ନିଜେ ଈଶ୍ବର

ପ୍ରାୟ ଆଠ ମାସ ତଳେ ଗୋଆରେ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ‘ଭାରତୀୟ ଜାତୀୟ କଂଗ୍ରେସ’ର ସମସ୍ତ ୩୪ ଜଣ ଯାକ ପ୍ରାର୍ଥୀ ଦଳର ବରିଷ୍ଠ ନେତା ପି ଚିଦମ୍ବରମ୍‌, ଦୀ‌େନଶ ଗୁଣ୍ଡୁ ରାଓ ଓ ଗୋଆ ପ୍ରଦେଶ କଂଗ୍ରେସ ମୁଖ୍ୟ ଗିରୀଶ ଚୋଡ଼ଙ୍କରଙ୍କର ତତ୍ତ୍ବାବଧାନରେ ହିନ୍ଦୁ, ଖ୍ରୀଷ୍ଟିଆନ୍‌ ଓ ମୁସଲମାନ ଧର୍ମପୀଠମାନଙ୍କରେ ଉପସ୍ଥିତ ହୋଇ ସେଠାରେ ଈଶ୍ବରଙ୍କ ନାମରେ ଆନୁଗତ୍ୟ ଶପଥ ଗ୍ରହଣ କରିଥିଲେ। ସେମାନଙ୍କୁ ପାନାଜିସ୍ଥିତ ମହାଲକ୍ଷ୍ମୀ ମନ୍ଦିର ଓ ବାମ୍ବୋଲିମ୍‌ସ୍ଥିତ ପ୍ରସିଦ୍ଧ ହୋଲି କ୍ରସ୍‌ ଚର୍ଚ୍ଚର ପୂଜକମାନେ ଶପଥ ପାଠ କରାଇଥିବା ବେଳେ ଉପରୋକ୍ତ କଂଗ୍ରେସ ପ୍ରାର୍ଥୀମାନେ ବେଟିମ୍‌ସ୍ଥିତ ଏକ ମସ୍‌ଜିଦ୍‌ରେ ସେଇ ଶପଥ ଗ୍ରହଣ କରିବା ସହିତ ସେଠାରେ ତାହାକୁ ସମ୍ପୂର୍ଣ୍ଣ ବିଶ୍ବସନୀୟ କରିବା ଉଦ୍ଦେଶ୍ୟରେ ‘ଚାଦର’ ମଧ୍ୟ ଚଢ଼ାଇଥିଲେ।

କଂଗ୍ରେସ ଦଳ ସେତେବେଳେ ଏଭଳି ସୁଚିନ୍ତିତ ରାଜନୈତିକ-ଆଧ୍ୟାତ୍ମିକ ରଣକୌଶଳ କାର୍ଯ୍ୟକାରୀ କରିବାର କାରଣ ଥିଲା- ପୂର୍ବର ତାଜା ତିକ୍ତ ଅନୁଭୂତି। ୨୦୧୯ରେ କଂଗ୍ରେସର ୧୫ ଜଣ ବିଧାୟକମାନଙ୍କ ମଧ୍ୟରୁ ୧୦ ଜଣ ଦଳ ତ୍ୟାଗ କରି ‘ଭାରତୀୟ ଜନତା ପାର୍ଟି’ (‘ବିଜେପି’)ରେ ମିଶି ଯାଇ ସେ ଦଳକୁ ସରକାର ଗଠନ କରିବାରେ ସାହାଯ୍ୟ କରିଥିଲେ। ଏଥର ତେଣୁ କଂଗ୍ରେସ ମୂଳରୁ ହୁସିଆର ହୋଇ ଈଶ୍ବରଙ୍କୁ ବ୍ୟବହାର କରି ତାଙ୍କ ନାମରେ ପ୍ରାଥୀମାନଙ୍କ ଠାରୁ ଶପଥ ଆଦାୟ କରି ନେଇଥିଲା ଯେ ଯେଉଁମାନେ ନିର୍ବାଚନରେ ବିଜୟ ଲାଭ କରିବେ, ସେମାନେ ଅନ୍ତତଃ ପାଞ୍ଚ ବର୍ଷ ପାଇଁ କ‌ଂଗ୍ରେସ ଦଳରେ ଅନୁଗତ ହେଇ ରହିବେ!

ଘଟଣାକ୍ର‌େମ ଏହ‌ି ୩୪ ଜଣ ଶପଥ ଗ୍ରହଣକାରୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୧ ଜଣ ନିର୍ବାଚନରେ ବିଜୟ ଲାଭ କରି ବିଧାୟକ ହେଲେ। ବିଜେପି ଏଥର ମଧ୍ୟ ରାଜ୍ୟରେ ସରକାର ଗଠନ କଲା। ତେବେ ଅନ୍ୟ ଦଳର ସମର୍ଥନ ସତ୍ତ୍ବେ ବିଧାନସଭାରେ ସରକାର ଏକ କ୍ଷୀଣ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିଲା। ଏବେ ପୁଣି ଇତିହାସର ପୁନରାବୃତ୍ତି ଘଟି ଉପରୋକ୍ତ ୧୧ ଜଣ କଂ‌େଗ୍ରସ ବିଧାୟକମାନଙ୍କ ମଧ୍ୟରୁ ୮ ଜଣ, ଅର୍ଥାତ୍‌, ଦୁଇ-ତୃତୀୟାଂଶ ଦଳ ତ୍ୟାଗ କରି ପୁଣି ପୂର୍ବ ଭଳି ବିଜେପିରେ ଯୋଗ ଦେଇଛନ୍ତି, ଯାହା ଦେଶବ୍ୟାପୀ ଚହଳ ସୃଷ୍ଟି କରିଛି।

ତେବେ ଗତ ଥରର ଚାଞ୍ଚଲ୍ୟ ତୁଳନାରେ ଏଥରର ଚାଞ୍ଚଲ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭିନ୍ନତା ବହନ କରିଥାଏ। ଗତ ଥର ଏହାର ଚରିତ୍ର ଥିଲା ସମ୍ପୂର୍ଣ୍ଣ ରାଜନୈତିକ; ଏଥର କଂଗ୍ରେସ ଦଳ ତା’ର ରଣକୌଶଳରେ ଈଶ୍ବରଙ୍କୁ ଛନ୍ଦି ଦେଇ ଥିବାରୁ (ନିଜକୁ ଏକ ଧର୍ମନିରପେକ୍ଷ ଦଳ ରୂପେ ଘୋଷଣା କରୁଥିବାରୁ ତିନି ମୁଖ୍ୟ ଧର୍ମର ଈଶ୍ବରଙ୍କୁ ଏଥିରେ ସମ୍ପୃକ୍ତ କରାଯାଇଥିଲା) ଏଥରର ଚାଞ୍ଚଲ୍ୟ ଏକ ଜଟିଳ ତଥା ସ୍ପର୍ଶକାତର ଆଧ୍ୟାତ୍ମିକ ରୂପ ମଧ୍ୟ ପରିଗ୍ରହଣ କରିଛି। ଆଉ ଟିକିଏ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଉପରୋକ୍ତ ଆଠ ଜଣ ଦଳତ୍ୟାଗୀ ବିଧାୟକମାନଙ୍କର କାର୍ଯ୍ୟ ଏକ ବହୁ ପୁରାତନ ପ୍ରଶ୍ନରେ ପୁଣି ପ୍ରାଣସଞ୍ଚାର କରିଛି; ଈଶ୍ବର ଅଛନ୍ତି କି?

ଏ ପ୍ରଶ୍ନର ଉତ୍ତର ‘ହଁ’ ହେବା ସପକ୍ଷରେ ଆସ୍ତିକମାନେ ଯେତିକି ଯୁକ୍ତି ଉପସ୍ଥାପନ କରିଥାନ୍ତି, ‘ନାଁ’ ହେବା ସପକ୍ଷରେ ମଧ୍ୟ ନାସ୍ତିକମାନେ ସେତିକି ଯୁକ୍ତି ଉପସ୍ଥାପନ କରିଥାନ୍ତି। ଏ ସମସ୍ତ ବାକ୍‌ ବିତଣ୍ଡା ଭିତରେ ଈଶ୍ବରଙ୍କ ଅସ୍ତିତ୍ବ ସପକ୍ଷରେ ଯେଉଁ ଯୁକ୍ତିକୁ ସର୍ବାଧିକ ପ୍ରାଞ୍ଜଳ ଓ ଶକ୍ତିଶାଳୀ ରୂପେ ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ, ତାହା ହେଉଛି ଥମାସ୍‌ ଆକ୍ବିନାସ୍‌ ତ୍ର‌େୟାଦଶ ଶତାବ୍ଦୀରେ ଉପସ୍ଥାପନ କରିଥିବା ଏହି ପଞ୍ଚସୂତ୍ରୀ ପ୍ରମାଣ। ପ୍ରଥମ, ପୃଥିବୀରେ ପ୍ରତ୍ୟେକ ପଦାର୍ଥ ହେଉଛି ପରିବର୍ତ୍ତନଶୀଳ। ଯେ କୌଣସି ପରିବର୍ତ୍ତନର କାରଣ ହେଉଛି ଅନ୍ୟ କୌଣସି ଏକ ପରିବର୍ତ୍ତନ; ତା’ର କାରଣ ହେଉଛି ଅନ୍ୟ ଏକ ପରିବର୍ତ୍ତନ, ତା’ର କାରଣ ହେଉଛି ଅନ୍ୟ ଏକ ପରିବର୍ତ୍ତନ… (ଆକ୍ବିନାସ୍‌ଙ୍କ ଭାଷାରେ: ହାତ ଯଦି ବାଡ଼ିଟିକୁ ନ ହଲାଏ, ବାଡ଼ିଟି କାହାକୁ ହଲାଇ ପାରିବ ନାହିଁ)। ଏମିତି ପଛକୁ ପଛକୁ ଗଲେ ଆମେ ଏକ ସର୍ବଶକ୍ତିମାନ ପରିବର୍ତ୍ତନରେ ପହଞ୍ଚିବା ଯାହାର କିଛି କାରଣ ନାହିଁ। ସେଇ ପ୍ରଥମ ପରିବର୍ତ୍ତନ ହିଁ ହେଉଛନ୍ତି ଈଶ୍ବର। ଦ୍ବିତୀୟ, ସଂସାରରେ କେହି ନିଜେ ନିଜକୁ ସୃଷ୍ଟି କରିପାରେ ନାହିଁ, ପ୍ରତ୍ୟେକ କାର୍ଯ୍ୟର ଅନ୍ୟ ଏକ କାରଣ ଥାଏ। ପୂର୍ବ ଭଳି ଆମେ ଯଦି ଏହି ଯୁକ୍ତିକୁ ଅନୁସରଣ କରି ପଛକୁ ପଛକୁ ଚାଲିବା, ତେବେ ଏକ ସମୟରେ ଏଭଳି ଏକ କାର୍ଯ୍ୟର ସମ୍ମୁଖୀନ ହେବା, ଯିଏ ହେଉଛି ନିଜେ ନିଜର କାରଣ। ସେଇ ହିଁ ହେଉଛନ୍ତି ସର୍ବଶକ୍ତିମାନ ଈଶ୍ବର। ତୃତୀୟ, ସଂସାରରେ ପ୍ରତ୍ୟେକ ପଦାର୍ଥର ଆରମ୍ଭ ଅଛି ଓ ଶେଷ ଅଛି। ଯଦି ଶେଷ ହେବା ପରେ ପ୍ରତ୍ୟେକ ପଦାର୍ଥର ସମ୍ପୂର୍ଣ୍ଣ ବିଲୟ ଘଟୁଥାନ୍ତା, ତେବେ ସଂସାରରେ କେବଳ ଶୂନ୍ୟତା ବିରାଜମାନ କରୁଥାନ୍ତା। ଯେହେତୁ ଶୂନ୍ୟତାରୁ କୌଣସି ନୂତନ ସୃଷ୍ଟି ସମ୍ଭବ ନୁହେଁ, ଏବଂ ସଂସାରରେ ସର୍ବଦା ନୂତନ ସୃଷ୍ଟି ଲାଗି ରହିଛି, ତାହାର ଅର୍ଥ ସଂସାରରେ ସର୍ବଦା କୌଣସି ଏକ ଅଦୃଶ୍ୟ ସତ୍ତା ମହଜୁଦ ଅଛି, ଯିଏ ହେଉଛନ୍ତି ସର୍ବବିଦ୍ୟମାନ ଈଶ୍ବର। ଚତୁର୍ଥ, ପଦାର୍ଥମାନ ‌ବହନ କରୁଥିବା ଗୁଣାତ୍ମକ ମାନରେ ତାରତମ୍ୟ ଥାଏ- ସୁନ୍ଦର, ଅଧିକ ସୁନ୍ଦର, ଆହୁରି ଅଧିକ ସୁନ୍ଦର…; ଉତ୍ତପ୍ତ, ଅଧିକ ଉତ୍ତପ୍ତ, ଆହୁରି ଅଧିକ ଉତ୍ତପ୍ତ…; ବଳବାନ୍‌, ଅଧିକ ବଳବାନ୍‌, ଆହୁରି ଅଧିକ ବଳବାନ୍‌…; ଇତ୍ୟାଦି। ଈଶ୍ବର ହେଉଛନ୍ତି ପ୍ରତ୍ୟେକ ଗୁଣର ସର୍ବୋଚ୍ଚ ମାନର ଧାରଣକାରୀ, ଅର୍ଥାତ୍‌ ଈଶ୍ବର ହେଉଛନ୍ତି ସୌନ୍ଦର୍ଯ୍ୟ, ଉତ୍ତାପ, ଶକ୍ତି…। ପଞ୍ଚମ, ସଂସାରରେ ପ୍ରତ୍ୟେକ ପଦାର୍ଥ ନିଜ ନିଜର ଅନ୍ତିମ ଲକ୍ଷ୍ୟରେ ପହଞ୍ଚିବା ପଥରେ ଯାତ୍ରା କରିଥାନ୍ତି। ଯିଏ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି ଏବଂ ସେମାନଙ୍କୁ ସେ ଯାତ୍ରା ପଥରେ ଆଗେଇ ନେଇଥାନ୍ତି, ସେ ହେଉଛନ୍ତି ସର୍ବଜ୍ଞ ଈଶ୍ବର।

ଥମାସ୍‌ ଆକ୍ବିନାସ୍‌ଙ୍କର ଏହି ପଞ୍ଚବିଧ ପ୍ରମାଣର ଯାହା ହେଉଛି ସାରମର୍ମ, ତାହା ହେଲା- ଈଶ୍ବର ହେଉଛନ୍ତି ସର୍ବଶକ୍ତିମାନ ଓ ସର୍ବଜ୍ଞ। ନାସ୍ତିକମାନେ ଏହାକୁ ହିଁ ଏକ ବିପରୀତ ଯୁକ୍ତିରେ ପରିଣତ କରି ଈଶ୍ବରଙ୍କ ଅସ୍ତିତ୍ବକୁ ଅପ୍ରମାଣିତ କରିବା ପାଇଁ ସର୍ବାଧିକ ଉପଯୋଗୀ ଅସ୍ତ୍ର ରୂପେ ବ୍ୟବହାର କରିଥାନ୍ତି। ସେମାନେ କହନ୍ତି ଈଶ୍ବର ଏକାଧାରରେ ସର୍ବଜ୍ଞ ତଥା ସର୍ବଶକ୍ତିମାନ ହୋଇପାରିବେ ନାହିଁ। ଯଦି ଈଶ୍ବର ସର୍ବଜ୍ଞ ହୋଇଥାନ୍ତି, ତେବେ ‌ତାଙ୍କ ଯୋଜନାର ଅଂଶ ସ୍ବରୂପ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି, ତାହା ସେ ପୂର୍ବରୁ ଜାଣିପାରୁଥାନ୍ତି। କିନ୍ତୁ ଯେହେତୁ ସେ ଘଟଣା ଘଟିବା ନିଧାର୍ଯ୍ୟ, ତାହାର ଅର୍ଥ ଘଟଣା ଘଟିବା ପୂର୍ବରୁ ସର୍ବଜ୍ଞ ଈଶ୍ବର ସେ ସମ୍ବନ୍ଧରେ ଅବଗତ ଥିଲେ ମଧ୍ୟ ଘଟଣାକୁ ବଦଳାଇ ଦେବା ପାଇଁ କିମ୍ବା ଘଟିବାକୁ ନ ଦେବା ପାଇଁ ତାଙ୍କର କ୍ଷମତା ନାହିଁ, ଅର୍ଥାତ୍‌ ସେ ସର୍ବଶକ୍ତିମାନ ନୁହନ୍ତି। ଏଣୁ ଈଶ୍ବର ନାହାଁନ୍ତି।

ଗୋଆରେ ଉପରୋକ୍ତ ଆଠ ଜଣ କଂଗ୍ରେସ ବିଧାୟକଙ୍କର ଆଚରଣ ଦେଖିଲେ ମନେ ହୁଏ ସେମାନେ ଈଶ୍ବରଙ୍କ ଅସ୍ତିତ୍ବ ସମ୍ବନ୍ଧରେ ଥମାସ୍‌ ଆକ୍ବିନାସ୍‌ଙ୍କ ଯୁକ୍ତିର ଏଭଳି ଖଣ୍ଡନ ସହିତ ସୁପରିଚିତ। ସେମାନେ ଶପଥ ନେବା ସମୟରେ ନିଶ୍ଚିତ ରୂପେ ସଚେତନ ‌ଥିବେ ଯେ ଭବିଷ୍ୟତରେ ସେମାନଙ୍କର ଶପଥ ଭଙ୍ଗ ‌ଉଦ୍ଦେଶ୍ୟ ସମ୍ବନ୍ଧରେ ସର୍ବଜ୍ଞ ଈଶ୍ବର ଜାଣି ସାରିଥିବେ। କିନ୍ତୁ ସେମାନେ ମଧ୍ୟ ନିଶ୍ଚିତ ଥିବେ ଯେ ଭବିଷ୍ୟତରେ ଘଟିବାକୁ ଯାଉଥିବା ସେମାନଙ୍କର ଦଳ ତ୍ୟାଗ ଘଟଣାକୁ ଅଟକାଇବାକୁ ଶକ୍ତିହୀନ ଈଶ୍ବର ସମର୍ଥ ହେବେ ନାହିଁ। ଅନ୍ୟ ଭାଷାରେ କହିଲେ, ଯଦିବା ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଈଶ୍ବର ଏବେ ତାଙ୍କୁ ଦଳବଦଳ କରିବା ପାଇଁ ନିର୍ଦ୍ଦେଶ ଦେଲେ, ପ୍ରକୃତରେ ସେମାନେ ଈଶ୍ବର ଅଛନ୍ତି ବୋଲି ବିଶ୍ବାସ କରନ୍ତି ନାହିଁ। ନିଃସନ୍ଦେହରେ ସେମାନଙ୍କ ବିଚାରରେ ସେମାନେ ନିଜେ ହେଉଛନ୍ତି ନିଜର ଈଶ୍ବର।

ସମ୍ବନ୍ଧିତ ଖବର