ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ୍‌ ସହମତି, ପୂର୍ବ ଲଦାଖ୍‌ ସ୍ଥିତି ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ: ପୂର୍ବ ଲଦା‌ଖ୍‌ର ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ବିବାଦ ବଢ଼ିବାରୁ ଭାରତ ଏବଂ ଚୀନ୍‌ ସେନା ଯେଉଁ ସେନା ମୁତୟନ କରିଥିଲେ ତାହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଆଜି ସହମତି ପ୍ରକାଶ କରିଛନ୍ତି। ସୀମା ପରିଚାଳନା ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଆଜି ଉଚ୍ଚସ୍ତରୀୟ କୂଟନୈତିକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ବାବଦରେ ସପ୍ତାହକ ମଧ୍ୟରେ ପୁଣି ଥରେ ସୀମା ପରିଚାଳନା ଓ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୂର୍ବ ଲଦାଖ୍‌ର ଯେଉଁ ସବୁ ଅଞ୍ଚଳରେ ଚୀନ୍‌ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା

ସେଠାରୁ ଚୀନ୍‌ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବାରୁ ଏ ବାବଦ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତର ସାମରିକ ସ୍ଥିତି ନେଇ ରାଜନାଥ ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ, ସେନାମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରବଣେ, ନୌସେନା ମୁଖ୍ୟ ଆଡମିରାଲ୍‌ କରମବୀର ସିଂହ, ବାୟୁସେନା ମୁଖ୍ୟ ଆ‌ରକେଏସ୍‌ ଭଦୋରିଆଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଏଲ୍‌ଏସିରୁ ଉଭୟ ଦେଶର ସେନା ପ୍ରତ୍ୟାହାର ସମ୍ପର୍କରେ ବିସ୍ତୃତ ତଥ୍ୟ ରଖାଯାଇଥିଲା। ପୂର୍ବ ଲଦାଖ୍‌ର ଗଲୱାନ୍‌ ଉପତ୍ୟକା, ଗୋଗ୍ରା, ହଟ୍‌ସ୍ପ୍ରିଙ୍ଗ୍‌ ଏବଂ ପାଙ୍ଗୋଙ୍ଗ୍‌ ସୋ ଅଞ୍ଚଳରୁ ଚୀନ୍‌ ସେନା ପ୍ରାୟ ଅଢ଼େଇ କିମି ପଛକୁ ହଟିଥିବା ଜଣାପଡ଼ିଛି। ସାଟେଲାଇଟ୍‌ ଛବି ଏବଂ ଡ୍ରୋନ୍‌ କ୍ୟାମେରା ଦ୍ବାରା ଏ ବାବଦ ସ୍ଥିତିକୁ ଅଧିକ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର