ଈଶ୍ବର ଦର୍ଶନ

କଥାଟିଏ-ଯାଯାବର

ଥରେ ରାଜାଙ୍କ ପାଖରେ ପହଞ୍ଚିଲେ ଜଣେ ସାଧୁ। ସେ ଦୀର୍ଘ କାଳ ତପସ୍ୟା କରି ଈଶ୍ବର ଦର୍ଶନର ବରଟିଏ ପାଇଥିଲେ। ବରଟି ଏୟା ଥିଲା ଯେ ସେ ଯେତେବେଳେ ଇଚ୍ଛା କରିବେ ଈଶ୍ବର ନିଜର ମହିମାମଣ୍ତିତ ରୂପ ନେଇ ତାଙ୍କ ସାମନାରେ ମାତ୍ର କ୍ଷଣିକ ପାଇଁ ପ୍ରକଟ ହେବେ ଏବ˚ ଏହା ତାଙ୍କ ଜୀବନରେ ମାତ୍ର ଥରଟିଏ ଘଟିବ।
ସାଧୁ ଏଥିରେ ବିହ୍ବଳ ହେଲେ। କିନ୍ତୁ ପରେ ପରେ ରାଜାଙ୍କୁ ତଥା ରାଜଧାନୀବାସୀଙ୍କୁ ନିଜ କରାମତି ବିଷୟରେ ଅବଗତ କରାଇବା ଲାଗି ଏହାକୁ ଏକ ଚମତ୍କାର ସୁଯୋଗ ବୋଲି ଭାବିଲେ। ତେଣୁ ସେ ରାଜାଙ୍କୁ କହି ସବୁ ରାଜଧାନୀବାସୀଙ୍କ ଲାଗି ଈଶ୍ବର ଦର୍ଶନର ବ୍ୟବସ୍ଥା କରାଇଲେ। ଗର୍ବରେ ତାଙ୍କର ଛାତିି ଫୁଲି ଉଠିଲା।
ପ୍ରକୃତରେ ସମସ୍ତଙ୍କ ଲାଗି ଏହା ଥିଲା ଏକ ଅତ୍ୟନ୍ତ ମହାର୍ଘ ସୁଯୋଗ। କହିବା ବାହୁଲ୍ୟ, ନିର୍ଦ୍ଧାରିତ ସମୟରେ ଏକ ନିର୍ଦ୍ଧାରିତ ସ୍ଥାନରେ ଜନସମୁଦ୍ର ଉଛୁଳି ପଡ଼ିଲା। ସନ୍ନ୍ୟାସୀ ସଦର୍ପେ ଘୋଷଣା କଲେ- ମାତ୍ର କ୍ଷଣଟିଏ ଲାଗି ଈଶ୍ବରଙ୍କ ଦର୍ଶନ ମିଳିବ। ତେଣୁ ସମସ୍ତେ ଯେମିତି ସଜାଗ ହୋଇ ରହନ୍ତି।
ତା’ ପରେ ସେ ମନେ ମନେ ଈଶ୍ବରଙ୍କୁ ସ୍ମରଣ କରି ବର ମାଗିଲେ ଓ ଆକାଶକୁ ଚାହିଁ ରହିଲେ।
କିଛି ସମୟ ପରେ ଏକ ଅତ୍ୟନ୍ତ ଉଜ୍ଜ୍ବଳ ଆଲୋକ ବିଭାରେ ସମଗ୍ର ଗଗନ ଉଦ୍‌ଭାସିତ ହୋଇଗଲା। ସେଇ ଆଲୋକ ଭିତରେ ଈଶ୍ବରଙ୍କ ମନମୋହନ ରୂପ ପ୍ରକଟିତ ହୋଇ କ୍ଷଣିକ ଭିତରେ ଲିଭିଗଲା।
ଦୃଶ୍ୟଟି ଥିଲା ଅପୂର୍ବାନୁମେୟ। ରାଜଧାନୀବାସୀ ତ ଈଶ୍ବରଙ୍କ ଦର୍ଶନ ପାଇଲେ। କିନ୍ତୁ ଏଣେ ଅଘଟଣଟିଏ ଘଟି ଯାଇଥିଲା। ହଠାତ୍‌ ସନ୍ନ୍ୟାସୀଙ୍କ ଆଖିରେ ଧୂଳିକଣାଟିଏ ଉଡ଼ିଆସି ପଡ଼ିଯିବାରୁ ତାଙ୍କ ଚକ୍ଷୁ ସେଇ ମହାର୍ଘ କ୍ଷଣରେ ବୁଜି ହୋଇଗଲା। ସମସ୍ତେ ଈଶ୍ବରଙ୍କ ଅନନ୍ୟ ଦର୍ଶନ ପାଇଲେ, କେବଳ ସନ୍ନ୍ୟାସୀଙ୍କୁ ଛାଡ଼ି।
ସନ୍ନ୍ୟାସୀ ତାଙ୍କ ସାଧନାର ଫଳକୁ ବ୍ୟୟ କରି ସାରିଥିଲେ। ସେ ବୁଝିପାରିଲେ ତାଙ୍କ ମନରେ ଅହ˚କାର ପଶି ଯାଇଥିବାରୁ ସେ ଈଶ୍ବର ଦର୍ଶନର ସୁଯୋଗ ବି ହରାଇଲେ।

ସମ୍ବନ୍ଧିତ ଖବର