ନିର୍ବାଚନ କମିସନଙ୍କ କଟକଣା, ୧୨ ନଭେମ୍ବରରୁ ୭ ଡିସେମ୍ବର ଏକ୍‌ଜିଟ୍‌ ପୋଲ ନିଷିଦ୍ଧ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ)ର ପ୍ରସାରଣ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧୨ ନଭେମ୍ବରରୁ ୭ ଡିସେମ୍ବର ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଏକ୍‌ଜିଟ୍‌ ପୋଲ ପ୍ରସାରଣ ହୋଇପାରିବ ନାହିଁ ଏବଂ ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ଲୋକ ପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୧୨୬(କ)ରେ ଥିବା ବ୍ୟବସ୍ଥା ଅନୁଯାୟୀ କୌଣସି ଏକ୍‌ଜିଟ ପୋଲ ବ୍ୟବସ୍ଥା କରିବା ଏବଂ ତାହାର ପରିଣାମ ପ୍ରକାଶ କିମ୍ବା ପ୍ରସାରଣ କରିବା ଉପରେ ନିର୍ବାଚନ କମିସନ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ କଟକଣା ଲଗାଇପାରିବେ। ୫ଟି ରାଜ୍ୟ (ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ)ରେ ୧୨ ନଭେମ୍ବରରୁ ୭ ଡିସେମ୍ବର ମଧ୍ୟରେ ଭୋଟ୍‌ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ୨୮ ନଭେମ୍ବରରେ ମତଦାନ ହେବାକୁ ଥିବା ବେଳେ ରାଜସ୍ଥାନରେ ୭ ଡିସେମ୍ବର, ତେଲେଙ୍ଗାନାରେ ୭ ଡିସେମ୍ବର, ଛତିଶଗଡ଼ରେ ୧୨ ନଭେମ୍ବର ଏବଂ ୨୦ ନଭେମ୍ବର ଏବଂ ମିଜୋରାମରେ ୨୮ ନଭେମ୍ବରରେ ମତଦାନ ହେବ।

ସମ୍ବନ୍ଧିତ ଖବର