ପଦ୍ମ ଧରିଲେ ଅମରିନ୍ଦର

ନୂଆଦିଲ୍ଲୀ: ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଅମରିନ୍ଦର ତାଙ୍କ ଦଳ ପିଏଲ୍‌ସି (ପଂଜାବ ଲୋକ କଂଗ୍ରେସ)କୁ ବିଜେପି ସହ ମିଶାଇବାପରେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଦିନରେ ଅମରିନ୍ଦର ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଭେଟିଥିଲେ ଏବଂ ଏହାପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ୮୦ ବର୍ଷୀୟ ଅମରିନ୍ଦରଙ୍କ ସହ ଆଜି ୭ ଜଣ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପିଏଲ୍‌ସିର ଅନ୍ୟ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ସଭାପତି ଆସନ୍ତା ସପ୍ତାହରେ ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ଯୋଗ ଦେବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଅମରିନ୍ଦରଙ୍କୁ ଦଳକୁ ସ୍ବାଗତ କରିଛନ୍ତି।

ଏହ‌ି ସମୟ‌ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଉପସ୍ଥିତ ଥିଲେ। ତୋମର କହିଛନ୍ତି, ବିଜେପି ‌ହେଉଛି ଏଭଳି ଏକ ଦଳ ଯାହା କି ସବୁବେଳେ ଦଳ ଉପରେ ଦେଶକୁ ରଖିଥାଏ। କ୍ୟାପଟେନ ମଧ୍ୟ ଜୀବନ ତମାମ ‌ଏହି ନୀତିକୁ ଅନୁକରଣ କରିଛନ୍ତି। ତେଣୁ ସେ ଆଜି ଆମ ସହ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୨ ସପ୍ତାହ ହେବ ଅମରିନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧିତ ଖବର