କୋଭିଡ୍‌ ଟିକାକରଣରେ ନ୍ୟାୟପାଳିକାକୁ ପ୍ରାଥମିକତା ପ୍ରସଙ୍ଗ: ଆବେଦନକାରୀ ଓକିଲଙ୍କୁ ‘ସ୍ୱାର୍ଥପର’ ବୋଲି କହିଲେ କୋର୍ଟ

ପଚାରିଲେ ‘ଟାଇଟାନିକ୍‌’ ଚଳଚ୍ଚିତ୍ର ଦେଖିଛ କି?

ମୁମ୍ବାଇ: କୋଭିଡ୍‌-୧୯ ଟିକାକରଣ କ୍ଷେତ୍ରରେ ନ୍ୟାୟପାଳିକାର ବିଚାରପତି ଓ ଓକିଲମାନଙ୍କୁ ପ୍ରାଥମିକତା ଦେବାକୁ ଆଗତ ଏକ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି (ବୁଧବାର) ସଂପୃକ୍ତ ଆବେଦନକାରୀ ଓକିଲମାନଙ୍କୁ ‘ସ୍ୱାର୍ଥପର’ ବୋଲି କହିଛନ୍ତି। ଏଥିସହ କିଛି ନିଷ୍ପତ୍ତି ‘କାର୍ଯ୍ୟନିର୍ବାହୀ ଜ୍ଞାନ’ ଉପରେ ଛାଡି ଦିଆଯିବା ଉଚିତ ବୋଲି ମତ ଦେଇ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

ନ୍ୟାୟପାଳିକାର ସଦସ୍ୟ, ଆଡଭୋକେଟ ଏବଂ ସେମାନଙ୍କ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀ (ଆଗଧାଡ଼ିର କର୍ମୀ) ଭାବରେ ବିବେଚନା କରାଯାଇ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକତା ଦେଇ କୋଭିଡ୍‌-୧୯ ଟିକା ପ୍ରଦାନ କରାଯାଉ ବୋଲି ଦର୍ଶାଇ ମୁମ୍ବାଇର ଓକିଲମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରା ଯାଇଥିଲା। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ଆବେଦନର ଶୁଣାଣି କାଳରେ ବୁଧବାର ଆବେଦନକାରୀ ଓକିଲମାନେ ଖଣ୍ଡପୀଠଙ୍କୁ କହିଥିଲେ ଯେ ମହାମାରୀ ସମୟରେ ନ୍ୟାୟପାଳିକାର କାର୍ଯ୍ୟ ଜାରିଥିଲା ଏବଂ ସଂକ୍ରମିତ ହେବାର ଆଶଙ୍କା ରହିଥିଲେ ବି ସମସ୍ତ ଆଇନଜୀବୀ, ବିଚାରପତି ଏବଂ ଅନ୍ୟ କର୍ମଚାରୀ କାର୍ଯ୍ୟ ଜାରି ରଖିଥିଲେ। ତେଣୁ, ନ୍ୟାୟପାଳିକାର ସମସ୍ତ ସଦସ୍ୟଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀ ଭାବରେ ବିବେଚନା କରାଯାଇ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ୍‌-୧୯ ଟିକା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ।

ଏହା ଶୁଣି ଆବେଦନକାରୀଙ୍କୁ ମନେ ପକାଇଦେଇ ଖଣ୍ଡପୀଠ କହିଥିଲେ ଯେ ପରିମଳ କର୍ମଚାରୀ ଏବଂ ଅନେକ ବେସରକାରୀ ସଂସ୍ଥାର କର୍ମଚାରୀମାନେ ମଧ୍ୟ ଏହି ଅବଧିରେ କାର୍ଯ୍ୟ ଜାରି ରଖିଥିଲେ। ବେସରକାରୀ ସଂସ୍ଥାର କର୍ମଚାରୀ, ଡବାବାଲାଙ୍କ ପାଇଁ କାହିଁକି ଏହା ଲାଗୁ ହେବନାହିଁ? ସମସ୍ତେ ନିଜ ନିଜ ବାଟରେ ଜଣେ ଜଣେ ଆଗଧାଡ଼ିର କର୍ମୀ ବୋଲି କହିବା ସହ କିଛି ନିଷ୍ପତ୍ତି ‘କାର୍ଯ୍ୟନିର୍ବାହୀ’ ଉପରେ ଛାଡି ଦିଆଯିବା ଉଚିତ ବୋଲି କହିଥିଲେ।

ଶୁଣାଣି କାଳରେ ଆବେଦନ କରିଥିବା ଓକିଲମାନଙ୍କୁ ଖଣ୍ଡପୀଠ ‘ସ୍ୱାର୍ଥପର’ ବୋଲି କହିବା ସହ ପଚାରିଥିଲେ, ‘ଆପଣ ଟାଇଟାନିକ୍‌ ଚଳଚ୍ଚିତ୍ର ଦେଖିଛନ୍ତି କି? ଆପଣ ଜାହାଜର କ୍ୟାପଟେନଙ୍କୁ ମନେ ରଖିଛନ୍ତି କି? ସମସ୍ତ ଯାତ୍ରୀ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା’।

ଆଜିର ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଅନିଲ ସିଂହ ଖଣ୍ଡପୀଠଙ୍କୁ କହିଥିଲେ ଯେ ଦେଶର ଏକାଧିକ ହାଇକୋର୍ଟରେ ମଧ୍ୟ ସମାନ ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର