ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ମହିଳା: ପ୍ରତିିବର୍ଷ ସହସ୍ରାଧିକ ସଂଖ୍ୟାଲଘୁ ଝିଅ, ମହିଳାଙ୍କୁ ଅପହରଣ କରି ଧର୍ମାନ୍ତରୀକରଣ ପରେ ବଳପୂର୍ବକ କରାଯାଉଛି ବିବାହ: ରିପୋର୍ଟ

ଇସଲାମାବାଦ: ପାକିସ୍ତାନରେ ପ୍ରତ୍ୟେକ ବର୍ଷ ଏକ ହଜାରରୁ ଅଧିକ ନାବାଳିକା ଏବଂ ମହିଳାଙ୍କୁ ଅପହରଣ କରାଯାଇ ସେମାନଙ୍କୁ ବଳପୂର୍ବକ ଇସ୍‌ଲାମ ଧର୍ମରେ ଧର୍ମାନ୍ତରୀକରଣ କରାଯିବା ପରେ ସେମାନଙ୍କର ବିବାହ କରି ଦିଆଯାଉଛି। ବିଶେଷ କରି ପାକିସ୍ତାନରେ ସଂଖ୍ୟାଲଘୁ ଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ଅନ୍ୟ କିଛି ସଂଖ୍ୟାଲଘୁ ସଂପ୍ରଦାୟର ନାବାଳିକା ଓ ମହିଳାମାନଙ୍କୁ ଅପହରଣ କରାଯାଇ ସେମାନଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରାଯାଉଛି।

ବ୍ରିଟିଶ ନେତୃତ୍ୱାଧୀନ ଏକ ସର୍ବଦଳୀୟ ସଂସଦୀୟ ଗୋଷ୍ଠୀ (ଏପିପିଜି) ପକ୍ଷରୁ କରାଯାଇଥିବା ତଦନ୍ତର ରିପୋର୍ଟରୁ ଏହା ସାମନାକୁ ଆସିଛି। ତେବେ, ଏହି ସଂଖ୍ୟା ରିପୋର୍ଟ ହୋଇଥିବା ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ଥିବା ତଦନ୍ତ ରିପୋର୍ଟରେ କୁହାଯାଇଛି। ତେବେ, ଗତ ସେପ୍ଟେଟର ୨୦୨୧ରେ ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଝିଅଙ୍କ ମାମଲା ଉପରେ ଗୁରୁତ୍ୱ ଦିଆଯାଇଛି। ହିନ୍ଦୁ (୧.୫୯ ପ୍ରତିଶତ) ଏବଂ ଖ୍ରୀଷ୍ଟିଆନ (୧.୬୦ ପ୍ରତିଶତ) ସମେତ ଧାର୍ମିକ ସଂଖ୍ୟାଲଘୁଙ୍କ  ୧୨ରୁ ୨୫ ବର୍ଷ ବୟସ ମଧ୍ୟରେ ନାବାଳିକା ଓ ମହିଳା ଏପରି ଘଟଣାର ଶିକାର ହେଉଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଅତ୍ୟଧିକ ସଂଖ୍ୟକ ମାମଲା ଗରିବ ଏବଂ ପ୍ରାୟତଃ ନିରକ୍ଷରଙ୍କ ମଧ୍ୟରେ ରହିଛି। ପାକିସ୍ତାନରେ ନିକଟ ଅତୀତରେ ସଂଖ୍ୟାଲଘୁଙ୍କ ବିରୋଧରେ ଅପରାଧର ଏପରି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୧୯୪୭ରେ ପାକିସ୍ତାନର ଜନ୍ମ ପରଠାରୁ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ମାମଲା ବୃଦ୍ଧି ପାଇଛି।

ପାକିସ୍ତାନରେ ମହିଳାମାନେ ସୁରକ୍ଷିତ ନଥିବା ବେଳେ ସେମାନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଉଛି। କାରଣ ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରାୟ ୬,୭୫୪ ମହିଳାଙ୍କୁ ୨୦୨୧ର ପ୍ରଥମାର୍ଦ୍ଧରେ ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଅପହରଣ କରାଯାଇଥିଲା।

ସମ୍ବନ୍ଧିତ ଖବର