ସିଦ୍ଧାନ୍ତ ବନାମ ଶିବ୍

ଏସ୍‌.ଡି ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’। ଏଥିରେ ମୁଖ୍ୟ ଚରିତ୍ରରେ ଏକାଠି ନଜରକୁ ଆସିବେ ଓଲିଉଡ୍‌ର ଦୁଇ ଜଣାଶୁଣା ତାରକା। ଚଳଚ୍ଚିତ୍ରରେ ସୁପର୍ ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ପାୱାର ଷ୍ଟାର୍ ଶିବ୍‌ଙ୍କୁ ଦେଖିବାକୁ ମିଳିବ। ଆକ୍ସନ୍‌ ପ୍ୟାକ୍ ସହ ଫାଇଟ୍ ଓ ଡ୍ରାମାରେ ମଧ୍ୟ ଶିବ୍‌ଙ୍କୁ ପ୍ରଥମରୁ ଦର୍ଶକ ଆଣ୍ଟି ହିରୋ ଭାବେ ଦେଖିବେ, ମାତ୍ର ଶେଷରେ ଶିବ୍‌ଙ୍କ ସକରାତ୍ମକ ଭୂମିକା ଦେଖିବାକୁ ମିଳିବ। ସିଦ୍ଧାନ୍ ଓ ଶିବ୍‌ଙ୍କ ବ୍ୟତୀତ ଏଥିରେ ରୋମାଣ୍ଟିକ୍ ଯୋଡ଼ି ଦେବାନନ୍ଦ ଓ ଦିବ୍ୟାଦିଶାଙ୍କୁ ନାୟକ ଓ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେ ଜଗତର ରାଜ୍ କରି ଆସୁଥିବା ସିଦ୍ଧାନ୍ତଙ୍କୁ ଦର୍ଶକ ଭିନ୍ନ ଅବତାରରେ ଦେଖିବେ।

ଏହି ସିନେମାରେ ସେ ପରିବାରର ବଡ଼ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଘରର ସାବତ ପୁଅ ପରିବାରକୁ ବିପଦରୁ ରକ୍ଷା କରେ। ଏହି ସାବତ ପୁଅ ଶଙ୍କର ଭୂମିକା ନିର୍ବାହ କରିଛନ୍ତି ସିଦ୍ଧାନ୍ତ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଶିବ୍, ସୁପ୍ରିୟା, କୁନା ତ୍ରିପାଠୀ, କେ.କେ, ବିଜୁ ବଡ଼ଜେନା, କାଳୀ, ଦୀପ୍ତିରେଖା ପଣ୍ଡା, ନୁପୂର ଘୋଷ ଓ ମିତା ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିବ। ଏଥିରେ ସ୍ବତନ୍ତ୍ର ଭୂମିକାରେ ସୁଶାନ୍ତ ଓ ଡାକ୍ତର ଅନନ୍ତ ଆଚାର୍ଯ୍ୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। ଅତୀତରେ ଯିଏ ଏ ମନ ମାନେନା, ଆ ରେ ସାଥୀ ଆ, ମୁନ୍ନା-ଏ ଲଭ୍‌ଷ୍ଟୋରି ଓ ମନେ ମନେ ମନ ଖୋଜୁଥିଲା ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହାର ସଂଳାପକାର ହେଲେ ମନୋରଂଜନ ଦାସ ଓ ସଙ୍ଗୀତକାର ବୈଦ୍ୟନାଥ ଦାଶ। ‘ଶଙ୍କର’ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅରବିନ୍ଦ ସାହୁ। ଅଜିତ ଦାସ ଏଥିରେ ଚିତ୍ରୋତ୍ତୋଳନ କରିଛନ୍ତି। ଚଳଚ୍ଚିତ୍ରଟି ଦଶହରାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର