ଚନ୍ଦ୍ରଯାନ-୨ ଚନ୍ଦ୍ରରେ କେମିତି ଖୋଜିବ ପାଣି; ଭିଡିଓ ଜାରି କରି ଦେଖାଇଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଲକ୍ଷ୍ୟରେ ଛଡ଼ା ଯାଇଥିବା ଚନ୍ଦ୍ରଯାନ-୨ ନିଜ ଲକ୍ଷ୍ୟ ପଥରେ ସଫଳତାର ଆଗେଇ ଚାଲିଛି। ଆଜି ଚନ୍ଦ୍ରଯାନ-୨ ଲାଣ୍ଡର ଓ ରୋଭରକୁ ଧରି ନିଜ ଲକ୍ଷ୍ୟ ପଥରେ ସଫଳତାର ସହ ୪ ପାଦ ଆଗେଇ ସାରିଥିବା ବେଳେ ଯଦି ସବୁକିଛି ଠିକ୍‌ଠାକ୍‌ ରହେ ତେବେ ଆସନ୍ତା ୭ ତାରଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୨।

ଏହି ପରିପ୍ରେକ୍ଷୀରେ ଆଜି ଇସ୍ରୋର ଏସ୍‌ଏସ୍‌ପିଓ ନିର୍ଦ୍ଦେଶକ ପି ଶ୍ରୀକୁମାର ଇସ୍ରୋର ଟୁଇଟର ହାଣ୍ଡଲରେ ଏକ ଭିଡିଓ ସେୟାର କରି ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କେମିତି ଜଳର ସନ୍ଧାନ କରିବ ତାହାର ଖୁଲାସ କରିଛନ୍ତି। ଜାରି ଭିଡିଓରେ ନିର୍ଦ୍ଦେଶକ ଶ୍ରୀକୁମାର କହିଛନ୍ତି ଯେ ଗତ ୨୦୦୮ ଅକ୍ଟୋବରରେ ଯେତେବେଳେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୧ ନାମରେ ପ୍ରଥମ ଚନ୍ଦ୍ର ମିଶନ କରା ଯାଇଥିଲା ସେତେବେଳେ ଚନ୍ଦ୍ରରେ ପାଣି ଥିବା ନେଇ ଯଥେଷ୍ଟ ବଳିଷ୍ଠ ପ୍ରମାଣ ଯୋଗାଇଥିଲା।

ତେବେ, ଏଥର ଚନ୍ଦ୍ରପୃଷ୍ଠ ତଳେ ପାଣି ଓ ଚନ୍ଦ୍ରପୃଷ୍ଠରେ କୌଣସି ଜୀବସତ୍ତା ରହିଛି କି ନାହିଁ ତାକୁ ଖୋଜିବ ଚନ୍ଦ୍ରଯାନ-୨ର ଲାଣ୍ଡର ସହ ଚନ୍ଦ୍ରପୃଷ୍ଠକୁ ଯାଇଥିବା ରୋଭର। ତେବେ, ଚନ୍ଦ୍ରପୃଷ୍ଠ ତଳେ ଜଳର ସନ୍ଧାନ କେମିତି କରିବ ରୋଭର ତାହା ଦେଖିବାକୁ ମିଳୁଛି ଏହି ଭିଡିଓରେ।

ସମ୍ବନ୍ଧିତ ଖବର