ଏବେ ତ ମୋର ଆଉ କିଛି କରିବାର ନାହିଁ ଏଠି। ଜେଜିମା’ ଠିକ୍ ହୋଇ ଆସିଲେଣି। ଆଜି ଜାଣିବାକୁ ପାଇଲି ଯେ ଆଲମୋରା ସହରରେ ଜଣେ ମାତ୍ର ମାଇକ୍ରୋ ବାୟୋଲୋଜିଷ୍ଟ କାମ କରୁଛନ୍ତି ଓ ସାମ୍ପଲ ଟେଷ୍ଟିଂ ପାଇଁ ତାଙ୍କ ଉପରେ ଅନେକ ଚାପ। ଯଦି ଆପଣ ରାଜି ହୁଅ‌େନ୍ତ, ତେବେ ମୁଁ ଯାଆନ୍ତି। ମୋର ବି ଏକ୍‌ସପେରିଏନ୍‌ସ ହୋଇଯାଆନ୍ତା।
ଶମ୍ଭୁନାଥ ଚାହିଁଥିଲେ ଝିଅର ମୁହଁକୁ। ଉତ୍ତରାଖଣ୍ଡର କୁମାୟୁଁ ଇଲାକାର ଆଲମୋରା ସହର। ତିନି ହଜାର ବର୍ଗ କିଲୋମିଟରର ଜିଲ୍ଲାଟି ବନାନୀ ଭରା। ସମୁଦ୍ର ପତ୍ତନରୁ ୧୬୦୦ ମିଟର ଉପରେ; ସତେ ଯେମିତି ସ୍ବର୍ଗକୁ ଛୁଇଁବ ଛୁଇଁବ ହେଉଛି। ହେଲେ, ଏଠାରେ ବି ତ କରୋନାର କଶାଘାତ!

ତେଣେ ଏ ଆଲମୋରା ସରକାରୀ ମେଡିକାଲ କଲେଜର ଲାବୋରଟୋରି ଭିତରେ ଗଲା ୬ ମାସ ହେଲା ସକାଳ ୬ରୁ ସବୁ ସାମ୍ପଲ ଟେଷ୍ଟ୍‌ ନ ହେବା ଯାଏ ଅବିଚଳ ଘଣ୍ଟା ଘଣ୍ଟା ଧରି ବ୍ୟସ୍ତ ରହିଛି ତେତିଶ ବର୍ଷୀୟ ଯୁବ ଡାକ୍ତର ଜିତେନ୍ଦ୍ର ଦେବରାରୀ। ଚାରି ଜଣ ଅଧସ୍ତନ କର୍ମଚାରୀଙ୍କୁ ଧରି କାମ କରୁଥିବା ମାଇକ୍ରୋ-ବାୟୋଲୋଜିଷ୍ଟ ଜିତେନ୍ଦ୍ର ଗତ ଛଅ ମାସ ଭିତରେ ଦିନେ ହେଲେ ବି ଛୁଟି ନେଇ ନାହାନ୍ତି। ଅନେକ ଥର ଖାଇବା ଭୁଲି ଯାଇଛନ୍ତି। ଜଣେ ଅବସରପ୍ରାପ୍ତ ସୈନିକଙ୍କ ପୁଅ ସେ। କର୍ତ୍ତବ୍ୟବୋଧର ସବୁ ପାଠ ତାଙ୍କଠୁ ଶିଖିଛନ୍ତି ସେ। ଆଲମୋରା ସହର। ଶମ୍ଭୁନାଥଙ୍କ ମନେ ପଡ଼ିଗଲା ପିଲା ଦିନେ ପଢ଼ିଥିବା ସାର୍‌ ରୋନାଲ୍‌ଡ ରସ୍‌ଙ୍କ କଥା। ରସ୍‌ ଥିଲେ ଜଣେ ଆର୍ମି ଅଫିସରଙ୍କ ପୁଅ, ଯିଏ ଜନ୍ମ ହୋଇଥିଲେ ସେହି ଆଲମୋରା ସହରରେ। ପରବର୍ତ୍ତୀ ସମୟରେ ସେ ଆନୋଫିଲିସ୍‌ ମଶା ଉପରେ ଗବେଷଣା କରି ମ୍ୟାଲେରିଆ ରୋଗର ପ୍ରକୃତ କାରଣ ଆବିଷ୍କାର କରିଥିଲେ। ୧୯୦୨ ମସିହା‌େର ତାଙ୍କୁ ମିଳିଥିଲା ନୋବେଲ ପୁରସ୍କାର। ସେଇ ସହରକୁ ବାହାରିଛି ଝିଅ। ମୃତ୍ୟୁ ବିରୋଧରେ ଏହା ହେଉଛି ତା’ର ସଂଗ୍ରାମ। ତାକୁ ସେ ଆଶୀର୍ବାଦ ଦେ‌େବନି?

ପତ୍ନୀ ଗୀତିମୟୀଙ୍କ ଫଟୋକୁ ଚାହିଁଲେ ସେ। ହଠାତ୍‌ ଏକ ଆବେଗ ତାଙ୍କୁ ପ୍ଳାବିତ କରିଦେଲା। ଝିଅକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ପକାଇଲେ ସେ। ଅନ୍ନପୂର୍ଣ୍ଣା କିଛି ବୁଝି ନ ପାରି ବି ସବୁ ବୁଝି ପାରୁଥିଲା। ସେ ତାଙ୍କ ଆଖିରୁ ଲୁହ ପୋଛି ଦେଉଥିଲା। ଶମ୍ଭୁନାଥଙ୍କ ଭଳି ତାକୁ ବି ଲାଗୁଥିଲା ଯେ ଜୀବନ ଏକ ନିରବଚ୍ଛିନ୍ନ ପ୍ରବାହ, ଯେଉଁଥିରେ ତାକୁ ଅବଗାହନ କରିବାକୁ ହେବ। ମାନବିକତା ହିଁ ଏହି ଦାରୁଣ କାଳରେ ଜୀବନକୁ ହାହାକାରମୁକ୍ତ କରିବ; ବାଧକକୁ ହଟାଇ ଜୀବନ ବହିଯିବା ଲାଗି ବାଟ ତିଆରି କରିବ। ପାଖ କୋଠରିରୁ ଶମ୍ଭୁନାଥ ଶୁଣି ପାରୁଥିଲେ ତାଙ୍କ ମା’ଙ୍କ ସ୍ବର। ‘ଆରେ ଶମ୍ଭୁ। ଗାଁ ବାଡିରେ ବହୁତ ଆମ୍ବ ହେଇଥିଲା। ପାଚି ଯିବଣି। ତୋଳିବାର ବ୍ୟବସ୍ଥା କର।’
ପ୍ରଧାନ ଆୟକର ଆୟୁକ୍ତ
ଭୁବନେଶ୍ବର

ସମ୍ବନ୍ଧିତ ଖବର