ଆଜି ରିଲିଜ୍‌: ଜଣେ ଦାଢ଼ିଆ ମାଚୋ ହିରୋ ଓ ଜଣେ କଡ଼ା ଫିଲ୍‌ଡ ମାର୍ଶଲ

ଦର୍ଶକୀୟ କ୍ରେଜ୍‌ରେ ‘ଆନିମଲ’ ଆଗରେ, କିନ୍ତୁ ‘ସାମ୍‌ ବାହାଦୁର’ ଜାଣେ ଯୁଦ୍ଧରେ ଧୈର୍ଯ୍ୟ ଜରୁରି

ଭୁବନେଶ୍ବର: ଆସନ୍ତାକାଲି, ଅର୍ଥାତ୍‌ ଶୁକ୍ରବାର ହଲ୍‌କୁ ଆସୁଛି ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ: ‘ଆନିମଲ’ ଏବଂ ‘ସାମ୍‌ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍‌ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି। ସାରା ଦେଶରେ ଏହାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ସେଥିରୁ ବାଦ୍‌ ପଡ଼ିନି ଓଡ଼ିଶା। ବିଶେଷ କରି ଭୁବନେଶ୍ବରର ବିଭିନ୍ନ ହଲ୍‌ରେ ଆଗୁଆ ବୁକିଂ ଦର୍ଶକଙ୍କ ଉତ୍ସାହକୁ ଦର୍ଶାଉଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ ‘ଆନିମଲ୍’ର କ୍ରେଜ୍‌ ସାରା ଦେଶରେ ଆଗରେ ରହିଛି। ରଣବୀର କପୁରଙ୍କ ସହ ଦକ୍ଷିଣୀ ନାୟିକା ରଶ୍ମିକା ମନ୍ଦାନା, ବବି ଦେଓଲ ଓ ଅନିଲ କପୁର ଆଦି ଅଭିଜ୍ଞ କଳାକାର ‘ଆନିମଲ୍’ରେ ଅଛନ୍ତି। ସେଥିରେ ଦାଢ଼ି ରଖିଥିବା ଉଭୟ ରଣବୀର ଓ ବବିଙ୍କ ଗେଟ୍‌ଅପ୍‌ ଚର୍ଚ୍ଚିତ ହୋଇଛି। ଭୁବନେଶ୍ବରର ୮ଟି ସିନେମା ହଲ୍‌ରେ ପ୍ରତିଦିନ ‘ଆନିମଲ୍‌’ର ୭୭ଟି ସୋ’ ରହିଥିବା ବେଳେ ଏସ୍‌ପ୍ଲାନେଡ୍‌ରେ ସର୍ବାଧିକ ୨୦ଟି ସୋ’ ଅଛି। ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ସକାଳ ୮ଟା ୪୦ରୁ ରାତି ୯ଟା ୫୫ ଯାଏ ସର୍ବାଧିକ ୨୦ଟି ସୋ’, ଡିଏନ୍‌ ରେଗାଲିଆରେ ସକାଳ ୯ରୁ ରାତି ୧୦ଟା ୪୫ ଯାଏ ୧୧ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ସକାଳ ୮ଟାରୁ ରାତି ୧୧ଟା ଯାଏ ୧୦ଟି ସୋ’, ସିମ୍ଫୋନୀ ମଲ୍‌ରେ ସକାଳ ୯ରୁ ରାତି ୧୦ଟା ୪୫ ଯାଏ ୯ଟି ସୋ’, ଉତ୍କଳ ଗାଲେରିଆରେ ସକାଳ ୮ଟା ୧୫ରୁ ରାତି ୧୦ଟା ୪୫ ଯାଏ ୧୨ଟି ସୋ’, ମହାରାଜାରେ ସକାଳ ୭ଟାରୁ ରାତି ୧୦ଟା ୧୦ ଯାଏ ୫ଟି, କେଶରୀରେ ସକାଳ ୭ରୁ ରାତି ୯ଟା ୫୦ ଯାଏ ୫ଟି ଏବଂ ସ୍ବାତୀରେ ସକାଳ ୭ରୁ ରାତି ୧୦ଟା ୨୦ ଯାଏ ୫ଟି ସୋ’ ରହିଛି। ‘ସାମ୍‌ ବାହାଦୁର’ ଅପେକ୍ଷା ‘ଆନିମଲ୍‌’ର ଟିକେଟ୍‌ ଦାମ୍‌ ମଧ୍ୟ ଅଧିକ ରହିଛି। ଟିକେଟ୍‌ ଦର ୨୦୦ ଟଙ୍କାରୁ ଆରମ୍ଭ କରି ୧୦୫୦ ଟଙ୍କା ରହିଛି। ‘ବୁକ୍‌ ମାଇଁ ସୋ’ର ତଥ୍ୟ ଅନୁସାରେ, ଖବର ଲେଖା ହେବା ବେଳକୁ ପ୍ରଥମ ଦିନରେ ଫିଲ୍ମର ପ୍ରାୟ ୪୦ ପ୍ରତିଶତ ଟିକେଟ୍‌ ବୁକିଂ ହୋଇ ସାରିଛି।

ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ସେନା ମୁଖ୍ୟ ସାମ୍‌ ମାନେକ୍‌ଶାଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ‘ସାମ୍‌ ବାହାଦୁର’। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସାମ୍‌ ଭାରତୀୟ ସେନାର ମୁଖ୍ୟ ଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ସେନା ଅଧିକାରୀ ଯିଏ ଫିଲ୍ଡ ମାର୍ଶଲ ହୋଇଥିଲେ। ସେ ୪ ଦଶନ୍ଧି ଧରି ଭାରତୀୟ ସେନାରେ କାମ କରିଥିଲେ ଏବଂ ୫ଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ। ଏ ଫିଲ୍ମରେ ତାଙ୍କର ଚରିତ୍ର ଓ ଗେଟ୍‌ଅପ୍‌କୁ ଅଭିନୟ ମାଧ୍ୟମରେ ଅବିକଳ ଉତାରିଛନ୍ତି ଅଭିନେତା ଭିକି କୌଶଲ୍‌। ଭୁବନେଶ୍ବରରେ ‘ସାମ୍‌ ବାହାଦୁର’ ୬ଟି ହଲ୍‌ର ୨୯ଟି ସୋ’ରେ ଲାଗିଛି। ଐତିହାସିକ କାହାଣୀ ହୋଇଥିବାରୁ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦେଖିବାକୁ ଯୁବବର୍ଗଙ୍କ ସମେତ ବୟସ୍କଙ୍କ ମଧ୍ୟରେ ଉତ୍ସାହ ରହିଛି। ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ସକାଳ ୯ଟାରୁ ରାତି ୧୧ଟା ୨୦ ଯାଏ ୭ଟି ସୋ’, ସ୍ତୁତି ସିନେ କମ୍ପ୍ଲେକ୍ସରେ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ଟି, ଡିଏନ୍‌ ରେଗାଲିଆରେ ସକାଳ ୯ଟା ୩୦ରୁ ୧୦ଟା ୫୦ ଯାଏ ୫ଟି, ବିଏମ୍‌ସି ଭବାନୀ ମଲ୍‌ରେ ଅପରାହ୍‌ଣ ୪ଟାରୁ ରାତି ୧୦ଟା ଯାଏ ୩ଟି, ସିମ୍ଫୋନୀ ମଲ୍‌ରେ ସକାଳ ୮ଟା ୫୦ରୁ ରାତି ୧୦ଟା ୩୦ ଯାଏ ୫ଟି ଓ ଉତ୍କଳ ଗାଲେରିଆରେ ସକାଳ ୯ଟା ୩୦ରୁ ରାତି ୧୦ଟା ଯାଏ ୫ଟି ଏହାର ସୋ’ ରହିଛି। ଟିକେଟ୍‌ ଦର ୧୮୦ ଟଙ୍କାରୁ ୫୦୦ ଥିବା ବେଳେ ‘ବୁକ୍‌ ମାଇଁ ସୋ’ରେ ପ୍ରଥମ ଦିନର ପ୍ରାୟ ୨୦ ପ୍ରତିଶତ ଟିକେଟ୍‌ ବୁକ୍‌ ହୋଇ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର