ଚତୁର୍ଥ ବିଧାନସଭାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ଦଳ ସରକାର ଗଠନ ପାଇଁ ସୁଯୋଗ ଲାଭ କରିଥିଲେ। ଏବଂ, ପ୍ରଥମଥର ବି ରାଜ୍ୟରେ ଏକ ମେଣ୍ଟ ସରକାର ଗଠନ ହୋଇଥିଲା। ବିଧାନସଭାରେ ସଚେତକ ଓ ଉପ ସଚେତକଙ୍କୁ ବୈଧାନିକ ମାନ୍ୟତା ଦିଆଯିବା ଥିଲା ଏକ ଉଲ୍ଲେଖନୀୟ ଘଟଣା। ରାଷ୍ଟ୍ରପତି ବିଧାନସଭାକୁ ବି ଭଙ୍ଗ ଘୋଷଣା କରିଥିଲେ ଏହି ସମୟରେ।
Sambad is now on WhatsApp
Join and get latest news updates delivered to you via WhatsApp
ସୀମା ପୁନଃନିର୍ଦ୍ଧାରଣ (ଓଡ଼ିଶା ନିର୍ଦେଶ) ୧୯୬୫ ଅନୁଯାୟୀ ନିର୍ବାଚନମଣ୍ଡଳୀର ଭୌଗୋଳିକ ଅବସ୍ଥିତିରେ କିଛିଟା ପରିବର୍ତ୍ତନ ଅଣାଗଲା ସିନା ସମୁଦାୟ ଆସନ ସଂଖ୍ୟା ସେହି ୧୪୦ରେ ସୀମିତ ରଖାଯାଇଥିଲା।
୧୯୬୭ ମସିହା ଫେବ୍ରୁଆରି ୨୧ ତାରିଖରେ ଚତୁର୍ଥ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏବଂ, ପ୍ରଥମଥର ପାଇଁ ଗୋଟିଏ ଦିନରେ ହିଁ ଭୋଟଗ୍ରହଣ କରାଯାଇଥିଲା।
୧୯୬୨ ମସିହା ମାର୍ଚ୍ଚ ମାସରେ ଗଣତନ୍ତ୍ର ପରିଷଦ ଅନ୍ୟତମ ରାଜନୈତିକ ଦଳ ସ୍ବତନ୍ତ୍ର ପାର୍ଟିରେ ବିଲୀନ ହେବାପରେ ରାଜ୍ୟରେ ଏକ ନୂତନ ରାଜନୈତିକ ଶକ୍ତିର ଆବିର୍ଭାବ ହୋଇଥିଲା।
ନିର୍ବାଚନର ଫଳାଫଳ ପରେ ମାର୍ଚ୍ଚ ୧୭ ତାରିଖ ଦିନ ସମସ୍ତ ନବନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଆର୍ ଏନ୍ ସିଂହଦେଓଙ୍କ ନେତୃତ୍ବରେ ସ୍ବତନ୍ତ୍ର-ଜନ କଂଗ୍ରେସ ମେଣ୍ଟ ସରକାର ଗଠନ କରିଥିଲେ। ପବିତ୍ର ମୋହନ ପ୍ରଧାନ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କଂଗ୍ରେସର ସଦାଶିବ ତ୍ରିପାଠୀ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ।
୧୯୬୯ ମସିହା ଏପ୍ରିଲ ୧୦ ତାରିଖ ଦିନ ସଦାଶିବ ତ୍ରିପାଠୀ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ବିନାୟକ ଆଚାର୍ଯ୍ୟ ଏହି ପଦ ଅଳଙ୍କୃତ କରିଥିଲେ।
ଏହି ସରକାର ସମୟରେ ସମୁଦାୟ ୧୦ଟି ବିଧାନସଭା ଅଧିବେଶନ ବସିଥିଲା ଏବଂ ଏହା ସମୁଦାୟ ୧୯୬ ଦିନ ଚାଲିଥିଲା। ନନ୍ଦକିଶୋର ମିଶ୍ର ବାଚସ୍ପତି ଓ ହରିହର ବାହିନୀପତି ଉପବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ।
ଏହି ସରକାର ଅମଳରେ ପ୍ରଥମଥର ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଧାନସଭାରେ ସଚେତକ ବା ହ୍ବିପ୍ ନିଯୁକ୍ତି ଦିଆଯାଇଥିଲା। ୧୯୬୯ ମସିହାରେ ଏହି ପଦକୁ ମଧ୍ୟ ବୈଧାନିକ ମାନ୍ୟତା ପ୍ରଦାନ କରାଯାଇଥିଲା। ଓଡ଼ିଶା ବିଧାନସଭା ସଦସ୍ୟ ଦରମା ଓ ଭତ୍ତା ଆଇନ, ୧୯୫୪କୁ ସଂଶୋଧନ କରାଯାଇ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକଙ୍କ ପାଇଁ ଭତ୍ତା ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା।
୧୯୭୧ ମସିହା ଜାନୁଆରି ୧୧ ତାରିଖରେ ଭାରତର ରାଷ୍ଟ୍ରପତି ଏକ ଘୋଷଣାନାମା ଜାରି କରି ବିଧାନସଭାକୁ ସସ୍ପେଣ୍ଡ କରିଥିଲେ। ଜାନୁଆରି ୩୧ ରାଷ୍ଟ୍ରପତିଙ୍କ ଆଉ ଏକ ଘୋଷଣାନାମା ବଳରେ ବିଧାନସଭା ଭଙ୍ଗ କରାଯାଇଥିଲା।