୫ଟି ରାଜ୍ୟରେ ଜଳ ପ୍ରଳୟ : ମୃତ୍ୟୁସଂଖ୍ୟା ୨୦୦ ଟପିଲା

କେରଳରେ ଭୟଙ୍କର ବନ୍ୟା, ମୃତ୍ୟୁସଂଖ୍ୟା ୭୨, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ସ୍ଥିତି ଜଟିଳ

ଥିରୁବନନ୍ତପୁରମ୍/ ମୁମ୍ବାଇ : ଦକ୍ଷିଣ ପଶ୍ଚିମ ରାଜ୍ୟ ଗୁଡ଼ିକରେ ଏବେ ବନ୍ୟା ସ୍ଥିତି ଭୟଙ୍କର ହୋଇଛି। କେରଳ ପରିସ୍ଥିତି ସବୁଠାରୁ ଭୟଙ୍କର ହାଇଥିବା ବେଳେ କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ବର୍ଷା ଓ ବନ୍ୟା ଯୋଗୁଁ ୨୦୧ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହାସହିତ ଲକ୍ଷ ଲକ୍ଷ ଲୋକ ମଧ୍ୟ ପାଣି ଘେରରେ ରହିଛନ୍ତି।

ଗତବର୍ଷ କେରଳରେ ହୋଇଥିବା ଭୟଙ୍କର ବନ୍ୟା କବଳରୁ ରାଜ୍ୟ ମୁକୁଳିବାରେ ସକ୍ଷମ ହୋଇନଥିବା ବେଳେ ଏବେ ପୁଣିଥରେ କେରଳରେ ଜଳ ପ୍ରଳୟ ଆସିଛି। ଭୟଙ୍କର ବନ୍ୟା ଯୋଗୁଁ ରାଜ୍ୟରେ ମୃତ୍ୟୁସଂଖ୍ୟା ଏବେ ୭୨ରେ ପହଞ୍ଚିଛି। ପ୍ରାୟ ୨.୨୭ ଲକ୍ଷ ଲୋକ ଏବେ ରାଜ୍ୟର ପ୍ରାୟ ୧୫୫୧ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି। ଆଇଏମ୍‌ଡି ପକ୍ଷରୁ ଏବେ କନ୍ନୁର, କସରଗଡ଼ ଏବଂ ୱାୟନାଡ଼ରେ ରେଡ୍‌ ଆଲର୍ଟ ଜାରି ହୋଇଛି। ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ଏବେ କେରଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। କୋଚି ବିମାନବନ୍ଦରରୁ ଏବେ ପୁଣିଥରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ବନ୍ୟା ହେତୁ ଆଜି କେରଳରେ ପ୍ରାୟ ୧୦ଟି ଟ୍ରେନ୍‌ ବାତିଲ ରହିଛି। ଉଲ୍ଲେଖଯୋଗ୍ୟ ଗତବର୍ଷ କେରଳରେ ହୋଇଥିବା ଭୟଙ୍କର ବନ୍ୟା ଯୋଗୁଁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

କର୍ଣ୍ଣାଟକରେ ବି ବନ୍ୟାସ୍ଥିତି ଅତୀବ ସଙ୍କଟଜନକ ହୋଇପଡ଼ିଛି। ବନ୍ୟା ଯୋଗୁଁ ରାଜ୍ୟରେ ମୃତ୍ୟୁସଂଖ୍ୟା ଏବେ ୩୧ରେ ପହଞ୍ଚିଛି। ପ୍ରବଳ ବର୍ଷା ‌ଯୋଗୁଁ ଉତ୍ତର, ମଧ୍ୟ ଏବଂ ଉପକୂଳ କର୍ଣ୍ଣାଟକର ପ୍ରାୟ ୧୪ ଲୋକ ଏବେ ବି ନିଖୋଜ ଅଛନ୍ତି। ବେଲଗଭି ସବୁଠୁ ଅଧିକ ପ୍ରଭାବିତ ହୋଇଛି। କର୍ଣ୍ଣାଟକରେ ମୃତ୍ୟୁବରଣ କରିଥିବା ୩୧ ଜଣଙ୍କ ମଧ୍ୟରୁ ୧୦ ଜଣ ବେଲଗଭିର। ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ପୁନେ ଡିଭିଜନ୍‌ରେ ପ୍ରାୟ ୧୦ ଜଣ ନି‌ଖୋଜ ଅଛନ୍ତି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପୁନେରେ ୨୦୦ରୁ ଅଧିକ ରୋଡ୍‌ ଏବଂ ବ୍ରିଜ୍‌ ବନ୍ଦ ରହିଛି। ଉଦ୍ଧାର କାର୍ଯ୍ୟପାଇଁ ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌, ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁତୟନ ହୋଇଛନ୍ତି। ସାଙ୍ଗ୍‌ଲି ଏବଂ କୋହ୍ଲାପୁରରେ ୩୦୦ରୁ ଅଧିକ ମେଡିକାଲ୍‌ ଟିମ୍‌ କାମ କରୁଛନ୍ତି। ଗୁଜରାଟରେ ମଧ୍ୟ ବନ୍ୟା ଯୋଗୁଁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ ଲଗାତାର ୬ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ୫୨ ଜିଲ୍ଲାରୁ ୧୩ଟିରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର