ସାମାନ୍ୟ କଥନ: ନୋଲିଂ ଓ ୟିରାଂଗ ବାଇଦେଓ

ପ୍ରୀତୀଶ ଆଚାର୍ଯ୍ୟ

ଶିକ୍ଷକତାର ଆଦ୍ୟ ନ’ ବର୍ଷ ମୋର କଟିଥିଲା ଅରୁଣାଚଳ ପ୍ରଦେଶରେ; ୧୯୮୮ରୁ ୧୯୯୭; ପ୍ରଥମ ଦୁଇ ବର୍ଷ ପାସୀଘାଟ ନାମକ ଏକ ଜିଲ୍ଲାସ୍ତରୀୟ ସହରରେ; ବାକି ସାତ ବର୍ଷ ରାଜଧାନୀ ଇଟାନଗରରେ। ସେହି ସମୟର ଅସଂଖ୍ୟ ସ୍ମୃତି ମଧ୍ୟରୁ ୟେ ଗୋଟିଏ, ଯାହାର ମୁଖ୍ୟ ଚରିତ୍ର ନୋଲିଂ ୟିରାଂଗ ଓ ତାଙ୍କ ପତ୍ନୀ।
ଅରୁଣାଚଳ ପ୍ରଦେଶର ପାସୀଘାଟ ରହଣି ବେଳେ ନୋଲିଂ ଥିଲେ ଆମ ବିଭାଗରେ ପିଅନ। ସେ ମିନିୟଂଗ ଜନଜାତିର ଏବଂ ତାଙ୍କ ଗାଁ ଆୟେଂଗର ଦୂରତା ପାସୀଘାଟରୁ ପ୍ରାୟ ପନ୍ଦର କିଲୋମିଟର। ପ୍ରାୟ ମୋର ସମବୟସ୍କ ଥିଲେ ସେ, ହେଲେ, ମୁଁ ଅବିବାହିତ ଏବଂ ସେ ତିନିଟି ସନ୍ତାନର ଜନକ। ତାଙ୍କ ପରିବାର ରହୁଥିଲେ ଆୟେଂଗରେ; ସେ ରହୁଥିଲେ କ୍ବାଟର୍ସରେ ଏବଂ ଛୁଟି ଦିନରେ ଗାଁକୁ ଯାଉଥିଲେ। ଅନ୍ୟ ଜନଜାତିଙ୍କ ଭଳି ନୋଲିଂଙ୍କ ବୈଶିଷ୍ଟ୍ୟ ଥିଲା ଦୟାର ପାତ୍ର ଭଳି ନିଜକୁ ପ୍ରଦର୍ଶିତ ନ କରିବାର ମନୋଭାବ। ଅଧସ୍ତନ କର୍ମଚାରୀ ବୋଲି ମନରେ କୌଣସି ଅଭାବବୋଧ ନ ଥାଏ। ଆମ ମିତ୍ରତା ବଢ଼ିଲା। ତେଣୁ, ଥରେ ଆ‌ୟେଂଗ ଯାଇ ତାଙ୍କ ଘରେ ତିନି ଦିନ ରହିଲି। ତାଙ୍କ ପତ୍ନୀ, ତିନିଟି ସାନ ଛୁଆ ଓ ବୁଢ଼ା ବାପା-ମାଆ ଆତିଥ୍ୟ ଦେବାରେ ସଦା ତତ୍ପର, ମାତ୍ର ଭାଷାର ପ୍ରତିବନ୍ଧକ ଯୋଗୁଁ ନୋଲିଂ ଥିଲେ ବାର୍ତ୍ତାଳାପର ମାଧ୍ୟମ; କାରଣ ଉଭୟେ ହିନ୍ଦୀ ଜାଣିଥିଲୁ, ଯଦିଓ ତହିଁରେ ବିଶେଷ ପ୍ରବେଶ ନ ଥିଲା। ଅରୁଣାଚଳରେ ସେତେବେଳେ ଅହମିୟା ହେଲା ମଧ୍ୟମ ଭାଷା, କାରଣ ପ୍ରତ୍ୟେକ ଜନଜାତିର ଭାଷା ପୃଥକ୍‌। କିନ୍ତୁ ଗ୍ରାମାଞ୍ଚଳ ବାସିନ୍ଦା ହୋଇଥିବା କାରଣରୁ ନୋଲିଂ ପରିବାର ଭଲ ଅହମିୟା ମଧ୍ୟ କହିପାରନ୍ତି ନାହିଁ।
ଆମ ପରିଚୟର ଅଳ୍ପ କେତେ ମାସ ପରେ ନୋଲିଂ ରାଜଯକ୍ଷ୍ମା ରୋଗରେ ପୀଡ଼ିତ ହେଲେ। ସେତେବେଳକୁ ରାଜଯକ୍ଷ୍ମା ଦୁରାରୋଗ୍ୟ ଏବଂ ଅରୁଣାଚଳରେ ତା’ର ସଂକ୍ରମଣ ଖୁବ୍ ଅଧିକ। ପାସୀଘାଟରେ ଏକ ସ୍ବତନ୍ତ୍ର ଟି.ବି. ଡାକ୍ତରଖାନା ଥାଏ। ସ୍ଥିତି ଗୁରୁତର ହେବାରୁ ତାଙ୍କୁ ସେଠି ଭର୍ତ୍ତି କରାଗଲା। ଶୁଶ୍ରୂଷାକାରୀ ହେଲେ ବୁଢ଼ୀ ମାଆ; ମଝିରେ ମଝିରେ ପତ୍ନୀ ସବାସାନ ଛୁଆଟିକୁ ପିଠିରେ ଝୁଲାଇ ଆୟେଂଗରୁ ପ୍ରାୟ ପନ୍ଦର କିଲୋମିଟର ବାଟ ପାଦରେ ଚାଲି ଚାଲି ଆସନ୍ତି। ନୋଲିଂଙ୍କୁ ଭୋଟିବା ଲାଗି ଯଦି ମୁଁ ଯାଇଥାଏ, ତେବେ ଭେଟ ହୁଏ। ନୋଲିଂର ସ୍ବାସ୍ଥ୍ୟ ସମ୍ବନ୍ଧରେ ଅଧିକ କିଛି ଜାଣିବା ପାଇଁ ତାଙ୍କର ବୋଧହୁଏ ଇଚ୍ଛା। ମୋର ବି କେତେ କଥା ପଚାରିବାକୁ ମନ। ହେଲେ ଭାଷା ବାଧକ ହୁଏ।
ଏଣେ ଛୁଟି ମଞ୍ଜୁରିରେ ବିଳମ୍ବ ଘଟିବାରୁ ନୋଲିଂଙ୍କ ଦରମା ବନ୍ଦ ହୋଇଗଲା। ଦିନେ ସେ କହିଲେ, କିଛି ଟଙ୍କା ଦରକାର; ଦରମା ମିଳିଲେ ‌‌ସେ ଫରେଇ ଦେବେ! ମୁଁ ଟଙ୍କା ଦେଲି।
କିନ୍ତୁ ଏଣେ କ୍ରମେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେଲା। ଡାକ୍ତର କହିଲେ ରୋଗୀକୁ ଘରକୁ ନେଇଯାଅ; ଅର୍ଥାତ୍ ଶେଷ ଅବସ୍ଥା! ‌େସ ଦିନ ମୁଁ ଡାକ୍ତରଖାନା ଗଲା ବେଳକୁ ସେମାନେ ଆୟେଂଗ ଫେରି ଯିବାକୁ ପ୍ରସ୍ତୁତି ଶେଷ କଲେଣି। ଗାଁରୁ କିଛି ଯୁବକ ଆସିଛନ୍ତି- ନୋଲିଂଙ୍କୁ ଖଟରେ ବୋହି ‌େ‌ନବେ। ମୋତେ ଦେଖିଲା କ୍ଷଣି ସେ ତକିଆ ତଳୁ ପୂର୍ବରୁ ସାଇତି ରଖିଥିବା ଟଙ୍କା କାଢ଼ି କହିଲେ, ‘ମୋର ଦରମା ମିଳିଗଲା; ଆପଣ ଟଙ୍କା ରଖନ୍ତୁ।’
ମୁଁ କହିଲି, ‘ତୁମେ ପ୍ରଥମେ ସୁସ୍ଥ ହୁଅ। ମୁଁ ନିଜେ ମାଗି ନେବି।’ ଏବେ ସେ ଖୁବ୍ ବିବ୍ରତ ହୋଇ କହିଲେ, ‘ନା, ଆପଣ ଟଙ୍କା ନିଅନ୍ତୁ। ଦରକାର ହେଲେ, ମୁଁ ପୁଣି ମାଗି ନେବି’।
ମୋ ହାତକୁ ଟଙ୍କା ବଢ଼ାଇ ଦେଇ ସେ ଖୁବ୍ ଆଶ୍ବସ୍ତ ଜଣାପଡ଼ିଲେ। ଋଣ ଭାର ସତେ ଯେମିତି ଖୁବ୍‌ ଓଜନିଆ ହୋଇଯାଇଥିଲା।
ଘରକୁ ଫେରି ଯିବାର ଦୁଇ ଦିନ ପରେ ନୋଲିଂଙ୍କ ମୃତ୍ୟୁ ଖବର ପହଞ୍ଚିଲା। ଔପଚାରିକ ଶୋକସଭା ପରେ ବିଭାଗର ଅନ୍ୟମାନେ ତାଙ୍କ ପରିବାର ନିମିତ୍ତ କିଛି କିଛି ଟଙ୍କା ଦେଲେ। ମୋ ସହିତ ଆଉ ଜଣେ ନବନିଯୁକ୍ତ ଶିକ୍ଷକଙ୍କର ଦାୟିତ୍ବ ହେଲା ଆୟେଂଗ ଯାଇ ସେହି ଟଙ୍କା ପରିବାରକୁ ହସ୍ତାନ୍ତର କରିବା। ନୋଲିଂଙ୍କ ପତ୍ନୀଙ୍କ ହାତରେ ଟଙ୍କାତକ ଦେଲା ବେଳେ ଦେଖିଲୁ ସେ ନିର୍ବାକ।
ନୋଲିଂଙ୍କ ମୃତ୍ୟୁର କିଛି ମାସ ପରେ ଆମ ବିଭାଗ ଇଟାନଗରକୁ ଉଠି ଆସିଲା। ଧୀରେ ଧୀରେ ନୋଲିଂ ୟିରାଂଗ ମଧ୍ୟ ମୋର ସ୍ମୃତିରୁ ନିଷ୍ପ୍ରଭ ହେବାକୁ ବସିଲେ।
ଦିନେ ହଠାତ୍ ବିଶ୍ବବିଦ୍ୟାଳୟ ପରିସରରେ ନୋଲିଂଙ୍କ ପତ୍ନୀ ୟିରାଂଗ ‘ବାଇଦେଓ’ (ଅରୁଣାଚଳରେ ମହିଳାଙ୍କ ଲାଗି ସାଧାରଣ ସଂବୋଧନ ହେଲା ବାଇଦେଓ)ଙ୍କ ସହିତ ଦେଖା ହେଲା। ନୋଲିଂଙ୍କ ମୃତ୍ୟୁ ପରେ ଅନୁକଂପାମୂଳକ ଚାକିରି ଭାବେ ତାଙ୍କୁ ପିଅନ ଚାକିରି ମିଳିଥିଲା। ଇତିମଧ୍ୟରେ ଶ୍ବଶୁରଙ୍କ ମୃତ୍ୟୁ ପରେ ଶାଶୂ ଏବଂ ଛୁଆଙ୍କୁ ଧରି ସେ ଇଟାନଗରରେ ରହୁଥିଲେ, ଖଣ୍ଡି ହିନ୍ଦୀ ମଧ୍ୟ କହୁଥିଲେ। ଏତେ ବେଳକୁ ମୁଁ ବିବାହିତ। ଆମ ଘରକୁ ଥରେ ଦୁଇ ଥର ଯିବା ଆସିବା ଭିତରେ କିନ୍ତୁ ୟିରାଂଗ ବାଇଦେଓ ଏବଂ ଆମ ପରିବାର ମଧ୍ୟରେ ଭାଷା-ବାଧକତା ଦୂର ହୋଇ ନ ଥାଏ। ୧୯୯୭ରେ ମୁଁ ଅରୁଣାଚଳ ଛାଡ଼ିଲି।
ଏହାର ଦୀର୍ଘ ୨୧ ବର୍ଷ ପରର କଥା। ଭୁବନେଶ୍ବରରୁ ଏକ କାର୍ଯ୍ୟକ୍ରମ‌େର ଇଟାନଗର ଯିବାର ହେଲା। ଦୀର୍ଘ ଦୁଇ ଦଶନ୍ଧିର ବିରତି। ମନେ ହେଉଥାଏ ସତେ ଯେମିତି ଅରୁଣାଚଳ ଆମ ପାଇଁ ପୁନର୍ବାର ଆବିଷ୍କୃତ ହେବା ସକାଶେ ଅପେକ୍ଷା କରିଛି। ସକାଳେ ‘କ୍ୟାଂପସ’ରେ ଅଗତ୍ୟା ଦେଖା ହେଲା ଆମ ବିଭାଗର ପୁରୁଣା ପିଅନ ‘ମୁଣ୍ଡା’ଙ୍କ ସହିତ। ମୁଣ୍ଡାଙ୍କ ପୂର୍ବଜ ଥିଲେ ଛୋଟନାଗପୁର ଅଞ୍ଚଳର, କିନ୍ତୁ ତିନି ପୁରୁଷ ଧରି ସେମାନେ ରହି ଆସିଲେଣି ଆସାମରେ। ମୁଣ୍ଡାଙ୍କୁ ପଚାରିଲି, ‘ୟିରାଂଗ ବାଇଦେଓ କେଉଁଠି?’ ମୁଣ୍ଡା ହସି ହସି ଉତ୍ତର ଦେଲେ, ‘ସେ ତ ଏବେ ମୋ ଘରେ।’ ଅର୍ଥାତ୍‌ ୟିରାଂଗ ବାଇଦେଓ ଏବେ ମୁଣ୍ଡାଙ୍କ ପତ୍ନୀ। ନୋଲିଂଙ୍କର ଛୁଆ ପରେ ଏବେ ମୁଣ୍ଡାଙ୍କ ଦୁଇଟି ଛୁଆଙ୍କ ଜନନୀ ସେ।
ଆମେ ମୁଣ୍ଡାଙ୍କ ଘରକୁ ଗଲୁ। ଏବେ କଥାବାର୍ତ୍ତା ବେଳେ ଆଉ ସେ ଭାଷା-ବାଧକତା ନ ଥିଲା। ଗଦଗଦ ହେଇ ୟିରାଂଗ ବାଇଦେଓ କହିଲେ, ‘ଆପଣଙ୍କ ସହିତ ଯେତେଥର ଦେଖା ହେଇଛି, ମୁଁ କେତେ କ’ଣ କହିବାକୁ ଚାହିଁଛି। ହେଲେ ଭାଷାର ଅଭାବ ଯୋଗୁଁ ତଣ୍ଟିରୁ ଉପରକୁ କଥା ଆସି ପାରୁ ନ ଥିଲା’। ଏବେ କିନ୍ତୁ ଅ‌େନକ କଥା; କଥା କଥାରେ ମୋ ପ୍ରତି କୃତଜ୍ଞତା! ମନେ ହେଲା, ମତେ ଭେଟି ନ ଥିଲେ, ସତେ ଯେମିତି ତାଙ୍କର ଅବ୍ୟକ୍ତ କଥାମାନ ଅକାଳରେ ପ୍ରାଣ ହାରିଥାନ୍ତେ! ତାଙ୍କ ଘରୁ ଫେରିବା ବେଳେ ୟିରାଂଗ ବାଇଦେଓ ନିଜ ହାତବୁଣା ଚାଦରଟିଏ ଦେଲେ! ନୋଲିଂ ଏବଂ ତା’ଙ୍କ ପତ୍ନୀ ୟିରାଂଗ ବାଇଦେଓଙ୍କ ସ୍ମୃତିକୁ ସାଇତି ରଖିବା ଲାଗି ତହିଁରେ ଜାଗାର ଅଭାବ ନ ଥିଲା!
[email protected]

ସମ୍ବନ୍ଧିତ ଖବର