‘ଦି ଇଣ୍ଟେଲେକ୍ଟସ’ ପକ୍ଷରୁ ଡ. ଭଗବାନ ପ୍ରକାଶଙ୍କ ୮୦ତମ ଜୟନ୍ତୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ବିଶିଷ୍ଟ ଚିନ୍ତକ ତଥା ସ୍ତମ୍ଭକାର ଡ. ଭଗବାନ ପ୍ରକାଶଙ୍କ ୮୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସହ ବିଶ୍ବର ବିଭିନ୍ନ କୋଣରୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିବିଶେଷମାନେ ଯୋଗଦେଇ ତାଙ୍କ ଜୀବନର ବିଭିନ୍ନ ଦିଗ ଓ ସମାଜ ପାଇଁ ତାଙ୍କର ତ୍ୟାଗ ସଂପର୍କରେ ଆଲୋକପାତ କରିଥିଲେ। ଏହାସହ ତାଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରିଥିଲେ। ଡ. ଭଗବାନ ପ୍ରକାଶ ଏକାଧାରାରେ ଜଣେ ଶିକ୍ଷାବିତ୍‌, ଲେଖକ, ସମାଜବିଜ୍ଞାନୀ, ସ୍ତମ୍ଭକାର ତଥା ଜନପ୍ରିୟ ଚିନ୍ତକ ଭାବେ ଅବିଶ୍ବସନୀୟ ଜ୍ଞାନ ଓ ପ୍ରତିବଦ୍ଧିତ କର୍ମ ପାଇଁ ଓଡ଼ିଶା, ଭାରତ ତଥା ବିଦେଶରେ ସୁପରିଚିତ। ଯୁବ ଭାରତୀୟଙ୍କ ପାଇଁ ୧୮ବର୍ଷରୁ ଭୋଟ୍‌ ଦେବାର ଅଧିକାର ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟ ବିନ୍ଧାଣି ଥିଲେ। ଆନ୍ତର୍ଜାତୀୟ ଗଣତନ୍ତ୍ର ପ୍ରତିଷ୍ଠାନ, ଜାତୀୟ ନିର୍ବାଚନ ଆୟୋଗ, ଏନ୍‌ଏସ୍‌ଏସ୍‌, ରାଷ୍ଟ୍ରୀୟ ଯୁବ ବିଭାଗ, ଜାତିସଂଘ ତଥା ଅନେକ ଅନୁଷ୍ଠାନରେ ବିଭିନ୍ନ ପଦପଦବିରେ ରହି ବ୍ୟବସ୍ଥାର ଉନ୍ନତି ସହ ଦେଶର ପ୍ରଗତିରେ ଅବିସ୍ମରଣୀୟ ଅବଦାନ ରଖି ଓଡ଼ିଶା ମାଟି ପାଇଁ ଗୌରବ ଆଣିଛନ୍ତି ବୋଲି ଅତିଥିମାନେ କହିଥିଲେ।

ଭାରତ ସରକାରଙ୍କ ପ୍ରେସ୍‌ ଇନଫର୍ମେସନ୍‌ ବ୍ୟୁରୋର ପୂର୍ବତନ ମହାନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର, ଜର୍ମାନୀରୁ ବିଶିଷ୍ଟ ଶିକ୍ଷାବିତ୍‌ ତଥା ଲେଖକ ଡ. ରାଜେନ୍ଦ୍ର ନାରାୟଣ ଦାସ, ଆମେରିକାରୁ ଓଡ଼ିଶା ସୋସାଇଟି ଅଫ ଆମେରିକାର ପୂର୍ବତନ ଅଧ୍ୟକ୍ଷା କୁକୁ ଦାସ, କାଲିଫର୍ଣ୍ଣିଆରୁ ମନୋଜ ଯୋଶୀ, ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁରେଖା ସୁନ୍ଦରୀ ସ୍ବାଇଁ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଧ୍ୟାପିକା ଡ. ସୁବାସିନୀ ବାରିକ, ନାଇଜର୍‌ର କୁଳସଚିବ ଡ. ଅଭୟ ନାୟକ, ବିଶିଷ୍ଟ ଐତିହାସିକା ଡ. ନିବେଦିତା ମହାନ୍ତି, ଦିଲ୍ଲୀ ଲେଖିକା ସଂସଦର ଅଧ୍ୟକ୍ଷା ଡ. ଅନିତା ପଣ୍ଡା, ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ, ବିଲ୍ଡ ଇଣ୍ଡିଆ ଗ୍ରୁପ୍‌ର ପ୍ରତିଷ୍ଠାତା ବିରଜା ମହାପାତ୍ର, ରାୟଗଡ଼ାର ବିଶିଷ୍ଟ ଓଡ଼ିଆ ସଂଗଠକ ପ୍ରତାପ ରାଉତ, ଦି ଇଣ୍ଟେଲେକ୍ଟସର ସମ୍ପାଦକ ଶ୍ୟାମାନୁଜ ଦାସ, ଦିଲୀପ ସ୍ବାଇଁ, ନଗେନ୍ଦ୍ରନାଥ ସ୍ବାଇଁ ପ୍ରମୁଖ ଯୋଗଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରବିନାରାୟଣ ଷଡ଼ଙ୍ଗୀ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ଓଁକାର ଓ ବେଦ ଧ୍ଵନି କରିଥିଲେ। କାଲିଫର୍ଣ୍ଣିଆରୁ ତାଙ୍କ ଝିଅ ଡ. ଗାୟତ୍ରୀ ମିଶ୍ର ଯୋଶୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର