ଆଗକୁ ବିଜେପି ପାଇଁ ବିପଦ

ନୂଆଦିଲ୍ଲୀ: ୨୦୧୪ ମସିହାରେ ସାରା ଦେଶ ମୋଦି ହାଓ୍ଵାରେ ପ୍ରକମ୍ପିତ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପିର କ୍ଷମତା ଦଖଲ ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବାଧିକ ଶକ୍ତିଶାଳୀ ନେତାଭାବେ ପ୍ରତିପାଦିତ କରିଥିଲା। ପରିସ୍ଥିତି ଏବେ ବଦଳି ଯାଇଛି। ୨୦୧୪ର ଶକ୍ତିଶାଳୀ ଏନ୍‌୍‌ଡିଏ ମେଣ୍ଟ ତା’ର ପ୍ରଭାବ ହରାଇଛି। ବିଜେପି ମେଣ୍ଟ ଧର୍ମ ପାଳନ କରୁନଥିବା ଦର୍ଶାଇ ଶିବସେନା ଓ ଅକାଳି ନେତାମାନେ ରୋଷ ପ୍ରକଟ କରୁଥିବା ବେଳେ ଟିଡିପି ଓହରିଯାଇଛି। ୨୦୧୮ ଆରମ୍ଭ ହେଉ ହେଉ ବିଜେପି ବାରମ୍ବାର ଉପ ନିର୍ବାଚନଗୁଡ଼ିକରେ ପରାସ୍ତ ହେବା ପରେ ଦଳର ପତିଆରା କ୍ଷୁର୍ଣ୍ଣ ହୋଇଛି ।

ଟିଡିପି ଛାଡ଼ିବା ପରେ ସଂସଦରେ ଏନ୍‌ଡିଏର ସ୍ଥିତି
ବର୍ତ୍ତମାନ ବିଜେପିର ଲୋକସଭା ସାଂସଦଙ୍କ ସଂଖ୍ୟା ହେଉଛି ୨୭୪। ସହଯୋଗୀ ଦଳ ଶିବସେନାର ୧୮ ଜଣ,ଏଲଜେପିର ୬ ଜଣ,ଅକାଳି ଦଳର ୪, ଆର୍‌ଏଲଏସ୍‌ପିର ୩, ଜେଡିୟୁର ୨, ଅପ୍‌ନା ଦଳ ୨ ଏବଂ ପିଡିପି,ଏସ୍‌ଡିଏଫ୍‌ ଓ ଏନ୍‌ପିପିର ଜଣେ ଲେଖାଏଁ ସାଂସଦ ରହିଛନ୍ତି। ଟିଡିପିର ଲୋକସଭାରେ ୧୬ ଓ ରାଜ୍ୟସଭାରେ ୬ଜଣ ସାଂସଦ ରହିଛନ୍ତି। ତେବେ ମେଣ୍ଟରୁ ଟିଡିପି ଓହରିବା ପରେ ଏନ୍‌ଡିଏ ପାଖରେ ୩୨୮ ଜଣ ସାଂସଦରୁ ଏବେ ୩୧୨ ରହିଛନ୍ତି।

ରାଜ୍ୟସଭାରେ ବଢିବ ବିଜେପିର ଚିନ୍ତା
ଟିଡିପି ଓହରିଯିବା ପରେ ମଧ୍ୟ ଲୋକସଭାରେ ସରକାରଙ୍କ ପ୍ରତି ବିଶେଷ କୌଣସି ପ୍ରଭାବ ପଡିବ ନାହିଁ, କିନ୍ତୁ ରାଜ୍ୟସଭାରେ ସମର୍ଥନ ଲାଭ କରିବାକୁ ବିଜେପି ପାଇଁ ବଡ଼ ସମସ୍ୟା ସୃଷ୍ଟି ହେବ। ଶିବସେନା ପୂର୍ବରୁ ହିଁ ବିଜେପିକୁ ବିରୋଧ କରୁଥିବା ବେଳେ ଏବେ ଟିଡିପି ଏନ୍‌ଡିଏରୁ ଓହରିବା ପରେ ବିରୋଧୀଙ୍କ ଶକ୍ତି ବୃଦ୍ଧି ହୋଇଛି। ବିଜେପି ସମର୍ଥିତ ଦଳ ମେଣ୍ଟରୁ ଓହରି ଆସିବା ପରେ ମୋଦି ସରକାର ସହଯୋଗୀ ଦଳଙ୍କ ସହ ବନ୍ଧୁତା ରଖିପାରୁନାହାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଆନ୍ଧ୍ରପ୍ରଦେଶରେ ବିଜେପିର ରାଜନୈତିକ ସମୀକରଣ ମଧ୍ୟ ଓଲଟପାଲଟ ହୋଇଯାଇଛି।

ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ୫୦ ସଭ୍ୟଙ୍କ ସମର୍ଥନ ଜରୁରି
କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପାଇଁ ଅତି କମ୍‌ରେ ୫୦ ଜଣ ସାଂସଦଙ୍କ ସମର୍ଥନ ଜରୁରି। ଟିଡିପି ଓ ଓ୍ଵାଆର୍‌ଏସ୍‌ ପ୍ରତି ମିଳୁଥିବା ବିପୁଳ ସମର୍ଥନ ଯୋଗୁଁ ଏହି ସଂଖ୍ୟା ଅତି ସହଜରେ ମିଳିବ ବୋଲି ଜଣାପଡ଼ିଛି ।

୨୮୨ରୁ ୨୭୪କୁ ଖସିଲା ବିଜେପି
ନିକଟରେ ଅନୁଷ୍ଠିତ ୟୁପି, ବିହାର ଉପ ନିର୍ବାଚନ ପରେ ବିଜେପି ସାଂସଦଙ୍କ ସଂଖ୍ୟା ୨୮୨ରୁ ୨୭୪କୁ କମିଯାଇଛି। ତଥାପି ଲୋକସଭାରେ ବିଜେପିର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଛି। ଏବେ ଲୋକସଭାରେ ମୋଟ ୫୩୬ ଜଣ ସଦସ୍ୟ ଥିବା ବେଳେ ଆହୁରି ୭ଟି ଆସନ ଖାଲି ପଡିଛି। ୨୦୧୪ ପରଠାରୁ ଦେଶରେ ୧୯ଟି ଲୋକସଭା ଉପ ନିର୍ବାଚନ ହୋଇଥିବା ବେଳେ ବିଜେପି ହାତରୁ ୮ଟି ଆସନ ଖସିଗଲାଣି। ନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ଏବେ ବିଜେପିକୁ ଆଖି ଦେଖାଉଥିବାରୁ ବିଜେପିର ଚିନ୍ତା ବଢିଯାଇଛି।

ଏବେ ବି ବାକି ରହିଛି ୩ଟି ଉପ ନିର୍ବାଚନ,୩ଟି ବିଧାନସଭା ନିର୍ବାଚନ
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ମହାରାଷ୍ଟ୍ରର ଦୁଇଟି ଓ ୟୁପିର ଗୋଟିଏ ଲୋକସଭା ଆସନ ପାଇଁ ଉପ ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ସାଙ୍ଗକୁ କର୍ଣ୍ଣାଟକ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ମହାରାଷ୍ଟ୍ରର ପାଲଘର ସାଂସଦ ଚିନ୍ତାମନ ବନ୍‌ଗାଙ୍କର ଚଳିତବର୍ଷ ଜାନୁଆରି ୩୦ ତାରିଖରେ ଦେହାନ୍ତ ହୋଇଥିବା ବେଳେ ସାଂସଦ ନାନା ପଟୋଲେ ଗତ ଡିସେମ୍ବରରେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ୟୁପି କୈରାନାର ସାଂସଦ ହୁକୁମ ସିଂହଙ୍କର ଫେବୃଆରି ୪ ତାରିଖରେ ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର