ଗତ କାଲି ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକଦେବଙ୍କ ଜନ୍ମ ଦିବସ ରୂପେ ପାଳିତ ହେଉଥିବା ‘ଗୁରୁ ପରବ’ ଉପଲକ୍ଷେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଏକ ଟେଲିଭିଜନ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଐନ୍ଦ୍ରଜାଲିକ ତୁଲ୍ୟ ଅଚାନକ ଯାହା ଆଣି ରାଷ୍ଟ୍ର ସମକ୍ଷରେ ତୋଳି ଧରି ସମସ୍ତଙ୍କୁ ବାକ୍ହତ କରି ପକାଇଛନ୍ତି, ତାହା ହେଲା ଗଲା ଏକ ବର୍ଷ ଧରି ପଞ୍ଜାବ, ହରିଆଣା ଏବ˚ ଉତ୍ତରପ୍ରଦେଶର ହଜାର ହଜାର କୃଷକଙ୍କ ନିରବଚ୍ଛିନ୍ନ ବିରୋଧ ଆନ୍ଦୋଳନର ସମ୍ମୁଖୀନ ହୋଇ ଆସିଥିବା ବିବାଦୀୟ ତିନି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିନେବା ସହିତ ଏଥି ଲାଗି କ୍ଷମା ଯାଚନା। ଆସନ୍ତା ସ˚ସଦ ଅଧିବେଶନରେ ଆଇନ ତିନିଟିକୁ ବିଧିବଦ୍ଧ ଭାବେ ପ୍ରତ୍ୟାହାର କରି ନିଆଯିବ ବୋଲି ମଧୢ ସେ ସ୍ପଷ୍ଟ କରି ଦେଇଛନ୍ତି। ଏହି ସ୍ତମ୍ଭକୁ ପାଠ କରୁଥିବା ପ୍ରାୟ ସମସ୍ତେ ଅବଗତ ଥିବେ କିଭଳି ସରକାର ଏବ˚ ଆନ୍ଦୋଳନକାରୀଙ୍କ ମଧୢରେ ଏହି ବିବାଦ ଦୀର୍ଘ କାଳ ଧରି ଲାଗି ରହିବା ସହିତ ସମୟେ ସମୟେ ଏଭଳି ଅଣ ଲେଉଟା ବିନ୍ଦୁରେ ଉପନୀତ ହେଉଥିଲା ଯେ ମନେ ହେଉଥିଲା ନିଜ ନିଜ ସ୍ଥିତିରୁ ଫେରିବା ଉଭୟ ପକ୍ଷଙ୍କ ସକାଶେ ଏକ ଅସମ୍ଭବ ବ୍ୟାପାର ହେବ। ସେହି ଦୃଷ୍ଟିରୁ ଆଇନ ତ୍ରୟକୁ ପ୍ରତ୍ୟାହାର କରି ସରକାର ଯେଉଁ ଗୋଟିଏ ପାଦ ପଛକୁ ନେବାର ସାହସ ଦେଖାଇଛନ୍ତି; ତାକୁ ପ୍ରକୃତରେ ସ˚ହତି ବା ସଦ୍ଭାବ ପ୍ରତିଷ୍ଠା ଦିଗରେ ଗୋଟିଏ ଅଗ୍ରଗାମୀ ପଦକ୍ଷେପ ବୋଲି କୁହାଯାଇପାରେ।
୨୦୨୦ ମସିହା ସେପ୍ଟେମ୍ବର ମାସରେ ତିନିଟି କୃଷି ବିଲ୍ ସ˚ସଦରେ ପାରିତ ହୋଇ ଆଇନର ରୂପ ଗ୍ରହଣ କରିବା ମାତ୍ରକେ ପଞ୍ଜାବ, ହରିଆଣା ଏବ˚ ଉତ୍ତରପ୍ରଦେଶ ଭଳି ରାଜ୍ୟରେ କୃଷକମାନେ ଯେଉଁ ଆନ୍ଦୋଳନକୁ ଜନ୍ମ ଦେଇଥିଲେ, ତାହା ଯେ କେବଳ କେନ୍ଦ୍ରରେ ଅବସ୍ଥାପିତ ଏନ୍.ଡି.ଏ. ସରକାର ତାର ସାତ ବର୍ଷର ଶାସନ କାଳ ମଧ୍ୟରେ ସମ୍ମୁଖୀନ ହୋଇଥିବା ସର୍ବାଧିକ ପ୍ରଭାବଶାଳୀ ଆନ୍ଦୋଳନ, ତାହା ନୁହେଁ, ଏହା ମଧୢ ୧୯୯୦ ମସିହାରେ ମହେନ୍ଦ୍ର ସି˚ହ ଟିକାୟତ ଏବ˚ ଶରଦ ଯୋଶୀଙ୍କ ନେତୃତ୍ବରେ ହୋଇଥିବା ବିଶାଳ କୃଷକ ଆନ୍ଦୋଳନ ପରେ ସ୍ବାଧୀନତୋତ୍ତର ଭାରତ ଦେଖିଥିବା ଦ୍ବିତୀୟ ସର୍ବାଧିକ ସଘନ ଚାଷୀ ଆନ୍ଦୋଳନ। ଉଲ୍ଲେଖଯୋଗ୍ୟ ଯେ ଗତ ସାଧାରଣତନ୍ତ୍ର ଦିବସରେ କିଛି ଉଚ୍ଛୃଙ୍ଖଳ ଆନ୍ଦୋଳନକାରୀଙ୍କ ଦ୍ବାରା ଲାଲକିଲ୍ଲାରେ ବଳପୂର୍ବକ ଅନୁପ୍ରବେଶ ଏବ˚ ସେଠାରେ ଏକ ଶିଖ ପନ୍ଥୀୟ ପତାକା ଉତ୍ତୋଳନର ଉଦ୍ୟମ ଭଳି କିଛି ଦୁର୍ଭାଗ୍ୟଜନକ ଘଟଣା ବ୍ୟତୀତ ଏହା ମୁଖ୍ୟତଃ ଏକ ଅହି˚ସ ଆନ୍ଦୋଳନ ହୋଇ ରହି ଆସିଛି; ଏବ˚ ସାମାଜିକ ଗଣମାଧୢମରେ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ଘୃଣା ବ୍ୟ˚ଜକ ଅଜସ୍ର ଅତ୍ୟନ୍ତ କଟୁ ଗାଳିଗୁଲଜ ସତ୍ତ୍ବେ (ଆନ୍ଦୋଳନକାରୀଙ୍କୁ ଖଲିସ୍ତାନୀ ବୋଲି କୁହାଯିବା ଭଳି) ଆନ୍ଦୋଳନକାରୀମାନେ ଲାଂଛନାକୁ ନିରବରେ ଉଦରସ୍ଥ କରି ନେଇଛନ୍ତି। କିନ୍ତୁ ତାହା ସହିତ ଏହା ମଧୢ ସ୍ବୀକାର୍ଯ୍ୟ ଯେ ଆନ୍ଦୋଳନକାରୀମାନଙ୍କ ଦ୍ବାରା କରାଯାଇଥିବା ଅତ୍ୟନ୍ତ ଦୀର୍ଘକାଳୀନ ସଡ଼କ ଅବରୋଧ ନେଇ ସାଧାରଣ ନାଗରିକଙ୍କ ଠାରୁ ପ୍ରାରମ୍ଭ କରି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପର୍ଯ୍ୟନ୍ତ ଅସନ୍ତୋଷ ଏବ˚ ବିରକ୍ତି ମଧୢ ପ୍ରକାଶ କରିଛନ୍ତି। ଏ ପରିପ୍ରେକ୍ଷୀରେ ସଂପ୍ରତି ଏହାର ଅବସାନ ଘଟିବାର ସମ୍ଭାବନା ସମସ୍ତଙ୍କୁ ଆଶ୍ବସ୍ତ କରନ୍ତା; କିନ୍ତୁ ତିନିଟି ଯାକ ଆଇନ ସଂସଦରେ ବିଧିବଦ୍ଧ ପ୍ରତ୍ୟାହୃତ ନ ହେବା ପର୍ଯ୍ୟନ୍ତ (ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଘୋଷଣା ସତ୍ତ୍ବେ) ‘ଭାରତୀୟ କିଷାନ ୟୁନିଅନ୍’ ତା’ର ଆନ୍ଦୋଳନ ପ୍ରତ୍ୟାହାର କରିବ ନାହିଁ ବୋଲି ଘୋଷଣା କରି ତାର ନେତା ରାକେଶ ଟିକାୟତ ଏକ ଅନିଶ୍ଚିତତାର ବାତାବରଣ ମଧ୍ୟ ସୃଷ୍ଟି କରିଛି।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଯାହା କହିଥାଏ, ତାହା ହେଲା ଦେଶର କୃଷି କ୍ଷେତ୍ରରେ ସ˚ସ୍କାର ଆଣିବା ଲାଗି ଅଭିପ୍ରେତ ଏହି ପ୍ରୟାସ କୃଷକମାନଙ୍କ ବିଶ୍ବାସ ଜିଣି ପାରିବାରେ ବିଫଳ ହେବାରୁ ଏହାର ପ୍ରତ୍ୟାହାର ଅବଶ୍ୟମ୍ଭାବୀ ହୋଇ ପଡ଼ିଛି। ଏହି ପରିପ୍ରେକ୍ଷୀେର ଆଇନ ତ୍ରୟରେ ରହିଥିବା କେତେକ ପ୍ରାବଧାନ କିଭଳି ଗୋଟିଏ ବର୍ଗର କୃଷକମାନଙ୍କ ଲାଗି ସନ୍ଦେହାସ୍ପଦ ହୋଇ ଉଠିଥିଲେ, ସେ ସମ୍ବନ୍ଧରେ ଚୁମ୍ବକରେ ଆଲୋଚନା କରାଯାଇପାରେ। ନୂତନ ଆଇନ ଅନୁସାରେ କୃଷିଜର ବିପଣନ ସକାଶେ ଏକ ଅସୀମିତ ଖୋଲା ବଜାରର ସୁଯୋଗ ତଥା ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବା ‘ଏମ୍.ଏସ.୍ପି.’ ଉପରେ ନିର୍ଭରଶୀଳ ହୋଇ ନ ଥିବା ଦର ନିର୍ଦ୍ଧାରଣର ବ୍ୟବସ୍ଥା ହେତୁ ସରକାରୀ ମଣ୍ତି କ୍ରମେ ଗୁରୁତ୍ବ ହରାଇ କୃଷି ବଜାରରୁ ଅପସରି ଯିବାର ଭୟ ଏବ˚ ‘କଣ୍ଟ୍ରାକ୍ଟ ଫାର୍ମି˚’ ବା ‘ଚୁକ୍ତିବଦ୍ଧ କୃଷି’ ବ୍ୟବସ୍ଥାରେ ଚାଷୀମାନଙ୍କ ଭୂମ୍ୟାଧିକାର ଏବ˚ ଜୀବିକା କପୋର୍ରେଟ୍ଗୁଡ଼ିକ ଦ୍ବାରା ଅପହୃତ ହୋଇ ସେମାନଙ୍କୁ କ୍ରୀତଦାସରେ ପରିଣତ କରି ଦେବାର ଏକ ଆଶଙ୍କା ଥିଲା ଏଭଳି ସନ୍ଦେହର ମୂଳ କାରଣ। ପୁନଶ୍ଚ, ଏହି ସନ୍ଦେହ ଅଧିକ ଘନୀଭୂତ ହେବା ପଛରେ ଅନ୍ୟ ଯେଉଁ ଏକ କାରଣ ନିହିତ ଥିଲା, ତାହା ହେଉଛି ଯୁଗାନ୍ତକାରୀ ରୂପେ ସରକାରଙ୍କ ଦ୍ବାରା ଅଭିହିତ ହେବା ସତ୍ତ୍ବେ ବିଲ୍ ତିନିଟି ଆଇନର ରୂପ ନେବା ପୂର୍ବରୁ ସେଗୁଡ଼ିକ ସ˚ସଦରେ ଆଲୋଚିତ ହୋଇ ନ ଥିଲା। ଏଣେ, ଏହାକୁ ପାରିତ କରାଇ ନେବା ମାତ୍ରକେ ଶାସକ ଏନ୍.ଡି.ଏ. ମେଣ୍ଟରୁ ତା’ର ଅ˚ଶୀଦାର ଥିବା ପଞ୍ଜାବର ଶିରୋମଣି ଅକାଳୀ ଦଳ ଓହରି ଆସିବା ସହିତ ଏହି ଦଳର କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ହର୍ଷିମ୍ରତ କୌର ବାଦଲ (ଖାଦ୍ୟ ପ୍ରକ୍ରିୟାକରଣ) ଇସ୍ତଫା ପ୍ରଦାନ କରିଥିଲେ। ତଥାପି, ନୂତନ କୃଷି ଆଇନ ପ୍ରବର୍ତ୍ତନ କାଳରେ ସରକାରଙ୍କ ଅତ୍ୟନ୍ତ ଭ୍ରୂକ୍ଷେପବିହୀନ ଆଭିମୁଖ୍ୟ ଏକ ସ˚ଶୟ ସୃଷ୍ଟି କରିଥିଲା ଯେ ଭାରତୀୟ କୃଷି କ୍ଷେତ୍ରକୁ କପୋର୍ରେଟ୍ ସ˚ସ୍ଥା ହାତକୁ ଟେକି ଦେବାକୁ ସରକାରଙ୍କ ଅଭିସନ୍ଧି ପ୍ରଚ୍ଛନ୍ନ ଭାବେ ବିଦ୍ୟମାନ।
କୃଷି ଆଇନର ପ୍ରତ୍ୟାହାର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଘୋଷଣା ବିରୋଧୀ ଦଳଗୁଡ଼ିକୁ ତଟସ୍ଥ କରି ପକାଇଥିିବା ସ୍ବାଭାବିକ। ନିକଟରେ ହେବାକୁ ଥିବା ଉତ୍ତରପ୍ରଦେଶ ଓ ପଞ୍ଜାବର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ପ୍ରଧାନମନ୍ତ୍ରୀଙ୍କ ଏକ ‘ମାଷ୍ଟର ଷ୍ଟ୍ରୋକ୍’ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ କହନ୍ତି। କହିବା ଅନାବଶ୍ୟକ ଯେ ଏହି ଆଇନଗୁଡ଼ିକ ଲାଗି ଉତ୍ତର ଭାରତରେ ବିଜେପି କୃଷକମାନଙ୍କ ସମର୍ଥନ ହରାଇବାକୁ ଲାଗିଥିଲା, ଯାହା ଆସନ୍ତା ନିର୍ବାଚନରେ ହୁଏ’ତ ଦଳ ଲାଗି ପ୍ରତିକୂଳ ସାବ୍ୟସ୍ତ ହୁଅନ୍ତା। ନିକଟରେ ଅନୁଷ୍ଠିତ ତିନିଟି ରାଜ୍ୟର ଉପନିର୍ବାଚନଗୁଡ଼ିକ ମଧୢରୁ ହିମାଚଳ ପ୍ରଦେଶରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି, ଯହିଁରେ ତିନିଟି ଯାକ ବିଧାନସଭା ଏବ˚ ଏକମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପରାଜିତ ହୋଇ କ˚ଗ୍ରେସର ମନୋବଳକୁ ଦୃଢ଼ କରିଛନ୍ତି। ମନେ ହୁଏ, ଉତ୍ତର ଭାରତରେ ଦଳର ପ୍ରଭାବ କ୍ଷୁଣ୍ଣ ହେଉଥିବାର ଅନୁଭବ କରି ପ୍ରଧାନମନ୍ତ୍ରୀ ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧୢ ହୋଇଛନ୍ତି; ଅଥବା ଏହା ମଧୢ ହୋଇ ଥାଇପାରେ ଯେ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍ଙ୍କ ଭଳି କେଉଁ କ୍ଷଣରେ ବ୍ୟାଟ୍ର ଏକ ଧୀର ଓ କୋମଳ ସ୍ପର୍ଶ ଦ୍ବାରା ସାବଲୀଳ ଓ ସୁନ୍ଦର ଚୌକାଟିଏ ଲାଗି ଅବସର ସୃଷ୍ଟି କରାଯାଇପାରେ, ତାହା ନରେନ୍ଦ୍ର ମୋଦୀଙ୍କୁ ଭଲ ଭାବେ ଜଣା!