ଚୀନ୍‌ର ଷଡ଼୍‌ଯନ୍ତ୍ର, ଆଲୋଚନା ଚାଲିଲା ବେଳେ ସେନା ମୁତୟନ

ମୁକାବିଲା ଲାଗି ଭାରତର ପ୍ରସ୍ତୁତି, ସୀମାରେ ପୁଣି ଉତ୍ତେଜନା

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ହ୍ରାସ କରିବା ଲାଗି କଥାବାର୍ତା ଚାଲିଥିବା ବେଳେ ଭାରତୀୟ ସୀମାରେ ଚୀନ ଏହାର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଭାରତ ସହିତ ସମଗ୍ର ୪ ହଜାର କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ଯୁଦ୍ଧାସ୍ତ୍ର ସହିତ ସେନା ମୁତୟନ କରିଛି। ଚୀନର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତ ମଧ୍ୟ ଅଧିକ ସଂଖ୍ୟକ ସେନା ସୀମାକୁ ପଠାଇବା ଆରମ୍ଭ କରିଛି। ଲଦାଖ ଠାରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶର ବିଭିନ୍ନ ସେକଟରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଅନାବଶ୍ୟକ ଭାବେ ଚୀନ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି କରି ଚାଲିିଥିବା ବେ‌େ‌ଳ ଭାରତ କିମ୍ବା ଚୀନ ଏସଂପର୍କରେ ମୁହଁ ଖୋଲୁ ନାହାନ୍ତି।

ତେବେ ଲଦାଖରେ ଗତ ମଇ ମାସ ପ୍ରଥମ ସପନ୍ତାହରୁ ଆରମ୍ଭ ‌େହାଇଥିବା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍‌ ମଧ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ସାମରିକ ଆଲୋଚନା ପରେ ଗଲୱାନ ଉପତ୍ୟକାରେ ଚୀନ୍‌ ସେନା ୨.୫ କିମି ପଛକୁ ହଟିଥିଲେ ମଧ୍ୟ ଏହାର ଗତିବିଧି ସନ୍ଦେହଜନକ ରହିଛି। ଉତ୍ତେଜନା ହ୍ରାସ ପାଇଁ ବିହୀତ ପଦକ୍ଷେପ ନିଆଯିବ ବୋଲି ଚୀନ୍‌ର ଘୋଷଣାକୁ ଭାରତ ଭରସା କରିପାରୁ ନାହିଁ। ଚୀନ୍‌ର ପ୍ରତ୍ୟେକଟି ପଦକ୍ଷେପ ଷଡ଼ଯନ୍ତ୍ରପୂର୍ଣ୍ଣ ଥିବାରୁ ଏହାକୁ କୌଣସି ସ୍ଥିତିରେ ଭାରତୀୟ ସେନା ଭରସା କରିପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଏବେ ଲଦାଖ୍‌ରୁ ଅରୁଣାଚଳ ପର୍ଯ୍ୟନ୍ତ ସୀମାରେ ସେନା ମୁତୟନ ବଢ଼ାଇ ଦିଆଯାଇଛି। ସୀମାରେ ଭାରୀ ଯୁଦ୍ଧାସ୍ତ୍ର ସହ ଚୀନ୍‌ ସେନା ମୁତୟନ ଥିବାରୁ ଭାରତ ମଧ୍ୟ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛି। ଲଦାଖ୍‌ ସମେତ ହିମାଳଚ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ଏବେ ଭାରତ ସେନା ମୁତୟନ ବଢ଼ାଇ ଦେଇଛି। ସୀମାରେ ଚୀନ୍‌ ଶକ୍ତିଶାଳୀ ଟ୍ୟାଙ୍କ୍‌, ତୋପ ଏବଂ ଅନ୍ୟ ଯୁଦ୍ଧାସ୍ତ୍ର ଠୁଳ କରିଥିବାରୁ ଏହାର ଜବାବ ଦେବାପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି।

ଉତ୍ତରାଖଣ୍ଡ ସୀମାରେ ବାୟୁସେନା ସର୍ବାଧିକ ସତର୍କ ରହିଛି ଏବଂ ଚୀନ୍‌ର ପ୍ରତ୍ୟେକଟି ଗତିବିଧି ଉପରେ ନଜର ରଖାଯାଇଛି। ଗଡ଼ୱାଲ ସେକ୍ଟରରେ ଭାରତୀୟ ପୋଷ୍ଟ୍‌ଠାରୁ ମାତ୍ର ୩୦ କିମି ଦୂରରେ ଚୀନ୍‌ର ବଡ଼ ସେନା ଶିବିର ଥିବାରୁ ଭାରତ ଏବେ ସେଠାରେ ମଧ୍ୟ ସେନା ମୁତୟନ ବଢ଼ାଇଛି। ଜୁନ୍‌ ୬ରେ ପ୍ରଥମ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ପରେ ଉତ୍ତେଜନା ହ୍ରାସ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ଏବଂ ପୂର୍ବ ସ୍ଥିତି ଫେରାଇ ଆଣିବା ଦିଗରେ ଅଧିକ ବିଶ୍ବାସସୃଷ୍ଟିକାରୀ ପଦକ୍ଷେପ ନେବାକୁ ଆଜି ଭାରତ ଚୀନ୍‌କୁ ସ୍ପଷ୍ଟ ଜଣାଇ ଦେଇଛି। ଆଜି ଆରମ୍ଭ ହୋଇଥିବା କଥାବାର୍ତ୍ତା ଆସନ୍ତାକାଲି ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ପୂର୍ବ ଲଦାଖ୍‌ ସୀମାରେ ଏବେ ବି ଚୀନ୍‌ର ୧୦ ହଜାରରୁ ଅଧିକ ସୈନିକ ମୁତୟନ ଥିବାରୁ ସେମାନଙ୍କୁ ହଟାଇବା ନିମନ୍ତେ ଭାରତ ସର୍ତ୍ତ ରଖିଛି।

ସମ୍ବନ୍ଧିତ ଖବର