ଅନ୍ଧକାରକୁ ଆଲୋକିତ କରିବା ପାଇଁ ଆମ କ୍ଷମତାର ଗୁରୁତ୍ବ ସ୍ମରଣ କରାଇଦିଏ ଦୀପାବଳି: କମଳା ହାରିସ୍‌

ୱାସିଂଟନ୍‌: ଅନ୍ଧକାର ସମୟକୁ ଆଲୋକିତ କରିବା ପାଇଁ ଆମ ସାମର୍ଥ୍ୟର ଗୁରୁତ୍ବକୁ ଦୀପାବଳି ସ୍ମରଣ କରାଇଦିଏ ବୋଲି ଶୁକ୍ରବାର ଦିନ ସରକାରୀ ବାସଭବନରେ ଦୀପାବଳି ଉତ୍ସବ ଆରମ୍ଭ କରି ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ କହିଛନ୍ତି।

ଦୀପାବଳି ସବୁ ସଂସ୍କୃତିରେ ପ୍ରବେଶ କରୁଥିବା ସାର୍ବଜନୀନ ପର୍ବ କହି ଏହି ଆଲୋକର ପର୍ବ ପାଳିବା ଲାଗି ଗତକାଲି ଉପରାଷ୍ଟ୍ରପତି ହାରିସ୍‌ ଭାରତୀୟ ଆମେରିକୀୟଙ୍କ ପାଇଁ ତାଙ୍କ ସରକାରୀ ବାସଭବନ ‘ନେଭାଲ୍‌ ବର୍ଜଭେଟରି’ ଉନ୍ମୁକ୍ତ କରିଥିଲେ।

ଉପରାଷ୍ଟ୍ରପତିଙ୍କ ବାସଭବନ ରଙ୍ଗିନ ଆଲୋକମାଳା ଓ ମାଟି ଦୀପରେ ସଜା ଯାଇଥିବା ବେଳେ ଶତାଧିକ ଅତିଥିମାନଙ୍କୁ ଗୁପ୍‌ଚୁପ୍‌ଠାରୁ ଆରମ୍ଭ କରି ପାରମ୍ପରିକ ଭାରତୀୟ ମିଷ୍ଟାନ୍ନ ପରିବେଷଣ କରାଯାଇଥିଲା।

Image Grabbed from Video

କେବଳ ସେତିକି ନୁହେଁ, ଆମେରିକାର ବିଭିନ୍ନ ପ୍ରାନ୍ତରୁ ଯାଇଥିବା ଭାରତୀୟ ଆମେରିକୀୟମାନଙ୍କୁ ଫୁଲଝରି ମଧ୍ୟ ଯୋଗାଇ ଦିଆଯାଇଥିଲା। ଅତିଥିମାନେ କମଳା ହାରିସ୍‌ ଓ ସେକେଣ୍ଡ୍‌ ଜେଣ୍ଟଲ୍‌ମ୍ୟାନ୍‌ଙ୍କ (ଉପରାଷ୍ଟ୍ରପତିଙ୍କ ସ୍ବାମୀ) ସହ ମିଶି ‘ଶୁଭ ଦୀପାବଳି’ କହିବା ସହ ଫୁଲଝରି ଜଳାଇଥିଲେ।

ଏହା ପୂର୍ବରୁ କେତେକ ତରୁଣ ନର୍ତ୍ତକ/ନର୍ତ୍ତକୀ ଜନପ୍ରିୟ ବଲିଉଡ୍‌ ଗୀତ ‘ଜୟ ହୋ’ ଏବଂ ‘ଓମ୍‌ ଶାନ୍ତି’ ଆଦି ପରିବେଶଣ କରି ଅତିଥିମାନଙ୍କୁ ଆମୋଦିତ କରିଥିଲେ।

ଚେନ୍ନାଇରେ ପିଲାଦିନେ ଜେଜେଜେଜୀଙ୍କ ସହିତ ଦୀପାବଳି ପାଳନ କଥା ମନେପକାଇ ହାରିସ୍‌ କହିଲେ, ଏଇଟା ସଂସ୍କୃତିର କଥା। ଏହା ହେଉଛି ସଂସ୍କୃତିରୁ ସଂସ୍କୃତିକୁ ଓ ସମ୍ପ୍ରଦାୟରୁ ସମ୍ପ୍ରଦାୟକୁ ପରିବ୍ୟାପ୍ତ ପ୍ରାଚୀନ ଭାବଧାରାର କଥା। ଏହା ହେଉଛି ଅନ୍ଧକାର ଓ ଆଲୋକ ଓ ଜୀବନର ସୁଖଦୁଃଖ ମଧ୍ୟରେ ସନ୍ତୁଳନ ରକ୍ଷାର ପ୍ରତିଫଳନ କଥା। ଆଲୋକଦ୍ବାରା ମାର୍ଗଦର୍ଶନ ପାଇ ନିଜକୁ ଅନ୍ଧକାରରୁ ମୁକ୍ତ କରିବାର ଉପାୟ କରିବାରେ ଆମର ଭୂମିକା କ’ଣ ହେବା କଥା, ତାହା ଏହି ଉତ୍ସବ ପାଳିବା ବେଳେ ଚିନ୍ତା କରିବା ଉଚିତ।

ସମ୍ବନ୍ଧିତ ଖବର