ରାହୁଲଙ୍କ ଘୋଷଣା: ଚରଣଜିତ୍‌ ସିଂହ ଚନ୍ନି ପଂଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଲୁଧିଆନା : ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି ହିଁ ପଂଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଘୋଷଣା କରିଛନ୍ତି। ଲୁଧିଆନାରେ ଦଳର ଏକ ରୢାଲିରେ ଚନ୍ନି, ସିଦ୍ଧୁ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ରାହୁଲ ଏହି ଘୋଷଣା କରିଛନ୍ତି। ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ଜିଦ୍‌ ଧରିଥିବା ନବଜୋତ ସିଂହ ସିଦ୍ଧୁ ଆଜିର ଏହି ଘୋଷଣା ପରେ କହିଛନ୍ତି ଯେ ସେ କ୍ଷମତା ହାସଲ ପାଇଁ କଂଗ୍ରେସକୁ ଆସିନାହାନ୍ତି ଏବଂ ଦଳର ଏହି ନିଷ୍ପତ୍ତିକୁ ଗ୍ରହଣ କରିବେ।

ରାହୁଲ କହିଛନ୍ତି ଯେ ପଂଜାବର ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ ହିଁ ଦଳ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁଛି । ଚନ୍ନି ଗରିବ ଘରର ପୁଅ ଏବଂ ଗରିବଙ୍କ ସମସ୍ୟା ବୁଝନ୍ତି। ତାଙ୍କ ହୃଦୟରେ ଓ ରକ୍ତରେ ପଂଜାବ ରହିଛି ବୋଲି ରାହୁଲ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ଆଜି ରାହୁଲ ଲୁଧିଆନାର ହୟାତ ରିଜେନ୍ସି ହୋଟେଲେରେ ଚନ୍ନି, ସିଦ୍ଧୁ ଏବଂ ରାଜ୍ୟ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୁନିଲ ଜାଖରଙ୍କ ସହିତ ରୁଦ୍ଧ ଦ୍ବାର ବୈଠକ କରିଥିଲେ। ଏହାପରେ ରାହୁଲ ଦଳର ରୢାଲିରେ ଚନ୍ନିଙ୍କ ନାମ ଘୋଷଣା କରିଥିଲେ। ସିଦ୍ଧୁ କହିଛନ୍ତି, ମତେ କ୍ଷମତା ନ ମିଳିଲେ ବି ଆପଣ (ରାହୁଲ) ଯାହାକୁ ମୁଖ୍ୟମନ୍ତ୍ରୀ କରିବେ ମୁଁ ତାଙ୍କ ସହିତ ହସି ହସି କାମ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ ଦୁଇ ଦିନ ତଳେ ସିଦ୍ଧୁ ଚନ୍ନିଙ୍କ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବକୁ ଚ୍ୟାଲେଂଜ କରିବା ସହ ଦଳର ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଆଜି ଚନ୍ନିଙ୍କ ନାମ ଘୋଷଣା ହୋଇସାରିଥିବାରୁ ଆଗକୁ ସିଦ୍ଧୁଙ୍କ ଆଭିମୁଖ୍ୟ କିଭଳି ରହିବ ତାହା ଉପରେ ଦଳର ନଜର ରହିଛି।

ସମ୍ବନ୍ଧିତ ଖବର