ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

ହୃଦୟ ବିଦାରକ: ରାଷ୍ଟ୍ରପତି
ଦେଶର କୋଟି କୋଟି ଲୋକଙ୍କ ପରି ଲତାଜୀଙ୍କ ମୃତ୍ୟୁ ମୋ ପାଇଁ ହୃଦୟ ବିଦାରକ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କର ବିଶାଳ ସଙ୍ଗୀତ ଭଣ୍ଡାରରେ ଭାରତର ସୌନ୍ଦର୍ଯ୍ୟ ଏବଂ ସାରାଂଶ ପ୍ରତିଫଳିତ ହୋଇଛି। ଏକାଧିକ ପିଢ଼ିର ଲୋକମାନେ ତାଙ୍କ ସଙ୍ଗୀତରେ ସେମାନଙ୍କ ଅନ୍ତରର ଗଭୀରତମ ଭାବନାର ପରିପ୍ରକାଶକୁ ଅନୁଭବ କରିଥାନ୍ତି। ଭାରତ ରତ୍ନ ସମ୍ମାନୀରେ ଭୂଷିତ ଲତାଜୀଙ୍କ କାର୍ଯ୍ୟ ଅତୁଳନୀୟ ହୋଇ ରହିବ। ଅନେକ ଶତାବ୍ଦୀ ପରେ ଲତାଙ୍କ ଭଳି କଳାକାର ଜନ୍ମ ହୋଇଥିଲେ। ଲତା ଦିଦିଙ୍କୁ ଯେତବେଳେ ଭେଟିଛି ସେ ଜଣେ ବିରଳ ମଣିଷ ହୋଇଥିବା ମୁଁ ଅନୁଭବ କରିଛି। ତାଙ୍କର ଐଶ୍ବରିକ ସ୍ବର ସବୁଦିନ ପାଇଁ ନିରବି ଯାଇଛି। କିନ୍ତୁ ଲତାଙ୍କର ସୁମଧୁର ସ୍ବର ସବୁଦିନ ପାଇଁ ଉଜ୍ଜୀବିତ ରହିବ, ସ୍ବର୍ଗରେ ଗୁଞ୍ଜରିତ ହେବ ବୋଲି ରାଷ୍ଟ୍ରପତି କହିବା ସହିତ ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ବେଦନା ପ୍ରକାଶ ପାଇଁ ଭାଷା ନାହିଁ: ମୋଦୀ
ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲତାଙ୍କ ମୃତ୍ୟୁଜନିତ ବେଦନା ପ୍ରକାଶ ପାଇଁ ତାଙ୍କ ନିକଟରେ ଶବ୍ଦ ନାହିଁ। ଲତା ଦିଦି ଆମକୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟୁରେ ଦେଶରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହାକୁ ପୂରଣ କରାଯାଇ ପାରିବ ନାହିଁ। ତାଙ୍କର ସୁମଧୁର ସ୍ବର ଲୋକଙ୍କୁ ସମ୍ମୋହନ କରିବାର ଅତୁଳନୀୟ କ୍ଷମତା ରଖିଛି। ଉତ୍ତର ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଭାବେ ମନେ ରଖିବେ। ଲତା ଦିଦିଙ୍କ ଠାରୁ ମୁଁ ସବୁବେଳେ ଅଜସ୍ର ସ୍ନେହ ପାଇଛି। ତାଙ୍କ ସହିତ ମୋର ଆଲୋଚନା ଅଭୁଲା ରହିବ। ତାଙ୍କ ମୃତ୍ୟୁରେ ମୁଁ ଶୋକବ୍ୟକ୍ତ କରୁଛି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଉଛି ବୋଲି ‌ପ୍ରଧାନମନ୍ତ୍ରୀ କହିଛନ୍ତି।

ଏକ ଯୁଗର ଅବସାନ: ରାଜ୍ୟପାଳ
ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ଶୁଣି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୋକ ପ୍ରକାଶ କରିଛନ୍ତି। ନିଜ ଶୋକବାର୍ତାରେ ପ୍ରଫେସର ଲାଲ୍‌ କହିଛନ୍ତି ଯେ ଏକ ଯୁଗର ଅବସାନ ଘଟିଲା। ତାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ସୁମଧୁର ସ୍ବର ଆମ ହୃଦୟରେ ବଞ୍ଚି ରହିବ ଏବଂ ଭବିଷ୍ୟତ ପିଢ଼ି ଲାଗି ସ୍ମରଣୀୟ ହୋଇ ରହିବ।

ସାମୂହିକ ଚେତନାରେ ଏକ ଶୂନ୍ୟତା: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି ଯେ ଲତା ମଙ୍ଗେସକର ଜଣେ କିଂବଦନ୍ତୀ ଗାୟିକା। ତାଙ୍କ ପରଲୋକ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ। ସେ ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’। ଆମ ସାମୂହିକ ଚେତନାରେ ଏକ ଶୂନ୍ୟ ସ୍ଥାନ ଛାଡ଼ି ଚାଲିଗଲେ। ଚୀର କାଳ ପାଇଁ ନିଜ ସଙ୍ଗୀତକୁ ନେଇ ସେ ବଞ୍ଚି ରହିବେ। ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ମୋର ଗଭୀର ସମବେଦନା।

ଗଭୀର ଶୂନ୍ୟସ୍ଥାନ ସୃଷ୍ଟି: ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖୀ। ତାଙ୍କ ସୁମଧୁର ସ୍ୱରର ଧାରା ସ୍ବତନ୍ତ୍ର। ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନକୁ ଛୁଇଁଛି। ତାଙ୍କ ବିୟୋଗ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତେବେ ପିଢ଼ି ପରେ ପିଢ଼ି ତାଙ୍କର କାର୍ଯ୍ୟକୁ ନେଇ ଆନନ୍ଦିତ ହେବେ। ସେ ଆମ ପାଇଁ ତଥା ଦେଶ ଲାଗି କରିଥିବା ସମସ୍ତ କାର୍ଯ୍ୟ ପ୍ରତି ଗଭୀର କୃତଜ୍ଞତା। ତାଙ୍କ ପରିବାର ଓ ବନ୍ଧୁଙ୍କୁ ଗଭୀର ସମବେଦନା।

ସୁମଧୁର ସଙ୍ଗୀତ ଅମର ରହିବ: ନିରଞ୍ଜନ ପଟ୍ଟନାୟକ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକବାର୍ତାରେ କହିଛନ୍ତି ଯେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆମ ଗହଣରେ ଆଉ ନ ଥିବା ଜାଣି କଷ୍ଟ ଲାଗୁଛି। ତାଙ୍କ ସୁମଧୁର ସଙ୍ଗୀତ ସର୍ବଦା ଅମର ରହିବ। ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ମୋର ହୃଦୟରୁ ସମବେଦନା। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଆତ୍ମାଙ୍କୁ ମୋକ୍ଷ ପ୍ରଦାନ କରନ୍ତୁ।

ସମ୍ବନ୍ଧିତ ଖବର