ମରାଠା କୋଟା ଆନ୍ଦୋଳନକୁ ନେଇ ଇସ୍ତଫା ଦେଲେ ଦୁଇ ସାଂସଦ

ମୁମ୍ବାଇ: ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ଜୋରଦାର ହୋଇଛି। ଏନ୍‌ସିପିର ୨ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଆନ୍ଦୋଳନକାରୀ ଗତକାଲି ନିଆଁ ଲଗାଇ ଦେଇଥିଲେ। ଅନ୍ୟପଟେ ଆଜି ହିଙ୍ଗୋଲିରୁ ସାଂସଦ ଥିବା ହେମନ୍ତ ପାଟିଲ ଶିବସେନା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ସେହିପରି ନାଶିକ ସାଂସଦ ହେମନ୍ତ ଗୋଡସେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିକଟକୁ ପଠାଇଛନ୍ତି। ପାଟିଲ କହିଛନ୍ତି ଯେ ଲୋକସଭା ବାଚସ୍ପତି ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ତେଣୁ ସେ ତାଙ୍କ ଇସ୍ତଫା ପତ୍ର କାର୍ଯ୍ୟାଳୟ ସଚିବଙ୍କ ନିକଟରେ ଦାଖଲ କରିଥିଲେ। ଉଭୟ ସାଂସଦ ଏକନାଥ ସିନ୍ଦେଙ୍କ ନିକଟତର ବୋଲି ବିବେଚନା କରାଯାଏ। ବାସ୍ତବରେ ଯବତମାଲରେ ଥିବା ମରାଠା ସମ୍ପ୍ରଦାୟର ଆନ୍ଦୋଳନକାରୀ ସଦସ୍ୟମାନେ ପାଟିଲଙ୍କୁ ଲୋକସଭା ସଦସ୍ୟତା ପଦରୁ ଇସ୍ତଫା ଦେବାକୁ କହିଥିଲେ।

ଆଉ ପାଟିଲ ଘଟଣାସ୍ଥଳରେ ତାଙ୍କ ଇସ୍ତଫା ପ୍ରସ୍ତୁତ କରି ଆନ୍ଦୋଳନକାରୀଙ୍କ ନିକଟରେ ଦାଖଲ କରିଥିଲେ। ଏହାପୂର୍ବରୁ ପାଟିଲ ନିଜକୁ ମରାଠା ସମ୍ପ୍ରଦାୟର ଜଣେ କାର୍ଯ୍ୟକର୍ତ୍ତା ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ଦିଲ୍ଲୀରେ ଲୋକସଭା ବାଚସ୍ପତିଙ୍କୁ ଭେଟି ମୋର ଇସ୍ତଫା ପତ୍ର ଦାଖଲ କରିବି। ଗତ କିଛି ଦିନ ମଧ୍ୟରେ ଅନେକ ମରାଠା ଯୁବକ ଏହା ପାଇଁ ଆତ୍ମହତ୍ୟା କରିଛନ୍ତି। ନିଜକୁ ସାଂସଦ ବୋଲି କହି ହେମନ୍ତ ପାଟିଲ କହିଛନ୍ତି ଯେ ପଦ ଆସିବ ଏବଂ ଯିବ, କିନ୍ତୁ ସମ୍ପ୍ରଦାୟ ସବୁବେଳେ ରହିବ। ସେ କହିଛନ୍ତି, “ଆର୍ଥିକ ଓ ଶିକ୍ଷାଗତ କ୍ଷେତ୍ରରେ ମରାଠା ସମ୍ପ୍ରଦାୟର ଅବସ୍ଥା ଅଧିକ ଖରାପ ହୋଇଯାଇଛି | ସେଥିପାଇଁ ମରାଠାଙ୍କୁ ସଂରକ୍ଷଣ ମିଳିବା ଉଚିତ୍। ” ଅନ୍ୟପଟେ ନାଶିକରେ ମଧ୍ୟ ଶିବସେନା ସାଂସଦ ହେମନ୍ତ ଗୋଡସେ ତାଙ୍କ ଇସ୍ତଫା ପତ୍ର ସିନ୍ଦେଙ୍କ ନିକଟକୁ ପଠାଇଦେଇଥିବାବେଳେ ଅନୁରୋଧ କରିଥିଲେ ଯେ ଯଥାଶୀଘ୍ର ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦିଆଯାଉ।

ସମ୍ବନ୍ଧିତ ଖବର