ମାଲେସିଆ ପରେ ତୁର୍କୀ ଉପରେ ବାଣିଜ୍ୟ କଟକଣା ଲଗାଇବାକୁ ଭାରତର ବିଚାର

ନୂଆଦିଲ୍ଲୀ : ପାକିସ୍ତାନ ସହ ମିଶି ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବା ଆଉ ଏକ ଦେଶ ହେଉଛି ତୁର୍କୀ । ମାଲେସିଆ ପରି ତୁର୍କୀ ମଧ୍ୟ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଭାରତକୁ ବିରୋଧ କରୁଛି । କିନ୍ତୁ ଏହାକୁ ଆଦୌ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି ମୋଦୀ ସରକାର । ଏଣୁ ତୁର୍କୀକୁ ଶାସ୍ତି ଦେବାକୁ ଚିନ୍ତା କରୁଛନ୍ତି ଭାରତ ।

କଶ୍ମୀର ପ୍ରସଙ୍ଗରେ ତୁର୍କୀ ମିଳିତ ଜାତିସଂଘରେ ଭାରତ ବିରୋଧରେ ବକ୍ତବ୍ୟ ଦେଇଥିଲା । ସେହିପରି ଏଫଏଟିଏଫ ବୈଠକରେ ମଧ୍ୟ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବା ପ୍ରସ୍ତାବକୁ ତୁର୍କୀ ବିରୋଧ କରିଥିଲା । ଏସବୁ କାରଣ ପାଇଁ ଭାରତ ସରକାର ଏହି ଦେଶ ବିରୋଧରେ ନିଜର କୂଟନୈିତିକ ଓ ଆର୍ଥିକ ପ୍ରଭାବକୁ ଉପଯୋଗ କରି ଚାପ ପକାଇବାକୁ ପ୍ରସ୍ତୁତ ହେଉଛନ୍ତି । ଗତ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀ ଗସ୍ତରେ ଯିବାର ଥିଲା । କିନ୍ତୁ ଏହି ଗସ୍ତକୁ ବାତିଲ କରିଦିଆଯାଇଥିଲା ।

ଭାରତ ତୁର୍କୀରୁ ଷ୍ଟିଲ, ଯନ୍ତ୍ରପାତି, ତେଲ ଆଦି କେତେକ ସାମଗ୍ରୀ ଆମଦାନୀ କରିଥାଏ । ଏବେ ଭାରତ ଏସବୁ ଆମଦାନୀକୁ ବନ୍ଦ କରିବାକୁ ଚିନ୍ତା କରୁଛି । ୨୦୧୯-୨୦ରେ ଭାରତ-ତୁର୍କୀମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୭.୮ ବିଲିୟନ ଡଲାରରେ ପହଞ୍ଚିଛି । ତୁର୍କୀରୁ ଭାରତ ୨.୪ ବିଲିୟନ ଡଲାରର ଆମଦାନୀ କରିଛି ।  ମାଲେସିଆ, ତୁର୍କୀ ପରି ଦେଶମାନଙ୍କ ବିରୋଧରେ ଭାରତ କଟକଣା ଲଗାଉଥିବାବେଳେ ପାକିସ୍ତାନର ସବୁଠାରୁ ବଡ଼ ସମର୍ଥକ ଚୀନ ଉପରେ ଏପର୍ଯ୍ୟନ୍ତ କୌଣସି କଟକଣା ଲଗାଯାଇପାରିନାହିଁ ।

ସମ୍ବନ୍ଧିତ ଖବର