ତୁମେ ତୃଷ୍ଣାର ଜଳ

ପ୍ରାଚୀନ କୃଷିଭିତ୍ତିକ ସମାଜରେ ଆଚରିତ ଧର୍ମର ଆଧୢାତ୍ମିକତା ସହିତ ବିଶେଷ ସମ୍ପର୍କ ନ ଥିଲା। ଈଶ୍ବର ଯଦି କୌଣସି କାରଣରୁ ଏକ ଗୋଷ୍ଠୀ ପ୍ରତି ବିମୁଖ ହେଉଥିଲେ, ଦଣ୍ତ ସ୍ବରୂପ ସେମାନଙ୍କ ଆତ୍ମାର ନର୍କଗତି ପାଇଁ ଆଦେଶ ଦେବା ପରିବର୍ତ୍ତେ ସେ ସେମାନଙ୍କ ଫସଲ ଅମଳ ପ୍ରତି ବ୍ୟାଘାତ ପହଞ୍ଚାଇବାର ଧମକ ଦେଉଥିଲେ। ଉଦାହରଣ ସ୍ବରୂପ ବାଇବ୍‌ଲର ଓଲ୍‌ଡ ଟେଷ୍ଟାମେଣ୍ଟରେ ଈଶ୍ବର ଇସ୍ରାଏଲ୍‌ର ଲୋକମାନଙ୍କୁ କହିଛନ୍ତି ଯେ ସେମାନେ ଯଦି ଈଶ୍ବର ନିର୍ଦ୍ଦେଶିତ ମାର୍ଗ ଅନୁସରଣ କରି ଚାଲିବେ, ତେବେ ଈଶ୍ବର ଠିକ୍‌ ସମୟରେ ବର୍ଷା କରିବେ, ଯାହା ଫଳରେ ସେମାନଙ୍କ ରାଜ୍ୟ ଶସ୍ୟ ଶ୍ୟାମଳ ହେବ, ମନୁଷ୍ୟରୁ ଗୃହପାଳିତ ପଶୁ ପର୍ଯ୍ୟନ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟ ଉପଲବ୍‌ଧ ହୋଇ ଚାଲିବ। ନଚେତ୍‌ ଈଶ୍ବର ଇସ୍ରାଏଲୀମାନଙ୍କୁ ଧମକ ଦେଇଥିଲେ ଯେ ସେ ବର୍ଷା ବନ୍ଦ କରି ଦେବେ, ଫସଲ ଅମଳ ଶୂନ୍ୟ ହୋଇଯିବ, ଅନାହାରରେ ସମସ୍ତେ ପ୍ରାଣ ହରାଇବେ।

ଆଜିର ଇସ୍ରାଏଲ୍‌ କିନ୍ତୁ ହେଉଛି ଏକ ସ୍ବଳ୍ପ ବୃଷ୍ଟିପାତ ବିଶିଷ୍ଟ ଜଳକ୍ଳିଷ୍ଟ ଶୁଷ୍କ ଅଞ୍ଚଳ। ସେମାନେ କିନ୍ତୁ କୃଷି ଉତ୍ପାଦନରେ କେବଳ ସ୍ବୟ˚ ସମ୍ପୂର୍ଣ୍ଣ ନୁହଁନ୍ତି, ଉତ୍ପାଦନଶୀଳତାରେ ମଧୢ ଅଗ୍ରଗଣ୍ୟ। କୌଣସି ଓଲ୍‌ଡ ଟେଷ୍ଟାମେଣ୍ଟ ଈଶ୍ବର ନୁହଁନ୍ତି, ଉନ୍ନତ ଧରଣର ଜିନ୍‌ ରୁପାନ୍ତରିତ ବିହନ, ରାସାୟନିକ ସାର‌, କୀଟନାଶକ ଆଦି ଉଦ୍ଭାବନ କରିଥିବା ବୈଜ୍ଞାନିକମାନଙ୍କ କୃପା ବଳରେ ଇସ୍ରାଏଲୀମାନେ ଏହି ଫସଲ ପ୍ରାଚୁର୍ଯ୍ୟ ହାସଲ କରିପାରିଛନ୍ତି। ଆଉ ସର୍ବୋପରି ଯେଉଁ ବୈଜ୍ଞାନିକମାନେ ସେମାନଙ୍କର ଜଳକଷ୍ଟ ଦୂର କରି ସେମାନଙ୍କର ଜଳ ନିରାପତ୍ତା ହାସଲ କରିଛନ୍ତି, ସେମାନେ ହେଉଛନ୍ତି ଯେଉଁମାନେ ବିଶାଳ ଲବଣମୁକ୍ତ ଜଳ ଉତ୍ପାଦନକାରୀ କେନ୍ଦ୍ରମାନ ପ୍ରତିଷ୍ଠା କରି ଭୂମଧୢସାଗରର ଲୁଣି ପାଣିକୁ ମଧୁର ଜଳରେ ପରିଣତ କରି ଇସ୍ରାଏଲ୍‌ର ମଧୁର ଜଳ ଆବଶ୍ୟକତା ପୂରଣ କରିପାରିଛନ୍ତି। ଆଜିର ଇସ୍ରାଏଲୀମାନଙ୍କର ତେଣୁ ପ୍ରାଚୀନ କାଳର ଇସ୍ରାଏଲୀମାନଙ୍କ ପରି ଆଉ ଏକ କ୍ରୋଧୀ ଈଶ୍ବରଙ୍କ ପ୍ରତି ସେଭଳି ଭୟ ନାହିଁ।

ଭାରତର କୌଣସି ଏକ ରାଜ୍ୟ ଯଦି କୃଷି ଉତ୍ପାଦନରେ ଇସ୍ରାଏଲ୍‌ ପରି ସଫଳତା ହାସଲ କରିପାରିଛି, ସେ ରାଜ୍ୟ ହେଉଛି ପଞ୍ଜାବ। ପଞ୍ଜାବୀ କୃଷକମାନେ ଯଦି ସେଇଭଳି ଏକ କ୍ରୋଧୀ ଈଶ୍ବରଙ୍କର ସମ୍ମୁଖୀନ ହୁଅନ୍ତେ, ସେମାନେ ମଧୢ ଆଧୁନିକ ଇସ୍ରାଏଲୀମାନଙ୍କ ଭଳି ତାଙ୍କୁ ଆଉ ଭୟ କରନ୍ତେ ନାହିଁ। ଇସ୍ରାଏଲୀ କୃଷକମାନଙ୍କ ଭଳି ସେମାନେ ମଧୢ ଆଧୁନିକ ବିଜ୍ଞାନର ଦାନ ରାସାୟନିକ ସାର, କୀଟନାଶକ ଓ ଉନ୍ନତ ବିହନ ବ୍ୟବହାରରେ ସିଦ୍ଧ ହସ୍ତ। ସେମାନେ ତେଣୁ ଏଥିପାଇଁ କୌଣସି ଈଶ୍ବରଙ୍କ ଅପେକ୍ଷା ବିଜ୍ଞାନ ପାଖରେ ଅଧିକ ଋଣୀ। ଇସ୍ରାଏଲ୍‌ ଓ ପଞ୍ଜାବ ମଧୢରେ କିନ୍ତୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଫରକ୍‌ ରହିଛି, ଯେଉଁଥି ଯୋଗୁଁ ପଞ୍ଜାବୀ କୃଷକମାନେ ବିଜ୍ଞାନ ସହିତ ଅନ୍ୟ ଏକ ଶକ୍ତି ନିକଟରେ ମଧୢ ନିଜର ସୌଭାଗ୍ୟ ପାଇଁ ଋଣୀ ହୋଇଥାନ୍ତି। ଏହି ଫରକ ହେଉଛି ଅବସ୍ଥିତି।

ଇସ୍ରାଏଲ୍‌ ହେଉଛି ଏକ ସମୁଦ୍ର ଉପକୂଳବର୍ତ୍ତୀ ଦେଶ; ପଞ୍ଜାବ ହେଉଛି ଏକ ଭୂମି ଆବଦ୍ଧ ରାଜ୍ୟ। ସମୁଦ୍ରର ଅସରନ୍ତି ଲୁଣାଜଳକୁ ନିଜର ଆବଶ୍ୟକତା ମତେ ମଧୁର ଜଳରେ ପରିଣତ କରିବାର ସୁଯୋଗ ପଞ୍ଜାବର ନାହିଁ। ଈଶ୍ବର ପଞ୍ଜାବ ଉପରେ ପ୍ରଚୁର ବୃଷ୍ଟିପାତ ମଧୢ କରନ୍ତି ନାହିଁ। ଏକ ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳରେ ଯେଉଁ ଫସଲ ଉପୁଜାଇ ହେବ, ଅର୍ଥାତ୍‌ ଯେଉଁ ଫସଲ ଚାଷ ପାଇଁ ବିଶେଷ ଜଳ ଦରକାର କରେ ନାହିଁ, ପଞ୍ଜାବରେ ଚିରାଚରିତ ଭାବେ ସେଇ ଫସଲ ହିଁ ଚାଷ ହୋଇ ଆସୁଥିଲା। ତାହା ହେଲା ଗହମ। ସେଥିପାଇଁ ଏକଦା ବିଦ୍ୟାଳୟମାନଙ୍କରେ ଭୂଗୋଳ ପ୍ରଶ୍ନ ପ୍ରତ୍ରରେ ଏକ ନିୟମିତ ପ୍ରଶ୍ନ ଦେଖିବାକୁ ମିଳୁଥିଲା: ଓଡ଼ିଶାରେ କାହିଁକି ଧାନ ଚାଷ ହୁଏ କିନ୍ତୁ ପଞ୍ଜାବରେ କୃଷକମାନେ କାହିଁକି ଧାନ ଚାଷ ନ କରି ଗହମ ଚାଷ କରିଥାନ୍ତି?

ପଞ୍ଜାବ କିନ୍ତୁ ଏବେ ଦେଶର ଏକ ମୁଖ୍ୟ ଧାନ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହୋଇଛି ଓ ଏଥିପାଇଁ ପଞ୍ଜାବୀ କୃଷକମାନେ ଅନ୍ୟ ଯେଉଁ ଏକ ଶକ୍ତି ନିକଟରେ ଋଣୀ, ସେ ହେଉଛି ପଞ୍ଜାବ ରାଜ୍ୟ ସରକାର। ୧୯୯୭ ଠାରୁ ସେଠାରେ ସରକାର କୃଷି ପାଇଁ ମାଗଣାରେ ବିଦ୍ୟୁତ ଶକ୍ତି ଯୋଗାଇବା ବ୍ୟବସ୍ଥା କରି ଦେଇଛନ୍ତି। ଧାନ ଚାଷ ପ୍ରଚୁର ଜଳ ଆବଶ୍ୟକ କରିଥାଏ। ଧାନ ଗଛର ଚେର କେବଳ ମାଟିତଳୁ ଯେ ଜଳ ଶୋଷଣ କରିଥାଏ, ତାହା ନୁହେଁ, ଧାନ କିଆରିରେ ମଧୢ ଦୀର୍ଘ ଦିନ ଧରି ପାଣି ଠିଆ ହୋଇ ରହିବା ଦରକାର ହୋଇଥାଏ (ଏହାଦ୍ବାରା କିଆରିରେ ଥିବା ଅନାବନା ଗଛମାନ ମଧୢ ପଚିଶଢ଼ି ଯା’ନ୍ତି)। ଏକ ଆକଳନ ଅନୁସାରେ ଧାନ ଚାଷ ଏତେ ଜଳ ଆବଶ୍ୟକ କରିଥାଏ ଯେ, ଗୋଟିଏ କିଲୋଗ୍ରାମ ଧାନ ଅମଳ କରିବା ପାଇଁ ପ୍ରାୟ ୪୦୦୦-୫୦୦୦ ଲିଟର ଜଳ ଆବଶ୍ୟକ ହୋଇଥାଏ। ପ୍ରଚୁୁର ବୃଷ୍ଟିପାତ ହେଉଥିବା ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏହା ଏକ ସମସ୍ୟା ନୁହେଁ।

ପଞ୍ଜାବ କିନ୍ତୁ ଏତେ ଜଳ ପାଉଛି କେଉଁଠୁ? ମାଟି ଉପରେ ଆକାଶରୁ ବର୍ଷାଜଳ ପଡୁ ନ ଥିଲେ ବି ମାଟି ତଳେ ଥିବା ସଞ୍ଚିତ ଜଳ ସେଠାରେ ଧାନଚାଷର ଆବଶ୍ୟକତା ପୂରଣ କରୁଛି। ମାଟି ତଳର ଜଳକୁ ଟ୍ୟୁବ୍‌େଵଲ୍‌ ଦ୍ବାରା ଉପରକୁ ଉଠା ଯାଉଛି, ଆଉ ଏହି ପମ୍ପ୍‌ ଚାଲିବା ପାଇଁ ଆବଶ୍ୟକ ବିଜୁଳି ଶକ୍ତି ସରକାର ମାଗଣାରେ ଯୋଗାଇ ଦେଉଛନ୍ତି। ୧୯୭୦ ଦଶକରେ ଭୂ-ପୃଷ୍ଠରୁ ପ୍ରାୟ ୧୫-୨୦ ଫୁଟ ଗଭୀରତାରେ ଭୂତଳ ଜଳ ଉପଲବ୍‌ଧ ହେଉଥିଲା ଏବ˚ ୩୫-୪୦ ଫୁଟ ଗଭୀରତାର ଟ୍ୟୁବ୍‌େଵଲ୍‌ ଖୋଳି ଲଗାଇବା ଯଥେଷ୍ଟ ହେଉଥିଲା। ବର୍ତ୍ତମାନ ସେଠାରେ ୩୦୦ ଫୁଟ ଗଭୀରତା ପର୍ଯ୍ୟନ୍ତରୁ ପାଣି ଟାଣିବା ପାଇଁ ଶକ୍ତିଶାଳୀ ପମ୍ପ୍‌ମାନ ବ୍ୟବହାର କରାଯାଉଛି। ଏକ ସର୍ବେକ୍ଷଣ ଅନୁସାରେ ସେଠାରେ ପ୍ରତି ବର୍ଗ କିମି ପରିମିତ ଚାଷ ଜମିରେ ପ୍ରାୟ ୩୫ଟି ଟ୍ୟୁବ୍‌େଵଲ୍‌ କାର୍ଯ୍ୟ କରୁଛି। ୧୯୮୦ରେ ସେ ରାଜ୍ୟରେ ପ୍ରାୟ ୧୨ ଲକ୍ଷ ହେକ୍ଟର‌୍‌ ଜମିରେ ଧାନ ଚାଷ ହେଉଥିବା ବେଳେ ୨୦୧୭-୧୮ରେ ତାହା ୨୯ ଲକ୍ଷ ହେକ୍ଟର‌୍‌କୁ ବୃଦ୍ଧି ପାଇଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼େ।

ଧାନଚାଷର ବିଶାଳ ଶୋଷ ମେଣ୍ଟାଇବା ପାଇଁ ଭୂତଳ ଜଳର ଏଭଳି ସଘନ ବ୍ୟବହାର ସେଠାରେ ଏକ ପରିବେଶ ସ˚କଟ ସୃଷ୍ଟି କରିବା ଦେଖାଗଲାଣି। ଭୂତଳ ଜଳ କେବଳ ଯେ ଫସଲ ଉପୁଜାଇବା ସମ୍ଭବ କରିଥାଏ, ତାହା ନୁହେଁ, ଏହା ମୃତ୍ତିକାର ଆର୍ଦ୍ରତା ରକ୍ଷା କରି ଉପର ସ୍ତରର ମାଟିକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ଭୂତଳ ଜଳସ୍ତର ଖସିବାକୁ ଲାଗିଲେ ଉପରି ଭାଗର ମୃତ୍ତିକା ତାର ଆର୍ଦ୍ରତା ହରାଇ ବସେ ଓ ତା’ ସହିତ ମାଟିର ସାନ୍ଦ୍ରତା ହୁଗୁଳା ହେବାରେ ଲାଗେ। ଏହି ହୁଗୁଳା ମାଟି ଯେତେବେଳେ ଶକ୍ତିଶାଳୀ ବାୟୁ ପ୍ରବାହର ସ˚ସ୍ପର୍ଶରେ ଆସେ ତାହା କ୍ରମେ କ୍ଷୟ ପ୍ରାପ୍ତ ହୋଇ ଧୂଳିବାଲିରେ ପରିଣତ ହୋଇ ମରୁଭୂମି ସଦୃଶ ହୋଇଯାଏ। ଆଉ ଧାନ କିଆରିରେ ଠିଆ ହୋଇ ରହିଥିବା ପ୍ରବାହଶୂନ୍ୟ ଜଳ କ୍ରମେ ସେ ଜମିକୁ ମଧୢ ଲବଣାକ୍ତ କରି ଦେଇଥାଏ।

ପଞ୍ଜାବରେ ଧାନ ଚାଷ ପାଇଁ ମାଗଣା ବିଜୁଳି ବ୍ୟତୀତ ଅନ୍ୟ ଯେଉଁ ଏକ ଶକ୍ତି ନିକଟରେ ପଞ୍ଜାବୀ କୃଷକମାନେ କୃତଜ୍ଞ, ତାହା ହେଉଛି ବର୍ତ୍ତମାନ ସେଠାରେ ଚାଲିଥିବା ଆନ୍ଦୋଳନର କେନ୍ଦ୍ରସ୍ଥଳୀରେ ଥିବା ‘ସର୍ବନିମ୍ନ ସହାୟକ ମୂଲ୍ୟ’ (‘ଏମ୍‌ଏସ୍‌ପି’)। ସରକାର ଦେଉଥିବା ‘ଏମ୍‌ଏସ୍‌ପି’ ମୁଖ୍ୟତଃ ଧାନ ଓ ଗହମ ପାଇଁ ଉପଲବ୍‌ଧ ହେଉଥିବାରୁ ସେଠାକାର ଚାଷୀ ଏକ ନିଶ୍ଚିତ ଆୟ ଅର୍ଜନ କରିବା ଆକର୍ଷଣରେ ଏଇ ଦୁଇ ଫସଲ ହିଁ ଚାଷ କରିବାକୁ ପସନ୍ଦ କରୁଛନ୍ତି। ଯଦି ଡାଲି, ମକା, କପା ଆଦି ଫସଲ ପାଇଁ ଅନୁରୂପ ଭାବରେ ‘ଏମ୍‌ଏସ୍‌ପି’ ଉପଲବ୍‌ଧ ହୁଅନ୍ତା ତେବେ ଚାଷୀମାନେ ଧାନ ଛାଡ଼ି ଏସବୁ ସ୍ବଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରନ୍ତେ ବୋଲି ମତ ପ୍ରକାଶ କରିବା ଦେଖାଯାଇଛି। ଯେହେତୁ ଆନ୍ଦୋଳନର ସମାଧାନ ପାଇଁ କେନ୍ଦ୍ର ସରକାର ‘ଏମ୍‌ଏସ୍‌ପି’ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି, ପଞ୍ଜାବରେ ଏହି ପରିବେଶ ବିପର୍ଯ୍ୟୟ ପ୍ରତିହତ କରିବା ପାଇଁ ଅନ୍ୟ ଫସଲ ସକାଶେ ମଧୢ ‘ଏମ୍‌ଏସ୍‌ପି’ ବ୍ୟବସ୍ଥାକୁ ଅର୍ଥପୂର୍ଣ୍ଣ କରନ୍ତୁ।

ସମ୍ବନ୍ଧିତ ଖବର