ସିବିଆଇ ଅନ୍ତରୀଣ ମୁଖ୍ୟ ନିଯୁକ୍ତି ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସିବିଆଇ ଅନ୍ତରୀଣ ମୁଖ୍ୟ ଭାବେ ଏନ. ନାଗେଶ୍ବର ରାଓଙ୍କୁ ସରକାର ନିଯୁକ୍ତି ଦେବା ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣିରୁ ପ୍ରଧାନ ବିଚାରପତି ରଂଜନ ଗୋଗଇ ସୋମବାର ଓହରି ଯାଇଛନ୍ତି। ସିବିଆଇର ନୂଆ ମୁଖ୍ୟ ଚୟନ ପାଇଁ ଉଦ୍ଦିଷ୍ଟ କମିଟିର ସେ ସଦସ୍ୟ ରହିବେ ବୋଲି ଦର୍ଶାଇ ଏହି ଶୁଣାଣିରୁ ଓହରି ଯାଇଛନ୍ତି। କମନ୍ କଜ୍ ନାମକ ଏନଜିଓ ପକ୍ଷରୁ ଦାଖଲ ହୋଇଥିବା ଏ ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଶ୍ରୀ ଗୋଗଇ ଓ ବିଚାରପତି ସଂଜୀବ ଖାନ୍ନା କରୁଥିଲେ। ନୂଆ ସିବିଆଇ ନିର୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଶ୍ରୀ ରାଓଙ୍କୁ ଅନ୍ତରୀଣ ନିର୍ଦେଶକଭାବେ ଚଳିତ ମାସ ୧୦ ତାରିଖରେ ନିଯୁକ୍ତି ଦିଆଯାଇଛି। ଦୁର୍ନୀତି ଓ ଦାୟିତ୍ବରେ ଅବହେଳା କାରଣରୁ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ନେତାଙ୍କୁ ନେଇ ଗଠିତ କମିଟି ବିଦା କରିବା ପରେ ଶ୍ରୀ ରାଓଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି। ତେବେ ଜାନୁଆରି ୧୦ ତାରିଖର ନିର୍ଦେଶକୁ କମନ କଜ୍ ବେଆଇନ ଦର୍ଶାଇଛି।

ସମ୍ବନ୍ଧିତ ଖବର