ବିମୁଦ୍ରୀକରଣର ଦୁଇ ବର୍ଷ ପୂର୍ତ୍ତି, କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ବିମୁଦ୍ରୀକରଣର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋଦୀ ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ଆଜି ଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସର ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଆର୍‌ବିଆଇ କାର୍ଯ୍ୟାଳୟକୁ ବି‌କ୍ଷୋଭକାରୀମାନେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ସଂସଦ ମାର୍ଗ ଥାନାକୁ ନେଇଥିଲା ଏବଂ କିଛି ସମୟ ପରେ ସମସ୍ତଙ୍କୁ ଛଡ଼ାଯାଇଥିଲା। ଏଭଳି ଗିରଫଦାରୀକୁ ମୋଦୀ ସରକାରଙ୍କ ଅତ୍ୟାଚାରୀ ପଦକ୍ଷେପ ବୋଲି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କହିଛନ୍ତି। ବିମୁଦ୍ରୀକରଣ ଯୋଗୁଁ ଯେଉଁ ସୁଫଳ ମିଳିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ ତାହା କାଣିଚାଏ ମଧ୍ୟ ପୂରଣ ହୋଇନାହିଁ ବୋଲି କଂଗ୍ରେସ କହିଛି। ତେବେ ଏନ୍‌ଡିଏ ସରକାର ବିମୁଦ୍ରୀକରଣକୁ ଏକ ସୁଚିନ୍ତିତ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ବୋଲି କହିବା ସହ ଏହାଦ୍ବାରା ଦେଶରେ ୨୦ ପ୍ରତିଶତ ଟିକସ ଆଦାୟ ବଢ଼ିଥିବା କହିଛନ୍ତି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ୮, ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ ଏବଂ ସେତେବେଳେ ଦେଶରେ ପ୍ରଚଳିତ ଥିବା ୫ ଶହ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ।

ସମ୍ବନ୍ଧିତ ଖବର