ପାକ୍‌ ସଂସଦରେ ହାଇଭୋଲ୍‌ଟେଜ୍‌ ଡ୍ରାମା: ଅନାସ୍ଥା ଭୋଟ୍‌ ଆଦେଶ ବିରୋଧରେ ପୁନର୍ବିଚାର ଆବେଦନ

‘ବିଦେଶୀ ଷଡ଼ଯନ୍ତ୍ର’ ଅଭିଯୋଗ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଇସ୍ତଫା ପାଇଁ ଇମ୍ରାନ୍‌ଙ୍କ ୩ ସର୍ତ୍ତ ଚର୍ଚ୍ଚାରେ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣକୁ ନେଇ ଚର୍ଚ୍ଚା ଜାରି ରହିଛି। ସରକାର ଭାଙ୍ଗିବା ପାଇଁ ଏକ ବିଦେଶୀ ରାଷ୍ଟ୍ର (ଆମେରିକା) ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣି ଏହା ଉପରେ ଆଲୋଚନା କରିବାକୁ ଶାସକ ଦଳ ସଦସ୍ୟମାନେ ତମ୍ବିତୋଫାନ ସୃଷ୍ଟି କରିଥିବା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାର ଜୋର୍‌ଦାର ବିରୋଧ କରିଛନ୍ତି। ଗୃହରେ ପ୍ରବଳ କଥା କଟାକଟି ଓ ଉତ୍ତେଜନା ଯୋଗୁଁ ବାଚସ୍ପତି ଅପରାହ୍ନରେ ଗୃହକୁ ମୁଲତବୀ ରଖିଥିଲେ। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ପାଇଁ ପାକିସ୍ତାନ ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ଆଜି ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଗୃହରେ ହାଇଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଥିଲା ଏବଂ ଭୋଟ୍‌ ଗ୍ରହଣ ହୋଇନଥିଲା। ସନ୍ଧ୍ୟାରେ ବାଚସ୍ପତି କହିଥିଲେ ଯେ ଏବେ ଯେଭଳି ବିଶୃଙ୍ଖଳା ଲାଗି ରହିଛି ସେହି ସ୍ଥିତିରେ ସେ ଭୋଟ୍‌ ପାଇଁ ଆଦେଶ ଦେଇପାରିବେ ନାହିଁ। ଅନାସ୍ଥା ଉପରେ ଭୋଟ୍‌ ଗ୍ରହଣ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ବିରୋଧରେ ଆଜି ପୁନର୍ବିଚାର ଆବେଦନ ମଧ୍ୟ ଦାଏର କରାଯାଇଛି । ତେଣୁ ଏହି ସାନି ଆବେଦନ ଉପରେ କୋର୍ଟଙ୍କ କୌଣସି ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇପାରିବ ନାହିଁ ବୋଲି ଶାସକ ଦଳ ସଦସ୍ୟମାନେ ଜିଦ୍‌ ଧରିଛନ୍ତି। ଆଜି ପିଟିଆଇ ମେଣ୍ଟ ସରକାରର କେତେକ ମନ୍ତ୍ରୀ ସେମାନଙ୍କ ଟ୍ବିଟର ବାୟୋ ବଦଳାଇ ‘ପୂର୍ବତନ ମନ୍ତ୍ରୀ’ ବୋଲି ଲେଖିଥିବାରୁ ଇମ୍ରାନ୍‌ ଅନାସ୍ଥା ଭୋଟ୍‌ ପୂର୍ବରୁ ପରାଜୟ ସ୍ବୀକାର କରିନେଇଥିବା କୁହାଯାଉଛି । ଆଜି ସଂସଦରେ ଅନୁପସ୍ଥିତ ଥିବା ଇମ୍ରାନ୍‌ ଇସ୍ତଫା ଦେବା ପାଇଁ ୩ଟି ସର୍ତ୍ତ ରଖିଥିବା ନେଇ ପାକ୍‌ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ସେହି ସର୍ତ୍ତଗୁଡ଼ିକୁ ହେଲା ଇସ୍ତଫା ପରେ ତାଙ୍କୁ ଗିରଫ କରାନଯିବା, ଏନ୍ଏବି ଅଧୀନରେ କୌଣସି ଦୁର୍ନୀତି ମାମଲା ରୁଜୁ ନକରିବା ଏବଂ ଶାହବାଜ ସରିଫ୍‌ଙ୍କ ବଦଳରେ ଆଉ କାହାକୁ ପ୍ରଧାନମନ୍ତ୍ରୀ କରାଇବା।

ଗୁରୁବାର ସୁପ୍ରିମ୍‌ କୋର୍ଟ ଉପ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରି ନ୍ୟାସନାଲ ଆସେମ୍ଲିରେ ଭୋଟ୍‌ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିଛି ବୋଲି ବିରୋଧୀ ଦଳ ନେତା ଶାହବାଜ ସରିଫ୍‌ କହିଥିବା ବେଳେ ଏକ ଗଣତାନ୍ତ୍ରିକ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ହୋଇଥିବାରୁ ଏହା ବିରୋଧରେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆହ୍ବାନ ଦେଇଛନ୍ତି।

ଆଜି ଗୃହରେ ଶାହବାଜ କହିଥିଲେ ଯେ ଆଇନ ଓ ସମ୍ବିଧାନର ସୁରକ୍ଷା ପାଇଁ ବାଚସ୍ପତି ଏବେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଉଚିତ । ଯଦି ଅନାସ୍ଥା ଉପରେ ଭୋଟ୍‌ ଗ୍ରହଣ ନେଇ ପୁଣି କୌଣସି ଷଡ଼ଯନ୍ତ୍ର ହୁଏ ତା’ହେଲେ ଦେଶର ଗଣତାନ୍ତ୍ରିକ ଭିତ୍ତି ଦୋହଲି ଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଥାରେ ବାଚସ୍ପତି ପରିଚାଳିତ ନହୋଇ ସମ୍ବିଧାନ ଦ୍ବାରା ପରିଚାଳିତ ହେବା ଉଚିତ ବୋଲି ସରିଫ୍‌ କହିଛନ୍ତି। ଗତରାତିରେ ଇମ୍ରାନ୍‌ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ସୁପ୍ରିମ୍‌ କୋର୍ଟଙ୍କ ରାୟ ତାଙ୍କୁ ନିରାଶ କରିଛି କିନ୍ତୁ ସେ ଏହାକୁ ଗ୍ରହଣ କରୁଛନ୍ତି। ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧୀ ଦଳଙ୍କୁ ୩୪୨ ସଦସ୍ୟ ବିଶିଷ୍ଟ ଗୃହରେ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ତେବେ ଏହାଠାରୁ ଅଧିକ ସଂଖ୍ୟକ ସଦସ୍ୟଙ୍କ ସମର୍ଥନ ଆମ ପାଖରେ ରହିଛି ବୋଲି ବିରୋଧୀ ଦଳମାନେ ଦାବି କରିଛନ୍ତି। ପିଟିଆଇ ମେଣ୍ଟର ଅସନ୍ତୁଷ୍ଟ ଦଳମାନେ ବିରୋଧୀ ମେଣ୍ଟ ସହିତ ହାତ ମିଳାଇ ସାରିଥିବାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହେଲେ ଇମ୍ରାନ୍‌ ବିଦା ହେବା ନିଶ୍ଚିତ ବୋଲି କୁହାଯାଉଛି । ପାକ୍‌ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ସଂସଦରେ ‘ବିଦେଶୀ ଷଡ଼ଯନ୍ତ୍ର’ ନେଇ ସରକାର ପ୍ରମାଣ ରଖିବେ ଏବଂ ଏହା ଉପରେ ଯଥୋଚିତ ବିତର୍କ ହେବା ଆବଶ୍ୟକ। ଅନ୍ୟଥା ଦେଶର ଗଣତନ୍ତ୍ର ପାଇଁ କ୍ଷତି ପହଞ୍ଚିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର