ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀ ଆହତ, ନନ୍ଦିଗ୍ରାମରେ ଗୋଡ଼ ଦଳି ଦେବା ନେଇ ହୋଇଛି ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାକୁ ଯାଇଥିବା ବେଳେ ଆ‌ହତ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିବା ଖବର ମିଳିଛି। ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଗୋଡ଼କୁ କେହି ଦଳି ଦେଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ  କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଛନ୍ତି । ହେଲେ ଏହାକୁ ଡରି ନ ଯାଇ ସେ ନିଜର ପ୍ରଚାର ଅଭିଯାନ ଜାରି ରଖିବେ।

ଏହାପରେ ମମତାଙ୍କୁ କୋଲକାତା ଅଣାଯାଇଛି। ଏହି ଘଟଣାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ତାଙ୍କୁ ଆକ୍ରମଣ ଲାଗି ଷଡଯନ୍ତ୍ର ହୋଇଥିଲା । ସେ ଏ ନେଇ  ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିବେ। ତେବେ ଏହି ଘଟଣା ଘଟିବା ସମୟରେ ସ୍ଥାନୀୟ ପୁଲିସ ବି ତାଙ୍କ ସହିତ ନ ଥିଲେ ବୋଲି ଜଣାପଡ଼ିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଆଜି ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ସେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ନାମାଙ୍କନ ଦାଖଲ ପୂର୍ବରୁ ପୂଜା,ପାଠ ଏବଂ ପଦଯାତ୍ରା କରିଥିଲେ ମମତା । ନାମାଙ୍କନପତ୍ର ଦାଖଲ କରିବାକୁ ଯିବା ସମୟରେ ତାଙ୍କ ସମର୍ଥକମାନେ ‘ଖେଲା ହୋବେ’ ନାରାବାଜି କରିଥିବା ଦେଖାଯାଇଥିଲା। ପ୍ରଥମେ ଶିବ ମନ୍ଦିରରେ ଦର୍ଶନ ସାରି ସେ ହଲଦିଆରୁ ପଦଯାତ୍ରା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର