କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ଭାରତରେ କରୋନା ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଟିକାକରଣ ବେଳେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ ପାଇଁ ଆଜିଠାରୁ ସାରା ଦେଶରେ ପ୍ରାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଭଳି  ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ବଡ଼ ଘୋଷଣା କରିଛନ୍ତି।

ଡ୍ରାଏ ରନର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବା ବେଳେ ସେ କହିଛନ୍ତି କି ‘ଲୋକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ। ଭ୍ୟାକସିନର ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ଦାୟିତ୍ୱ।’ ଏହାସହ ସେ ପୋଲିଓ ଟିକା କଥା ବି ମନେପକାଇ କହିଥିଲେ କି ପୋଲିଓ ଟିକାକରଣ ବେଳେ ବି ଏଭଳି କିଛି ମିଥ୍ୟା ପ୍ରଚାର କରାଯାଉଥିଲା। ହେଲେ ଟିକାକରଣ ସୁରଖୁରୁରେ ଚାଲିଲା ଓ ଏବେ ଦେଶ ପୋଲିଓମୁକ୍ତ ହୋଇଛି।
ଡ୍ରାଏ ରନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି ପୂର୍ବଥର ୪ ଟି ରାଜ୍ୟରେ ସଫଳତାର ସହ ଡ୍ରାଏ ରନ୍ ହୋଇଛି। ଏହାସହ ଡ୍ରଏ ରନ୍ ବେଳେ ଦେଖା ଦେଇଥିବା ସମସ୍ୟାକୁ ନଜରରେ ରଖି ଏବେ ତାହାର ସୁଧାର ଅଣାଯାଇପାରିଛି।ଏହି ଡ୍ରଏ ରନ୍ ବେଳେ ଟିକାକୁ ଛାଡି ଅନ୍ୟସବୁ ଦିଗ ଉପରେ ଯାଞ୍ଚ କରାଯାଉଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ ୨ ହଜାରରୁ ଅଧିକ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷିତ କରାଯାଇଛି। ଏଥିଲାଗି ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରଶିକ୍ଷକଙ୍କୁ ଟ୍ରେନିଂ ଦିଆଯାଇଛି। ଏମାନେ ଟିକାକରଣ ବେଳେ ଲୋକମାନଙ୍କୁ ଏହାର ପ୍ରକ୍ରିୟା ଓ ତା ପରବର୍ତ୍ତୀ ସ୍ତରର ସାବଧାନତା ଉପରେ ଶିକ୍ଷା ଦେବେ।

ସମ୍ବନ୍ଧିତ ଖବର