ଗାଡିରେ ବିଧାନସଭା ସଚିବାଳୟର ଷ୍ଟିକର ଲଗାଇବା ପାଇଁ ଦେଇଥିଲେ ସପା ନେତା: ଶ୍ରୀକାନ୍ତ ତ୍ୟାଗୀ

ନୂଆଦିଲ୍ଳୀ: ନୋଏଡାର ଏକ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଯୁବକ ଶ୍ରୀକାନ୍ତ ତ୍ୟାଗୀଙ୍କୁ ମଙ୍ଗଳବାର ନୋଏଡା ପୁଲିସ୍‌ ଗିରଫ କରିଛି। ତାଙ୍କ ସହ ଉତ୍ତରପ୍ରଦେଶସ୍ଥିତ ମିରଟ୍‌ର ଅନ୍ୟ ୩ ଜଣଙ୍କୁ ବି ପୁଲିସ୍‌ ଗିରଫ କରିଛି। ତ୍ୟାଗୀ ତାଙ୍କ ପତ୍ନୀ ଓ ଓକିଲଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରୁଥିବାରୁ ସେହି ଜରିଆରେ ପୁଲିସ୍‌ ତାଙ୍କ ଲେ‌ାକେସନ୍‌ ଟ୍ରାକ୍‌ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଗିରଫ ‌ପରେ ଶ୍ରୀକାନ୍ତକୁ ପଚରାଉଚରା କରାଯିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି।

ଶ୍ରୀକାନ୍ତଙ୍କୁ ପଚରାଉଚରା ପରେ ନୋଏଡା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ପୁଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ, ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଛନ୍ତି ଯେ ତାଙ୍କ ଗାଡିରେ ଲଗାଯାଇଥିବା ବିଧାନସଭା ସଚିବାଳୟର ଷ୍ଟିକର ତାଙ୍କୁ ସମାଜବାଦୀ ପାର୍ଟି(ସପା) ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦେଇଥିଲେ। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀକାନ୍ତ ତ୍ୟାଗୀଙ୍କ ପାଞ୍ଚଟି ଗାଡି ଜବତ କରିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗାଡ଼ିରେ ବିଧାୟକଙ୍କ ଷ୍ଟିକର ଥିଲା। ଏଥିସହିତ ଉତ୍ତରପ୍ରଦେଶ ସରକାରଙ୍କ ସରକାରୀ ଲୋଗୋ ଅନ୍ୟ ଏକ ଗାଡିର ନମ୍ବର ପ୍ଲେଟରେ ମଧ୍ୟ ଦେଖିବାକୁ ମିଳିଥିଲା।

ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଆଲୋକ ସିଂ କହିଛନ୍ତତି ଯେ, ତ୍ୟାଗୀ ନିଜର ଭୁଲ ବୁଝିବା ସହ ସେ ରାଗରେ ଏପରି କରିଥିବା କହିଛନ୍ତି। ମହିଳାଙ୍କ ପ୍ରତି ତାଙ୍କର ଆଚରଣ ଭଲ ନଥିଲା ବୋଲି ସ୍ବୀକାର କରିବ‌ା ଶ୍ରୀକାନ୍ତ ତାଙ୍କ ଭୁଲକୁ ଗ୍ରହଣ କରିଛନ୍ତି। ଏହା ସହ ସେ ନୋଏଡା ପୁଲିସକୁ ଭୟ କରୁଥିବାରୁ ଲୁଚୁଥିଲେ ବୋଲି ମଧ୍ୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଳ୍ପ କିଛି ଦିନ ତଳେ ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ସୋସାଇଟି’ରେ ବିଜେପି କିଷାନ୍‌ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା। ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ‌ବୋଲି ମହିଳା ଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ। ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କ ସହ ଅସଦାଚରଣ କରିବା ସହ ସେ ଜଣେ ବିଜେପି କର୍ମୀ ବୋଲି ନିଜ ପରିଚୟ ଦେଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇଥିଲା। ଭିଡିଓ ଭାଇରାଲ ପରେ ପୁଲିସରେ ଅଭିଯୋଗ ହେବାରୁ ଶ୍ରୀକାନ୍ତ ଦଳର ସଦସ୍ୟ ନୁହନ୍ତି ‌ବୋଲି ‘ବିଜେପି’ ସ୍ପଷ୍ଟ କରିଥିଲ। ଏହା ପରେ ତ୍ୟାଗୀ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର