ଅନୁରୋଧ ମିଳିଲେ ପାକ୍‌ ନାଗରିକଙ୍କୁ ବି ଚୀନରୁ ଉଦ୍ଧାର କରିବୁ ବୋଲି କହିଲା ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ବିଦେଶ ବ୍ୟାପାର ମୁଖପାତ୍ର ରବୀଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରାନ୍ତରେ ବିବରଣୀ ରଖିଛନ୍ତି। ଚୀନ୍‌ରେ ଫସିଥିବା ପାକିସ୍ତାନୀ ଛାତ୍ରଙ୍କ ସଂକ୍ରାନ୍ତରେ ସେ କହିଛନ୍ତି, ଯଦି ପାକିସ୍ତାନ ସରକାର ଏହାର ନାଗରିକଙ୍କୁ ଚୀନ୍‌ରୁ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିବେ ଭାରତ ଏ ଦିଗରେ ବିଚାର କରିବ।

ଆଜିର ସାମ୍ବାଦିକ ସମ୍ମିଳନୀରେ ରବୀଶ କୁମାର କହିଛନ୍ତି, ପର୍ତୁଗାଲ୍‌ ରାଷ୍ଟ୍ରପତି ଫେବ୍ରୁଆରି ୧୩-୧୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆ‌ସିବେ ଏବଂ ଭିଏତନାମ ଉପରାଷ୍ଟ୍ରପତି ଫେବ୍ରୁଆରି ୧୧-୧୩ ଯାଏଁ ଭାରତ ଗସ୍ତରେ ଆସିବେ। ରବୀଶ କୁମାର କହିଛନ୍ତି, ୬୪୦ ଜଣ ଭାରତୀୟଙ୍କୁ ଚୀନ୍‌ରୁ ସଫଳତାର ସହ ଭାରତ ଅଣାଯାଇଛି। ୬୪୦ ଭାରତୀୟଙ୍କ ସମେତ ମାଳଦ୍ବୀପର ୭ ନାଗରିକଙ୍କୁ ମଧ୍ୟ ଭାରତ ଅଣାଯାଇଛି। ଅତ୍ୟନ୍ତ ଜଟିଳ ଅପରେସନ୍‌ରେ ସେମାନଙ୍କୁ ଭାରତ ଅଣାଯାଇଛି ବୋଲି କୁମାର କହିଛନ୍ତି। କିନ୍ତୁ ସ୍ଥିତି ସ୍ବାଭାବିକ ଅଛି।

ଚୀନ୍‌ କ୍ଷେତ୍ରରେ ସମସ୍ତ ଇ-ଭିସା ଆଉ କାମ ଦେବନାହିଁ। ସେହିପରି ସାଧାରଣ ଭିସାଗୁଡ଼ିକ ମଧ୍ୟ ଚୀନ୍‌ ମେନ୍‌ଲ୍ୟାଣ୍ଡ୍‌ ପାଇଁ ଅଚଳ କରାଯାଇଛି ବୋଲି ରବୀଶ କୁମାର ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଭାରତ ଗସ୍ତ ପାଇଁ କିଛି କାରଣ ଦର୍ଶାଇବେ ତେବେ ସେମାନେ ନିକଟସ୍ଥ ଦୂତାବାସ‌ରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି। କରୋନା ଭାଇରସ୍‌ ସଂକ୍ରାନ୍ତରେ ପ୍ରତିଦିନ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର