ଜମ୍ମୁ-କଶ୍ମୀର : ପୁଞ୍ଚ ଓ ରାଜୋରୀରେ ଯୁଦ୍ଧକାଳୀନ ଭିତ୍ତିରେ ୪୦୦ ବଙ୍କର ନିର୍ମାଣ ହେବ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଞ୍ଚ ଓ ରାଜୋରୀ ଜିଲ୍ଲାରେ ଅଧିକ ୪୦୦ଟି ବଙ୍କର ନିର୍ମାଣ କରିବା ଲାଗି ରାଜ୍ୟ ପ୍ରଶାସନ ମଞ୍ଜୁରୀ ଦେଇଛି। ଗତ ୫ ଦିନ ମଧ୍ୟରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିବୋମା ବର୍ଷଣ ଜାରି ରହିଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୀମା ଆର ପଟୁ ପ୍ରବଳ ଗୁଳିଗୋଳା ବର୍ଷଣ ଜାରି ରହିଥିବା କାରଣରୁ ପୁଞ୍ଚ ଓ ରାଜୋରୀ ଜିଲ୍ଲାରେ ୨୦୦ ଲେଖାଏଁ ବଙ୍କର ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି।

ମାସକ ମଧ୍ୟରେ ବଙ୍କର ନିର୍ମାଣ ଶେଷ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ସ୍ୱତନ୍ତ୍ର ଭାବେ ଅର୍ଥ ଯୋଗାଇ ଦିଆଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ ପାକ ପଟୁ ଗୋଳାବର୍ଷଣ ବେଳେ ବଙ୍କରଗୁଡ଼ିକରେ ସେମାନେ ଆଶ୍ରୟ ଗ୍ରହଣ କରିଥାଆନ୍ତି। ଏହା ଦ୍ୱାରା ପାକ୍‌ ଗୁଳିମାଡ଼ରେ ଲୋକଙ୍କର ଜୀବନ ହାନୀର ଆଶଙ୍କା ନ ଥାଏ।

ଉଲ୍ଲେଖଯୋଗ୍ୟ କି ଗତକାଲି ରାତିରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ଦୁଇ ଜଣ ଶିଶୁ ଓ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଜଣେ ସ୍ଥାନୀୟ ନେତା କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତ-ପାକ୍‌ ନିୟନ୍ତ୍ରଣ ରେଖା ନିକଟରେ ବସବାସ କରୁଥିବା ଲୋକଙ୍କ ଲାଗି ନିରାପଦ ବାସଗୃହ ନିର୍ମାଣ କରିବା ଦରକାର।

ସମ୍ବନ୍ଧିତ ଖବର